ଛଅ ବର୍ଷ ପରେ କାହିଁକି ? ଭିତରେ ରହିଛି କି କିଛି ଅଲଗା ରହସ୍ୟ ? ଏବେ ଉଠୁଛି ଏହିସବୁ ପ୍ରଶ୍ନ

ପରଦାରେ ସେମାନେ ସଫଳ ଯୋଡ଼ି । ବାସ୍ତବ ଜୀବନରେ ବନିଗଲେ ଜୀବନ ସାଥୀ । ସୁପର ଷ୍ଟାର ଅନୁଭବଙ୍କ ଷ୍ଟାର ପତ୍ନୀ ହେଲେ ବର୍ଷା । ପୁଣି ସାଂସଦ ହେଲେ ଅନୁଭବ । ପ୍ରଥମେ ରାଜ୍ୟସଭା ଆଉ ପରେ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ବର୍ଷା ଷ୍ଟାର ପତ୍ନୀରୁ ପୁଣି ବନିଲେ ସାଂସଦଙ୍କ ପତ୍ନୀ । ସେମାନଙ୍କ ସୋସିଆଲ ଷ୍ଟାଟସ୍‌ ଆକାଶ ଛୁଆଁ ହେଲା । ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରି ଭଳି ଏମାନଙ୍କ ବାସ୍ତବ ଜୀବନ ମଧ୍ୟ ବେଶ୍‌ ସଫଳ ବୋଲି ଲୋକେ ଭାବି ନେଇଥିଲେ । ହେଲେ ଅଚାନକ ବିବାହର ଛଅ ବର୍ଷ ପରେ ଆସିଲା ଅଭିଯୋଗ । ତାହା ପୁଣି ସାଂଘାତିକ ଅଭିଯୋଗ ସବୁ । ପରସ୍ପର ବିରୁଦ୍ଧରେ ବିଷ ଓଗାଳିଛନ୍ତି ଏହି ଷ୍ଟାର ଦମ୍ପତି ।

ତେବେ ପ୍ରଶ୍ନ ଉଠୁଛି ଏସବୁ ଏବେ କାହିଁକି? ଯଦି ବାହାଘର ପରେ ପରେ ଉଭୟଙ୍କ ଭିତରେ ସମ୍ପର୍କ ଭଲ ନଥିଲା ଏତେଦିନ ସେମାନେ ଚୁପ୍‌ ଥିଲେ କାହିଁକି? ଏହା ଭିତରେ କିଛି ଅଲଗା ରହସ୍ୟ ନାହିଁ ତ ? ଉଭୟ ବର୍ଷା ଓ ଅନୁଭବ ଯେଉଁ ପିଟିସନ୍‌ ଦାଖଲ କରିଛନ୍ତି ତାକୁ ଯଦି ତର୍ଜମା କରାଯାଏ ତେବେ କିଛି ଏମିତି କଥା ସାମନାକୁ ଆସୁଛି ଯାହାକୁ ନେଇ ବେଶ୍‌ କିଛି ପ୍ରଶ୍ନ ଉଠିବା ସ୍ୱାଭାବିକ ।

  • ପ୍ରଶ୍ନ ୧ – ଅନୁଭବ ପ୍ରଥମେ ଜୁଲାଇ ୭ ତାରିଖରେ ଦିଲ୍ଲୀର ପାଟିଆଲ ହାଉସ୍‌ କୋର୍ଟର ଫ୍ୟାମିଲୀ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲେ । ସେତେବେଳେ ସେ କିନ୍ତୁ କଟକରେ ଥିଲେ । ଅବଶ୍ୟ ସାଂସଦ ଭାବେ ତାଙ୍କର ଠିକଣା ଦିଲ୍ଲୀ ଥିବାରୁ ସେ ସେଠାକାର କୋର୍ଟରେ ଆବେଦନ କରିଥାଇ ପାରନ୍ତି ।
  • ପ୍ରଶ୍ନ ୨- ଏହାର ଠିକ୍‌ ମାସକ ପରେ ବର୍ଷା କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଘରୋଇ ହିଂସା ଅଭିଯୋଗ ଏବଂ ଭରଣ ପୋଷଣ ଦାବି କରି ପିଟିସନ୍‌ ଦାଖଲ କଲେ । ଏହା ପଛର କାରଣ କଣ ?
  • ପ୍ରଶ୍ନ ୩- ଉଭୟଙ୍କର ବହୁତ ବଡ଼ ସୋସିଆଲ ଷ୍ଟାଟସ୍‌ ରହିଛି । ତଥାପି ସେମାନେ ସହମତିରେ କାହିଁକି ଅଲଗା ହେଲେନି ?
  • ପ୍ରଶ୍ନ-୪ ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ବର୍ଷା ତାଙ୍କ ପିଟିସନ୍‌ରେ ଛାଡ଼ପତ୍ର ପ୍ରସଙ୍ଗ ଉଠାଇ ନାହାନ୍ତି କାହିଁକି ?
  • ପ୍ରଶ୍ନ ୫- ଯଦି ଘରୋଇ ହିଂସାର ଅଭିଯୋଗ ଥିଲା ଓ ଅନୁଭବ ମାରପିଟ୍‌ ବି କରୁଥିଲେ ଜଣେ ସମାଜସେବୀ ଓ ମହିଳା ଭାବେ ବର୍ଷା ଚାହିଁଥିଲେ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଆଇନ୍‌ ଅନୁଯାୟୀ ବାନ୍ଧି ପାରିଥାନ୍ତେ । ଏକଥା କଲେ ନାହିଁ କାହିଁକି ?
  • ପ୍ରଶ୍ନ ୬- ସେ ଝିଅ ହେଉ କି ପୁଅ, ଜଣେ ବାହା ହୁଏ କାହିଁକି ? ଦୁଇଟି ମନ ଓ ଦୁଇଟି ଶରୀର ଏକ ହୁଏ । ପରସ୍ପରକୁ ବୁଝିବା ଏବଂ ପରିବାର ଗଢ଼ିବା ଲକ୍ଷ୍ୟ ଥାଏ । ହେଲେ ଉଭୟଙ୍କ ପିଟିସନ୍‌ରେ ଶାରୀରିକ ସମ୍ପର୍କକୁ ନେଇ ଦୁଇଜଣ ଯାକ ଅଭିଯୋଗ ଆଣିଛନ୍ତି । କଣ କାହାର ବି ଦେହ ଳାଲସା ନଥିଲା ? ଏମିତି କଣ ଊଣା ଥିଲା ଉଭୟଙ୍କ ଭିତରେ ଯେ ଶାରୀରିକ ସମ୍ପର୍କ ରହିଲା ନାହିଁ ? ନା ଏହା ପଛରେ ରହିଛି ଆଉ କିଛି ଗୁପ୍ତ କାରଣ ?
  • ପ୍ରଶ୍ନ ୭- ଅନୁଭବଙ୍କ ପିଟିସନ୍‌ରେ ତାଙ୍କର ସମ୍ପତ୍ତି ସମ୍ପର୍କରେ ସିବଶେଷ ବିବରଣୀ ଦିଆଯାଇଛି । ଆଉ ଏପଟେ ବର୍ଷା ଭରଣ ପୋଷଣ ପାଇଁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି ଅନୁଭବ ତାଙ୍କ ସମ୍ପତ୍ତି ବିଷୟରେ ଆଗୁଆ କାହିଁକି ଜଣାଇ ଦେଲେ ? ସନ୍ଦେହ ହେଉଛି କି ଆପୋଷ ବୁଝାମଣାରେ ଅର୍ଥ ହିଁ ଅନର୍ଥ ସୃଷ୍ଟି କରିନି ତ ? ଅର୍ଥ ପାଇଁ ଅଟକି ଯାଇନି ତ ବିବାହ ବିଚ୍ଛେଦ ?

ଏସବୁ ପ୍ରଶ୍ନ ତ ରହିଛି ହେଲେ ତା ସହିତ ଆଉ ଏକ ପ୍ରସଙ୍ଗ ହେଉଛି ସ୍ତ୍ରୀ ମାମଲା କଟକରେ ତ ସ୍ୱାମୀ ମାମଲା ଦିଲ୍ଲୀରେ । ପୁଣି ଆବେଦନରେ ଅନେକ ସାମଞ୍ଜସ୍ୟ ମଧ୍ୟ ରହିଛି । ତେବେ ଦୁଇ ମାମଲାର ବିଚାର ହେବ କେମିତି ? ଅପେକ୍ଷା କୋର୍ଟଙ୍କ ନିଷ୍ପତ୍ତିକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.