ବିଶ୍ୱର ଶତାୟୁ ଛାତ୍ରୀ ସାଜିଲେ ଆମ୍ମା, ଦାୟିତ୍ୱ କାରଣରୁ ଅଧାରୁ ଛାଡିଥିଲେ ପାଠପଢା

ବିଦ୍ୟା ଆହରଣ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ । ନିଜ ଭିତରେ ଜ୍ଞାନ ଆହରଣର ଦୃଢ ଇଚ୍ଛା ଶକ୍ତି ଥିଲେ ଯେକୌଣସି ବାଧା ବିଘ୍ନକୁ ମଧ୍ୟ ଅତି ସହଜରେ ପାର କରାଯାଇପାରିବ । ଯେକୌଣସି ବୟସରେ ନିଜ ଅଧୁରା ପାଠକୁ ମଧ୍ୟ ପୂରଣ କରାଯାଇପାରିବ । ଏମିତି ଏକ ଅସାଧାରଣ ପଦକ୍ଷେପ ନେଇ ନିଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ଭାଗିରଥି ଆମ୍ମା । ବୟସ ୧୦୦ ଟପି ଯାଇଥିଲେ ମଧ୍ୟ ପାଠ ପଢା ଇଚ୍ଛା ତାଙ୍କ ମନରୁ ଜମା ବି ମେଣ୍ଟି ନଥିଲା । ୧୦୫ ବର୍ଷ ବୟସରେ ପୁଣି ଥରେ ନିଜ ପାଠ ପଢା ଆରମ୍ଭ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟି ପାରିଛନ୍ତି । ଏହା ସହ ବିଶ୍ୱର ସବୁଠୁ ବୟସ୍କ ଛାତ୍ର ହେବାର ଗୌରବ ମଧ୍ୟ ଅର୍ଜନ କରି ପାରିଛନ୍ତି ।

amma

ତାଙ୍କ ଜୀବନର କେତେ ଗୁଡିଏ ଘଟଣା କାରଣରୁ ତାଙ୍କୁ ନିଜ ପଢା କୁ ଅଧାରୁ ରଖିବାକୁ ପଡିଥିଲା । ନିଜ ମା’ଙ୍କ ମୃତ୍ୟୁ ପରେ ୪ର୍ଥ ଶ୍ରେଣୀରୁ ନିଜ ପାଠ ପଢାକୁ ବନ୍ଦ କରିବାକୁ ପଡିଥିଲା । ଖାଲି ଏତିକି ନୁହେଁ ଏହି ଛୋଟ ବୟସରୁ ନିଜ ଭାଇ ଭଉଣୀଙ୍କ ଦାୟିତ୍ୱ ନେବାକୁ ପଡିଥିଲା । ପିଲା ବେଳର ଏତେ ସଂଘର୍ଷ ପରେ ଯେବେ ଆମ୍ମା ନିଜର ଘର ସଂସାର କରିବା ଆରମ୍ଭ କରିଥିଲେ । ଠିକ ସେହି ସମୟରେ ବି ତାଙ୍କ ଉପରେ ଦୁଃଖର ଏକ କଳାବାଦଲ ଘନେଇ ଆସିଥିଲା । ଠିକ ୩୦ ବର୍ଷ ବୟସରେ ହିଁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସେତେବେଳକୁ ଆମ୍ମା ନିଜ ୬ ସନ୍ତାନଙ୍କର ମା’ ହୋଇଯାଇଥିଲେ । ଏହି ୬ ସନ୍ତାନଙ୍କର ଯତ୍ନ ନଉ ନଉ ଆମ୍ମାଙ୍କ ଜୀବନର ଏକ ଲମ୍ବା ସମୟ ଅତିବାହିତ ହୋଇଯାଇଥିଲା ।

ଏହା ସହ ପଢନ୍ତୁ: କଳା ଆମ୍ବ’ ଗଛକୁ କାଟିଲେ ବାହାରୁଥିଲା ରକ୍ତ, ଜାଣନ୍ତୁ ଏଭଳି ନାମକରଣ ପଛରେ କ’ଣ ରହିଛି କାରଣ

ଫଳରେ ପାଠ ପ୍ରତି ଥିବା ଅହେତୁକ ଦୁର୍ବଳତାକୁ ନିଜ ଭିତରେ ହିଁ ଲୁଚାଇ ରଖିବାକୁ ପଡିଥିଲା ଆମ୍ମାଙ୍କୁ । ପରେ ଜୀବନର ସଂଘର୍ଷରୁ ଟିକେ ଫୁରସତ ମିଳିବା କ୍ଷଣି ହିଁ ଆମ୍ମା ତାକୁ ପୂରଣ କରିବାକୁ ଲାଗି ପଡିଲେ । ଏଥିରେ ତାଙ୍କ ପିଲା ମାନେ ମଧ୍ୟ ଖୁବ ମନୋବଳ ବଢାଇଥିଲେ । ୧୦୫ ବର୍ଷ ବୟସରେ ପୁଣି ପାଠ ପଢା ଆରମ୍ଭ କରି ୪ର୍ଥ ଶ୍ରେଣୀ ପରୀକ୍ଷା ନିଜେ ଘରେ ବସି ହିଁ ଦେଲେ । ଆମ୍ମାଙ୍କୁ ଲେଖା ଲେଖି କରିବାରେ ଅସୁବିଧା ହେଉଥିବାରୁ ଗଣିତ, ପର୍ଯ୍ୟଟନ, ମାଲାୟାଲାମ ପ୍ରଶ୍ନ ପତ୍ର ଶେଷ କରିବାକୁ ତାଙ୍କୁ ପ୍ରାୟ ୩ଦିନ ସମୟ ଲାଗିଲା  । ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ସାନ ଝିଅ । ସ୍ଥାନୀୟ ଶିକ୍ଷକଙ୍କ କହିବା ଅନୁଯାୟୀ ମାତ୍ର ୯ ବର୍ଷ ବୟସରେ ହିଁ ଆମ୍ମାଙ୍କୁ ନିଜ ପାଠ ଛାଡିବାକୁ ପଡିଥିଲା ।

କିନ୍ତୁ ସେ ସେହି ବିଦ୍ୟାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ଭୁଲି ନାହାନ୍ତି । ତାଙ୍କ ସ୍ମରଣ ଶକ୍ତି ମଧ୍ୟ ଖୁବ ତୀକ୍ଷ୍ନ ଅଛି । ଦେଖିବାରେ ମଧ୍ୟ ତାଙ୍କୁ ବିଶେଷ କିଛି ଅସୁବିଧା ହେଉନାହିଁ । ଖାଲି ଏତିକି ନୁହେଁ ଆମ୍ମା ଖୁବ ସୁନ୍ଦର ଗୀତ ମଧ୍ୟ ଗାଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.