ଇଲେକ୍ଟ୍ରିସିଆନଙ୍କ ଦୁଃସାହସିକ କାମକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା, ହାତ ଯୋଡି କହିଲେ ଏମିତି କଥା

ନିକଟରେ ସମଗ୍ର ମୁମ୍ବାଇର ବିଜୁଳି ଠପ୍‌ ହୋଇପଡିଥିଲା। ମେଟ୍ରୋ ଠାରୁ ଆରମ୍ଭ କରି ସମଗ୍ର ମାୟା ନଗରୀ ଅନ୍ଧକାରମୟ ରହିଥିଲା। ଏହି କାଟ୍‌ ହୋଇଥିବା ଲାଇନକୁ କିପରି ଜଣେ ବ୍ୟକ୍ତି ପାହାଡ ମଧ୍ୟରେ ତାରରେ ଝୁଲି କିଭଳି ସଜାଡୁଛନ୍ତି ତାହାର ଏକ ଭିଡିଓ ଭାଇରଲ ହୋଇଛି। ଆଉ ଏହି ଭିଡିଓକୁ ଦେଖି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି।

ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସବୁବେଳେ ସୋସିଆଲ୍ ମିଡ଼ିଆରେ ଆକ୍ଟିଭ ରୁହନ୍ତି। ଆନନ୍ଦ ମହିନ୍ଦ୍ରା କାହାକୁ ସାହାଯ୍ୟ କରିବାରେ କିମ୍ବା କେଉଁ ବ୍ୟକ୍ତିଙ୍କ କାମକୁ ପ୍ରଶଂସା କରିବାରେ କେବେ ପଛାନ୍ତି ନାହିଁ। ଏହି ଭିଡିଓରେ ଲାଇନମ୍ୟାନ୍ ଜଣକ ପାହାଡ ଉପରେ ଥିବା ବିଜୁଳି ଲାଇନ୍ ଠିକ କରୁଥିବାର ଦେଖିବାକୁ ମିଳିଛି। ଆନନ୍ଦ ମହିନ୍ଦ୍ରା ଉକ୍ତ ଲାଇନମ୍ୟାନଙ୍କ କାମକୁ ପ୍ରଶଂସା କରି ତାଙ୍କୁ ହାତ ଯୋଡି ସଲାମ କରିଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଭିଡିଓ ସହ ହାତ ଯୋଡିଥିବା ଇମୋଜି ସେୟାର କରିଛନ୍ତି।

ଭିଡିଓ ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ଟ୍ରାନ୍ସମିଶନ କମ୍ପାନୀ ଲିମିଟେଡ଼ର ଜଣେ କର୍ମଚାରୀଙ୍କ ବୋଲି ଜଣାପଡିଛି। ଭିଡିଓରେ ଖଣ୍ଡାଲା ଅଞ୍ଚଳରେ ଏକ ଉଚ୍ଚ ଟ୍ରାନ୍ସମିଶନ ଲାଇନ ଠିକ କରୁଥିବା କର୍ମଚାରୀଙ୍କ ସାହାସିକତା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ସୂଚନା କେନ୍ଦ୍ର-ନୂଆଦିଲ୍ଲୀର ଉପ-ନିର୍ଦେଶକ ଦୟାନନ୍ଦ କାମ୍ବଲେ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଥିଲେ। ଭିଡିଓକୁ ନେଇ ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟ୍ କରିଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି, ‘ଆଗକୁ କେବେ ଅଭିଯୋଗ କରିବା ପୂର୍ବରୁ ଉଚ୍ଚ ତାରରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ଏହି ବହାଦୁର କର୍ମଚାରୀଙ୍କ ବିଷୟରେ ନିଶ୍ଚୟ ଭାବିବି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିବି।’

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ଗ୍ରୀଡ଼ରେ ସମସ୍ୟା ଯୋଗୁଁ ବିଜୁଳି ସଙ୍କଟ ଦେଖାଦେଇଥିଲା। ଯାହାଫଳରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। କୁହାଯାଉଛି ଯେ, ଏହି ୫୫ ସେକେଣ୍ଡର ଭିଡିଓ ତଟୀୟ କାଙ୍କଡ଼ ଏବଂ ପଶ୍ଚିମଘାଟ ମଧ୍ୟରେ ପଡୁଥିବା ଖଣ୍ଡାଲା ଅଞ୍ଚଳର। ବିଜୁଳି କର୍ମଚାରୀ ଯେଉଁ ଟ୍ରାନ୍ସମିଶନ ଲାଇନରେ କାମ କରୁଥିଲେ ତାହା ଭୂମିରୁ ବହୁତ ଉଚ୍ଚରେ ରହିଛି। କର୍ମଚାରୀ ସେଠାରେ ଏକା ନିଜ ଜୀବନକୁ ବାଜି ଲଗାଇ କାମ କରୁଥିଲେ।

Leave A Reply

Your email address will not be published.