ବାପ୍‌ରେ ହାତୀର କି ରାଗ! ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଦଳିଦେଲା ହାତୀ, ଉଦ୍ଧାର କରିବା ବଦଳରେ ଲୋକେ କଲେ ଭିଡିଓ

ଜଙ୍ଗଲର ସବୁଠୁ ବୁଦ୍ଧିମାନ୍‌ ତଥା ଓଜନଦାର ଜୀବ ହେଉଛି ହାତୀ। ଖୁସି ଥିବା ବେଳେ ହାତୀ ଯେତିକି ଶାନ୍ତ, ରାଗି ଗଲେ ସେତିକି ଭୟଙ୍କର। ସୋସିଆଲ ମିଡିଆରେ ପ୍ରାୟତଃ ଆମେ ହାତୀର ମଜା ମଜା ଭିଡିଓ ଦେଖିଥାଉ। କିନ୍ତୁ ଏବେ ହାତୀର ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ସହଜରେ ବୁଝିପଡ଼ୁଛି ଯେ ହାତୀ କେତେ ରାଗି। ଏବେ ଭାଇରାଲ ହେଉଥିବା ଭିଡିଓରେ ଏକ ହାତୀ ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଥିବା ଦେଖାଯାଉଛି। କିନ୍ତୁ ଦୁଃଖର କଥା ହେଉଛି ଏହି ଦୃଶ୍ୟକୁ ଦେଖୁଥିବା ଲୋକେ ବ୍ୟକ୍ତିଙ୍କୁ ଉଦ୍ଧାର କରିବେ କ’ଣ ଏହି ଘଟଣାର ଭିଡିଓ କରୁଥିବା ଦେଖାଯାଇଛି। ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବ୍ୟଥିତ କରିଛି।

ରିପୋର୍ଟ ମୁତାବକ, ଏହି ଛାତି ଥରା ଘଟଣା ଘଟିଛି ଆସାମର ଧୁବରି ଜିଲ୍ଲାରେ। ଏଠାରେ ଏକ ଜଙ୍ଗଲୀ ହାତୀ ଜଣେ ୩୦ ବର୍ଷର ଯୁବକକୁ ଗୋଡ଼ାଇଥିଲା। ଯୁବକ ଜଣକ ତଳେ ପଡ଼ିଯିବା ପରେ ହାତୀ ତାଙ୍କୁ ଉପରକୁ ଉଠାଇ କଚାଡ଼ି ଦେଇଥିଲା। ଥରେ ନୁହେଁ ବରଂ ବାରମ୍ବାର ହାତୀଟି ଏମିତି କରିଥିଲା। ଫଳରେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଏକ ବିଶାଳ ହାତୀ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଉଛି। ହାତୀ ଆକ୍ରମଣରୁ ବର୍ତ୍ତିବାକୁ ବ୍ୟକ୍ତି ଜଣକ ଦୌଡ଼ି ଦୌଡ଼ି ତଳେ ପଡ଼ିଯାଉଛନ୍ତି। ପରେ ସେ ପୁଣିଥରେ ଠିଆ ହେଉଛନ୍ତି ଓ ଦୌଡ଼ୁଛନ୍ତି। କିନ୍ତୁ ଏଥରକ ବି ସେ ତଳେ ପଡ଼ିଯାଉଛନ୍ତି। ଏତିକି ସମୟ ମଧ୍ୟରେ ହାତୀଟି ତାଙ୍କ ପାଖକୁ ଚାଲି ଆସୁଛି। ହାତୀଟି ତାଙ୍କୁ ଏକାଧିକ ଥର ଉପରକୁ ଟେକି ତଳେ କଚାଡ଼ୁ ଥିବା ଦେଖାଯାଇଛି।

ଏ ନେଇ ବନ ଅଧିକାରୀ କହିଛନ୍ତି, ହାତୀ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ହାତୀକୁ ଜଙ୍ଗଲ ଭିତରକୁ ତଡ଼ି ଦିଆଯାଇଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ବଦଳରେ ସେଠାରେ ଠିଆ ହୋଇ ଲୋକେ ଭିଡିଓ କରୁଥିବା ଘଟଣାକୁ ଲୋକମାନେ ନିନ୍ଦା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.