ଅଯୋଧ୍ଯା ନାଁ ଶୁଣିବା ମାତ୍ରେ ମନକୁ ଚାଲି ଆସେ ଉତ୍ତର ପ୍ରଦେଶ। କିନ୍ତୁ ବୋଧେ ଖୁବ କମ ଲୋକ ଜାଣିଥିବେ ଯେ ଓଡ଼ିଶାରେ ବି ଏକ ଅଯୋଧ୍ୟା ରହିଛି। ବାଲେଶ୍ୱର ସହର ଠାରୁ ପାଖାପାଖି ୨୫ କିଲୋମିଟର ଗଲେ ପଡିବ ଏହି ଗାଁଟି, ଯାହା ନୀଳଗିରି ଉପଖଣ୍ଡରେ ରହିଛି। ଏକଦା ଏହି ଗାଁ ବୈଷ୍ଣବ, ଜୈନ ଓ ବୌଦ୍ଧ ଧର୍ମର ପ୍ରମୁଖ ଉପାସନା ସ୍ଥଳୀ ଭାବେ ବିବେଚିତ ହୋଇଥିଲା। ଏଠାକାର ଶାନ୍ତ, ସୁନ୍ଦର, ସବୁଜ ପରିବେଶ ସହ ନଦ ନଦୀ, ବନାଞ୍ଚଳର ଶୋଭା ଆଧ୍ଯାତ୍ମିକ ଭାବ ସେତେବେଳେ ଅନେକଙ୍କୁ ବିମୋହିତ କରିଥିଲା। ଆଉ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏଇ ଅଯୋଧ୍ଯା।
ଅଯୋଧ୍ଯା ନାମ କରଣର ଯଥାର୍ଥତା ହେଉଛି ଯେଭଳି ଉତ୍ତର ପ୍ରଦେଶର ପ୍ରଭୁ ଶ୍ରୀରାମଙ୍କ ଭବ୍ଯନଗରୀ ଅଯୋଧ୍ଯାକୁ ସିନ୍ଧୁ, ସରଜୁ ଓ ଘର୍ଘରା ଭଳି ନଦୀମାନେ ଘେରି ରହିଛନ୍ତି ସେହିଭଳି ଏଠାରେ ମଧ୍ଯ ସିନ୍ଧୁଆ, ଶୋଣ ଓ ଘର୍ଘରା ନଦୀ ପ୍ରବାହିତ ହେଉଛି । ପ୍ରତିଟି ସୃଷ୍ଟିର ଅନ୍ତରାଳରେ ଲୁଚି ରହିଥାଏ ହଜାର ହଜାର ବର୍ଷ ତଳର ପ୍ରାଚୀନ ଇତିହାସ ଓ ଅଧ୍ଯାତ୍ମିକ ଜୀବସତ୍ତା । ଆଉ ପରବର୍ତ୍ତୀ ସମୟରେ ସେଠାରେ ଦୃଶ୍ଯମାନ ହେଉଥିବା ନିର୍ଜୀବ ଶୀଳା, ନଦୀ, ମନ୍ଦିର ପ୍ରକୃତିକୁ ଦେଖିଲେ ଏକ ମହାନ ସଭ୍ଯତା ଓ ସଂସ୍କୃତିର ଛାପକୁ ଅନୁଭବ କରିହୁଏ । ଏକଥାକୁ ଜଣାଇବାର କାରଣ ହେଉଛି ଏହି ମହାନ ଓ ସମୃଦ୍ଧ ଭୂମିର ଗୌରବ ଓ ଗରିମା ଆଜି ଇତିହାସର ମୁକସାକ୍ଷୀ ପାଲଟିଛି । କାରଣ ଏଠାକାର ମାଟି ତଳେ ରହିଥିବା ଏକ ସଭ୍ୟତା ଓ ସଂସ୍କୃତି ଠିକ ଭାବେ ଉଜାଗର ହୋଇ ପାରିନାହିଁ । ଆଜି ନିର୍ଜୀବ ପାଲଟି ଯାଇଛି । ଆଜି ବି ଏହି ଗାଁର ମାଟି, ବିଲ ଓ ପୋଖରୀକୁ ଖୋଳିଲେ ବାହାରୁଛି ସେହି ପ୍ରାଚୀନ ସମୟର ଅନେକ କୀର୍ତ୍ତିିରାଜିର ଭଗ୍ନାବଶେଷ।
ଅଯୋଧ୍ଯା ଗାଁରେ ରହିଛି ଏକ ସଂଗ୍ରହାଳୟ। ଏଠାରେ ଗାଁରୁ ସଂଗୃହୀତ ବିଭିନ୍ନ ଜୈନ, ବୌଦ୍ଧ ଓ ବୈଷ୍ଣବ ଧର୍ମର ଅନେକ ପ୍ରାଚୀନ ଶିଳା ଓ ମୂର୍ତ୍ତି ଦେଖିବାକୁ ମିଳିଛି। ଉଦ୍ଧାର ହୋଇଥିବା ଶିଳାମାନଙ୍କ ମଧ୍ଯରେ ବୁଦ୍ଧ, ଜୈନ ଓ ପରେଶନାଥ, ଶିବ ଓ ଶିବ ଲିଙ୍ଗ, ଗଣେଶ, ପାର୍ବତୀ ମୂର୍ତ୍ତି ରହିଛି। ଏଥି ସହ ସତ୍ଯବାନ ଓ ସାବିତ୍ରୀ, ବରାହ, ବୌଦ୍ଧମାନଙ୍କ ଆରାଧ୍ଯ ଦେବୀ ମୂର୍ତ୍ତି, ନିଦ୍ରାଦେବୀ ଓ ନାରାୟଣ ଆଦି ମୂର୍ତ୍ତିି ମଧ୍ୟ ରହିଛି, ଯାହା ପ୍ରମାଣ କରେ ଯେ ଅଯୋଧ୍ଯା ଏକଦା ଜୈନ, ବୌଦ୍ଧ, ଶୈବ, ବୈଷ୍ଣବ ଆଦି ଧର୍ମ ତଥା ତନ୍ତ୍ର ସାଧନାର ଏକ ସମନ୍ଵୟ ପୀଠ ରହିଥିଲା।
ଏନେଇ ଗାଁର କିଛି ବରିଷ୍ଠ ବ୍ୟକ୍ତି କହିଛନ୍ତି, ଗାଁର ବିଭିନ୍ନ ସ୍ଥାନରେ ଏବେ ବି ବହୁ ଦୁର୍ମୂଲ୍ୟ ଶିଳା ପଡି ରହିଛି। ଯେଉଁଥିରେ ଅନେକ କାରୁକାର୍ଯ୍ୟ ରହିଥିବା ଦେଖିବାକୁ ମିଳୁଛି। କିନ୍ତୁ ତାହା ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗ୍ରାମବାସୀଙ୍କ କହିବା କଥା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଦୀର୍ଘ ବର୍ଷ ପୂର୍ବରୁ ପ୍ରାଚୀନ କୀର୍ତ୍ତିରାଜିର ଆବିଷ୍କାର ପାଇଁ ପଦକ୍ଷେପ ନିଆଯାଇଥିଲା। ସେହି ସମୟରେ ସଂଗୃହୀତ ବିଭିନ୍ନ ଶିଳା ତଥା ମୂର୍ତ୍ତିକୁ ସ୍ଥାନୀୟ ସଂଗ୍ରହାଳୟରେ ରଖାଯାଇଥିଲା। ତେବେ ତା ପରେ ଯେମିତି ଏହି ଜାଗାକୁ ସମସ୍ତେ ଭୁଲି ଯାଇଛନ୍ତି। ରାଜ୍ଯ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।
ଅନ୍ୟପଟେ ଅଯୋଧ୍ଯାର ଏହି ପ୍ରାଚୀନ କୀର୍ତ୍ତିରାଜି ସମ୍ପର୍କରେ ବିଭିନ୍ନ ସମୟରେ ଐତିହାସକ ଓ ପ୍ରତ୍ନତତ୍ତ୍ୱବିତ୍ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଅଯୋଧ୍ଯାକୁ ନେଇ ସେମାନଙ୍କର ଲେଖା ଓ ପ୍ରବନ୍ଧ ପତ୍ର ପତ୍ରିକାରେ ସ୍ଥାନ ପାଇଛି । ସେମାନଙ୍କ ମଧ୍ଯରୁ କେ.ସି ପାଣିଗ୍ରାହୀ , ଏନ୍ଏନ୍ ବସୁ ଓ ଏନ୍କେ ସାହୁଙ୍କ ଲେଖାରୁ ଯାହା ଜଣା ପଡୁଛି ଅଯୋଧ୍ୟାର ସୀମା ପୂର୍ବରୁ ୧୦ ମାଇଲ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେତେବେଳେ ଏହା ପଞ୍ଚକୋଷୀ କ୍ଷେତ୍ର ଭାବରେ ପରିଚିତ ଥିଲା। ଯେହେତୁ ଏହା ବିଭିନ୍ନ ଧର୍ମର ଉପାସନା ସ୍ଥଳୀ ରହିଥିଲା ତେଣୁ ଏହାକୁ ମନ୍ଦିରର ସହର ବୋଲି କୁହାଯାଉଥିଲା । ଏବେ ସେଦିନର ମନ୍ଦିର ନଗରୀ ଜରାଜୀର୍ଣ୍ଣ ହୋଇ ପଡିଛି । ସରକାର କେବଳ ଏକ ସଂଗ୍ରହାଳୟ ଖୋଲି ଚୁପ ବସି ପଡିଛନ୍ତି । ତେଣୁ ପ୍ରଚାର ପ୍ରସାର ଅଭାବରୁ ଅନେକ ଅଯୋଧ୍ୟାର ଐତିହାସିକ ତଥ୍ୟ ଓ ସ୍ମୃତି ଲୋକଲୋଚନ ଠାରୁ ବହୁ ଦୂରରେ ରହିଯାଇଛି ।