ଏବେ ଆର୍ଯ୍ୟନ କେଶ ଜଣେ ଓଡ଼ିଆ କ୍ୟାଡର ଅଫିସରଙ୍କ ଦାୟିତ୍ୱରେ, ଜାଣନ୍ତୁ କିଛି ତାଙ୍କ ବିଷୟରେ

ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ତଦନ୍ତ ଦାୟିତ୍ୱ ସଞ୍ଜୟ ସିଂହଙ୍କୁ ଦେଇଛନ୍ତି । ଯେବେକି ପୂର୍ବରୁ ଏହି ଦାୟିତ୍ୱରେ ସମିର ୱାଙ୍ଗଡେ ଥିଲେ । ଆପଣ ହୁଏତ ଜାଣିନଥିବେ ସଞ୍ଜୟ ହେଉଛନ୍ତି ଓଡିଶା କ୍ୟାଡରର ଜଣେ ଆଇପିଏସ ଅଫିସର । ସଞ୍ଜୟ ଏବେ ନାର୍କଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡ଼ାଇରେକ୍ଟର ଥିବାବେଳେ ସ୍ପେଶାଲ ଇନଭେସ୍ଟିଗେସନ ଟିମ ବା ଏସଆଇଟିର ମୁଖ୍ୟ ଦାୟିତ୍ୱରେ ଅଛନ୍ତି । ଆରମ୍ଭରୁ ଏପର୍ଯ୍ୟନ୍ତ ସମୀର ୱାଙ୍ଗଡେ ଏହି ଦାୟିତ୍ୱରେ ଥିବାବେଳେ ସମୀରଙ୍କ ତତ୍ତ୍ୱାବଧାନରେ ହିଁ ଏକ ଟିମ ମୁମ୍ବାଇରୁ ଗୋଆକୁ ଯାଉଥିବା ବିଳାସମୟ ଜାହାଜରେ ଚାଲିଥିବା ରେଭ ପାର୍ଟି ଉପରେ ଚଢ଼ାଉ କରି ଆର୍ଯ୍ୟନଙ୍କ ସମେତ ଅନ୍ୟମାନଙ୍କୁ ଧରିଥିଲେ । ପରେ ଏମାନଙ୍କୁ ଗିରଫ କରାଯାଇ ମୁମ୍ବଈ ସ୍ଥିତ ଆର୍ଥର ରୋଡ଼ ଜେଲରେ ରଖାଯାଇଥିଲା । ପରେ ଜାମିନ ମିଳିବା ପରେ ସେମାନଙ୍କୁ ଜେଲରୁ ଛଡାଯାଇଛି । ଏହି କେଶର ମୁଖ୍ୟ ଦାୟିତ୍ୱରେ ସମୀର ଥିବା ବେଳେ ପରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଉଠିଥିଲା ।

ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ ପାଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲ୍ଲିକ । ଏମିତି ଅନେକ ଟଣାଓଟରା ହେବା ପରେ ଶେଷରେ ୱାଙ୍ଗଡେଙ୍କ ହାତରୁ ପ୍ରାୟ ଅଧା ଡଜନ କେଶର ଦାୟିତ୍ୱ ଛଡ଼ାଇ ନିଆଯାଇ ସଞ୍ଜୟଙ୍କ ହାତରେ ଦିଆଯାଇଛି । ଏବେ ଏହି କେଶ କେଉଁ ଦିଗକୁ ଯିବ ? କେଶର ସମାଧାନ କିପରି ହେବ ଶେଷରେ ଫଳ କଣ ବାହାରିବ ? ଏବେ ତାହାକୁ ନେଇ ଚାରିଆଡେ ଚର୍ଚ୍ଚା । ଆଉ ବେଶୀ ଚର୍ଚ୍ଚା ଏଥିପାଇଁଯେ ପୁରା ଦେଶର ଆଖି ଏହି କେଶ ଉପରେ ଥିବା ବେଳେ ସଞ୍ଜୟ ହେଉଛନ୍ତି ଓଡିଶା କ୍ୟାଡ଼ରର ଜଣେ ଆଇପିଏସ ଅଫିସର । ସେ ଓଡିଶା ପୋଲିସ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ବା ସିବିଆଇରେ ଅନେକ ଅନେକ ବଡ ବଡ ଦାୟିତ୍ୱ ତୁଲାଇଛନ୍ତି । ଆସନ୍ତୁ ସଞ୍ଜୟଙ୍କ କ୍ୟାରିୟର ଉପରେ ଏକ ନଜର ପକାଇବା ।

aryan khan

– ସଞ୍ଜୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ହିନ୍ଦୁ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

– ବର୍ତ୍ତମାନ ସମୟରେ ସେ ଏନସିବିର ଡେପୁଟି ଡ଼ାଇରେକ୍ଟର ଜେନେରାଲ(DDG) ଦାୟିତ୍ୱରେ ଅଛନ୍ତି । ଚାକିରୀରୁ ଅବସର ନେବା ପର୍ଯ୍ୟନ୍ତ ଅର୍ଥାତ ୨୦୨୫ ମସିହା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ଯଦି ଏହା ମଧ୍ୟରେ ଅନ୍ୟ କୌଣସି ଅର୍ଡର ନ ଆସେ ।

– ଓଡିଶା ପୋଲିସରେ ଆଡ଼ିସିନାଲ ଡାଇରେକଟର ଜେନେରାଲ (ADG)ଭାବେ କାର୍ଯ୍ୟରତ ଥିବାବେଳେ ଏହି ଅଫିସର ଜଣକ ଡ୍ରଗ ଟାସକ ଫୋର୍ସର ମୁଖ୍ୟ ଥିଲେ । ଏହାବାଦ ସେ ଟ୍ୱିନସିଟିର ଆଡିସିନଲ କମିଶିନର ଦାୟିତ୍ୱରେ ଥିଲେ । ଏହି ଦାୟିତ୍ୱରେ ଥିବା ସମୟରେ ଶ୍ରୀ ସିଂହ ଅନେକ ଡ୍ରଗସ ରାକେଟକୁ ଧରିଥିଲେ ।

– ସେ ୨୦୧୫ ପର୍ଯ୍ୟନ୍ତ ସିବିଆଇରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ବା ଡ଼ିଆଇଜି ଥିବାବେଳେ ଅନେକ ହାଇପ୍ରୋଫାଇଲ କେଶର ତଦନ୍ତ ଭାର ସମ୍ଭାଳିଥିଲେ । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ସ୍କାମ, ମେଡ଼ିକାଲ କାଉନ୍ସିଲ ଅଫ ଇଣ୍ଡିଆ ତଥା ସିଆରପିଏଫ ନିଯୁକ୍ତିକୁ ନେଇ ଉଠିଥିବା ବିବାଦ ଗୁଡିକର ତଦନ୍ତ କରିଥିଲେ ଶ୍ରୀ ସଞ୍ଜୟ । ଏବେ ସଞ୍ଜୟଙ୍କ ତତ୍ତ୍ୱାବଧାନରେ ଆର୍ଯ୍ୟନଙ୍କ କେଶ କେଉଁ ମୋଡ ନେଉଛି ତାହା ଆଗକୁ ଦେଖିବାର କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.