Below header

ପିଲା ଜନ୍ମ କରିବାରୁ ବାହାର କରିଦେଲା କମ୍ପାନୀ, ନିଜର ବ୍ୟବସାୟ ଆରମ୍ଭ କରି କଡା ଜବାବ୍ ଦେଲେ ଏହି ମା’

ପ୍ରାୟ ଛୋଟ ଛୋଟ ସହର ଏବଂ ଗାଁରେ ବଢିଥିବା ସଫଳ ବ୍ୟକ୍ତିଙ୍କ କାହାଣୀ ଖୁବ୍ ହୃଦୟସ୍ପର୍ଶୀ ହୋଇଥାଏ । ଯାହାର ସ୍ପଷ୍ଟ କାରଣ ହେଉଛି ଏହି ଲୋକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସଂଘର୍ଷ କରିଥାନ୍ତି । ଆଉ ଯଦି କଥା କୌଣସି ମହିଳାଙ୍କର ଆସେ ତେବେ ସଂଘର୍ଷ ଅନେକ ଗୁଣା ଅଧିକ ବଢିଯାଏ । ଇକୋ ଫ୍ରେଣ୍ଡଲୀ ପ୍ରଡକ୍ଟ ତିଆରି କରି ପରିବେଶକୁ ରକ୍ଷା କରିବା ପାଇଁ ଅନବରତ ଚେଷ୍ଟାରେ ଲାଗିଥିବା ଅନାମିକା ସେନଗୁପ୍ତାଙ୍କ କାହାଣୀ କିଛି ଏମିତି । ମୁମ୍ବାଇର ଏକ ଅଂଚଳରୁ ବଢିଥିବା ଅନାମିକାଙ୍କୁ ସଫଳତାର ଶୀର୍ଷରେ ପହଂଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି । ଏବେ ଜାଣନ୍ତୁ ଅନାମିକାଙ୍କ ସଂଘର୍ଷରୁ ସଫଳତାର କାହାଣୀ ।

ଏକ ସାକ୍ଷାତକାରରେ ଅନାମିକା କହିଛନ୍ତି, ମା’ ସର୍ବଦା ପାଠ ପଢାକୁ ଗୁରୁତ୍ବ ଦିଅନ୍ତି । କବାଡି ବାଲାଙ୍କଠୁ ବହି କିଣି ପଢିବାକୁ ଦିଅନ୍ତି । କାରଣ ଆମ ନିକଟରେ ନୂଆ ବହି କଣିବାକୁ ଟଙ୍କା ନଥାଏ । ୮ମ ଶ୍ରେଣୀରେ ପହଂଚିବା ବେଳକୁ ମୁଁ ନିଜର ଏକ ଲାଇବ୍ରେରୀ ଖୋଲି ଦେଲି ଏବଂ ଅନ୍ୟ ପିଲାମାନଙ୍କୁ ବହି ସବୁ ଭଡାରେ ଦେବାକୁ ଲାଗିଲି ।

କୌଣସି ପ୍ରକାର ନିଜର ପାଠ ପଢା ସାରି ଏକ ମଲଟି ନ୍ୟାସନାଲ୍ କମ୍ପାନୀରେ ଚାକିରି କଲେ ଅନାମିକା । ୩୦ ବର୍ଷ ବୟସ ବେଳକୁ ତାଙ୍କ ନିକଟରେ ଏଚଆର୍ ଭାବରେ କାମ କରିବାର ପ୍ରାୟ ୮ ବର୍ଷର ଅନୁଭବ ହୋଇ ସାରିଥିଲା । ଯାହା ଫଳରେ ପୁରସ୍କାର ସ୍ବରୂପ ତାଙ୍କୁ କମ୍ପାନୀର ଗ୍ଲୋବାଲ୍ ରିକ୍ରୁମେଂଟ୍ ହେଡ୍ ବନାଇ ଦିଆଗଲା । ଏହା ଭିତରେ ସେ ବିବାହ କରି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ଏହା ପରେ ଆରମ୍ଭ ହେଲା ଆଉ ଏକ ସଂଘର୍ଷ । ସାମ୍ନାକୁ ଆସିଲା ଏକ ନୂଆ ସମସ୍ୟା । ପିଲା ଜନ୍ମ ହେବା ପରେ ଅନାମିକାଙ୍କୁ ଇସ୍ତଫା ଦେବା ପାଇଁ କହିଥିଲା କମ୍ପାନୀ । କାରଣ କମ୍ପାନୀକୁ ଲାଗୁଥିଲା ଏବେ ଆଉ ନିଜ କାମ ଉପରେ ଧ୍ୟାନ ଦେଇ ପାରିବେନି ଅନାମିକା ।

ଏହା ପରେ ଚାକିରି ଛାଡି ପିଲା ଉପରେ ଧ୍ୟାନ ଦେଲେ ସେ । ଏହା ଭିତରେ ଅନାମିକାଙ୍କ ମୁଣ୍ଡକୁ ଏକ ଆଇଡିଆ ଆସିଲା । ସେ ଦେଖିଲେ ପିଲାଙ୍କ କପଡା ବଦଳାଇବା ପାଇଁ ଯେଉଁ ରାପ୍ ବ୍ୟବହାର ହେଉଛି ତାହା ଆମେରିକାରୁ ଆସୁଛି । ତେଣୁ ସେ ଚିନ୍ତା କଲେ ଆମ ଦେଶ ଏତେ ସମୃଦ୍ଧ ହୋଇ ମଧ୍ୟ ଏତେ ଛୋଟ ଜିନିଷ ଆମେ ଆମେରିକା ଉପରେ ନିର୍ଭର କରୁଛେ । ଏହା ପରେ ସେ ସ୍ଥାନୀୟ ହସ୍ତଶିଳ୍ପୀ କାରିଗରଙ୍କ ସହ ସମ୍ପର୍କ କରି ବେବି ରାପ୍ ବନାଇବା ଆରମ୍ଭ କରିଦେଲେ । ଆଉ ଦୁଇ ମାସର ଅପେକ୍ଷା ପରେ ତାଙ୍କୁ ୟୁରୋପରୁ ମିଳିଲା ଅର୍ଡର । ଏହା ପରେ ଆଉ ପଛକୁ ଚାହିଁ ନାହାଁନ୍ତି ଅନାମିକା । କାଠରେ ନିର୍ମିତ ଟୁଥ୍‌ବ୍ରସ୍‌ ସହ ଅନେକ ଇକୋ ଫ୍ରେଣ୍ଡଲୀ ସାମଗ୍ରୀ ତିଆରି କରୁଛନ୍ତି । ନିଜର ସାମଗ୍ରୀ ପାଇଁ ଏକ ଫେସବୁକ୍ ପେଜ୍ ମଧ୍ୟ ବନାଇଲେ ।

ଏବେ ତାଙ୍କ ପିଲାକୁ ୪ ବର୍ଷ ହୋଇ ସାରିଲାଣି । ପିଲାଙ୍କ ଲାଳନ ପାଳନ ନିଜ ମା’ଙ୍କଠୁ ଶିଖିଥିବା କହିଛନ୍ତି ଅନାମିକା । ଆଜି ବି ନିଜ ମାଙ୍କଠୁ ନିଅନ୍ତି ପରାମର୍ଶ । ନିଜ ପୁଅକୁ ଜନ୍ମ ଦେବା ସହ ଜନ୍ମ ଦେଇଥିଲେ ନିଜ କମ୍ପାନୀକୁ । ଆଉ ଉଭୟ ଆଜି ତୀବ୍ର ଗତିରେ ବଢିବା ସହ ଉନ୍ନତି କରିଚାଲିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.