ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଦଗଡ଼ ଡ୍ୟାମ, ଜଳସେଚନ ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର

ଆନନ୍ଦପୁର(କେନ୍ୟୁଜ):  ଅପରୂପ ସୌନ୍ଦର୍ଯ୍ଯ ରେ ଭରପୁର ହଦଗଡ଼ ପର୍ଯ୍ଯଟନ କ୍ଷେତ୍ର । ଆକାଶ ସହିତ ପାହାଡ ମିଳନର ପ୍ରତିଛବି ଡ୍ଯାମର ନୀଳ ଜଳରାଶିରେ ଦୃଶ୍ଯମାନ ହେବା ପରେ ଏହି ସ୍ଥାନ ଛାଡି ଯିବାକୁ ଇଚ୍ଛା ହୁଏନି ପର୍ଯ୍ଯଟକ ଙ୍କର। ଚତୁରପାର୍ଶ୍ଵ ପାହାଡ ଘେରି ମଧ୍ୟରେ ଡ୍ଯାମ ର ସୌନ୍ଦର୍ଯ୍ଯ ଭିତରେ ବଣଭୋଜି ର ମଜା ସତରେ ସମ୍ପୂର୍ଣ୍ଣ ନିଆରା। ପ୍ରକୃତିର ଏହି ମଜା ନେବାକୁ ରାଜ୍ଯ ତଥା ରାଜ୍ଯ ବାହାରୁ ହଜାର ହଜାର ସଂଖ୍ଯାରେ ପର୍ଯ୍ଯଟକ ଛୁଟି ଆସନ୍ତି ଏହି ସ୍ଥାନକୁ। ତେବେ ବର୍ତ୍ତମାନ ହଦଗଡ଼ ଡ୍ଯାମ ର କଣ ରହିଛି ପରିସ୍ଥିତି ଏବଂ ଆଉ କଣ କରିହେଲେ ଏଠି ପର୍ଯ୍ଯଟକ ସଂଖ୍ଯା ଆହୁରି ବଢି ପାରନ୍ତା ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ ରେ

ନଦୀ ଉପରେ ଡ୍ଯାମର ନିର୍ମାଣ ହୋଇଥିଲା ଚାଷୀଙ୍କ ଉପକାର ପାଇଁ ହେଲେ କିଏ ଜାଣିଥିଲା କି ଏହି ଡ୍ଯାମ ଦିନେ ପର୍ଯ୍ଯଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ। ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ଏହି ହଦଗଡ଼ ଡ୍ଯାମ। ୧୯୬୮ ମସିହାରେ ସାଳନ୍ଦୀ ନଦୀ ଉପରେ ଏହି ହଦଗଡ଼ ଡ୍ଯାମ ନିର୍ମାଣ କରାଯାଇ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ଜଳସେଚନର ବ୍ଯବସ୍ଥା କରାଯାଇଛି । ଡ୍ଯାମ ନିର୍ମାଣ କରାଯିବା ପରେ ଚତୁଃପାର୍ଶ୍ୱରୁ ବଣପାହାଡ ଘେରା ସବୁଜିମାମୟ ପ୍ରାକୃତିକ ପରିବେଶ ଓ ମଝିରେ ଜଳଭଣ୍ଡାରର ନୀଳ ଜଳରାଶି ଅତୀବ ମନୋରମ । ପର୍ଯ୍ଯଟକ ପ୍ରକୃତିର ଏହି ଦୃଶ୍ଯରେ ବିଭୋର ହୋଇ ଉଠନ୍ତି । ଡ୍ଯାମର ଦୁଇଟି ଫୁକାରରେ ବାହାରୁଥିବା ପାଣି କୁଳୁ କୁଳୁ ନାଦ କରି ନଦୀରେ ବହି ଯାଉଥିବା ବେଳେ ତାର ଦୁଇ ପାର୍ଶ୍ୱରେ ହଜାର ହଜାର ପର୍ଯ୍ଯଟକ ବଣଭୋଜିର ଆସର ଜମାଇ ଥାନ୍ତି। ଦୁଇବର୍ଷର କରୋନା କଟକଣା ପରେ ଏବେ ପର୍ଯ୍ଯଟନ ଋତୁ ଆରମ୍ଭ ହୋଇ ଯାଇଥିବାରୁ ହଦଗଡ଼ ଭଳି ପର୍ଯ୍ଯଟନସ୍ଥଳୀରେ ଲାଗିଛି ଏବେ ପର୍ଯ୍ଯଟକଙ୍କ ଭିଡ଼।

hadagara

ପ୍ରତି ବର୍ଷ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ଯନ୍ତ ଏଠାରେ ପର୍ଯ୍ଯଟକଙ୍କ ଭିଡ଼ ଜମିଥାଏ। କିଏ ଡ୍ଯାମ ଉପରେ ବୁଲାବୁଲି କରି ତ ଆଉ କିଏ ନୀଳ ଜଳରାଶିରେ ପହଁରି ମଜା ଉଠାଇ ଥାନ୍ତି। ବିଶେଷ କରି ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ଯ୍ଯଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି । କିଛି ମାସ ପୂର୍ବରୁ ସରକାର ଏଇଠାରେ ଇକୋ ରିଟ୍ରିଟ ଭଳି ପ୍ରକଳ୍ପର ପରିକଳ୍ପନା କରିଛନ୍ତି । ହେଲେ ଜଙ୍ଗଲ ବିଭାଗ ସ୍ଥାନ ନିରୂପଣ କରିପାରୁ ନଥିବାରୁ ଏଯାବତ ଏହା ଆରମ୍ଭ ହୋଇ ପାରି ନାହିଁ । ଏତେ ସଂଖ୍ଯକ ପର୍ଯ୍ଯଟକ ଆସୁଥିଲେ ମଧ୍ୟ ପର୍ଯ୍ଯଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ଭଲ ବ୍ଯବସ୍ଥା ଏଠାରେ କରାଯାଇ ନାହିଁ । ଏଠାରେ ପାନୀୟଜଳ, ଶୌଚାଳୟର କୌଣସି ବ୍ଯବସ୍ଥା ନଥିବାରୁ ପର୍ଯ୍ଯଟକମାନେ ଅସୁବିଧା ଭୋଗୁଛନ୍ତି । ଏସବୁର ସମାଧାନ କରି ହେଲେ ପର୍ଯ୍ଯଟନ କ୍ଷେତ୍ରରେ ଏହି ଡ୍ଯାମ ସର୍ବୋଚ୍ଚ ସ୍ଥାନରେ ନିଜ ନାଁ ରଖି ପାରନ୍ତା ।ପାହାଡ ପର୍ବତ ଘେରା ଅପରୂପ ସୌନ୍ଦର୍ଯ୍ଯରେ ଭରପୂର ହଦଗଡ଼ ଡ୍ଯାମ ନିଜର ସୌନ୍ଦର୍ଯ୍ଯ କାରଣରୁ ପର୍ଯ୍ଯଟକଙ୍କୁ ଆକୃଷ୍ଟ କରୁଛି । ତେବେ କିଛି ଅତ୍ୟାଆବଶ୍ଯକ ସୁବିଧା ନଥିବାରୁ ପର୍ଯ୍ଯଟକ ସମସ୍ୟାରେ ପଡୁଛନ୍ତି । ଯାହାର ସମାଧାନ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.