ମା’ କିଚକେଶ୍ୱରୀଙ୍କ ପୀଠରେ ନବମୀ ପୂଜା, ଏଥରକ ଲାଗିବ ମାଛ ଭୋଗ

ଆଜି ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରରେ ପାଳିତ ହେଉଛି ନବମୀ ପୂଜା। ବାସନ୍ତୀକ ଦୁର୍ଗାପୂଜାର ନବମ ଦିନ ମା’ଙ୍କ ପୀଠରେ ଖୁବ ଧୁମଧାମରେ ପାଳିତ ହୁଏ। ଓଡ଼ିଶାର ୧୨ ଶହ ବର୍ଷ ପୁରାତନ ମା’ କିଚକେଶ୍ୱରୀ ମନ୍ଦିରରେ ଚଳିତବର୍ଷ କରୋନା ଯୋଗୁ ଫିକା ପଡ଼ିଛି ବାସନ୍ତୀକ ଦୁର୍ଗାପୂଜା। ବାସନ୍ତୀକ ଦୁର୍ଗାପୂଜାରେ ମାଆଙ୍କୁ ଅନ୍ୟ ଦିନ ଅପେକ୍ଷା ଭିନ୍ନ ରୂପରେ ସାଜସଜ୍ଜା କରାଯାଏ। ଏହି ପୂଜା ରାଜାଙ୍କ ସମୟରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇ ଆସୁଛି। ଏଥିରେ ମନ୍ଦିରର ପରିଛା ଅଜୟ ସାହୁ ପରିଚାଳନା ଦାୟିତ୍ବରେ ଥିବା ବେଳେ ପୂଜକ ଧବଳେଶ୍ଵର ପାଣିଗ୍ରାହୀ, ଦିଲୀପ ପାଣିଗ୍ରାହୀ, ପଣ୍ଡିତ ସୁବାଷ ପାଣିଗ୍ରାହୀ ଓ ଦେହୁରୀ ବସନ୍ତ ପୂଜାର୍ଚ୍ଚନା କରିଥାଆନ୍ତି ଓ ଅନ୍ୟ ସେବାୟତମାନେ ସାହାଯ୍ୟ କରିଥାନ୍ତି। ରାଜାଙ୍କ ସମୟରେ ବ୍ୟବହାର କରାଯାଉଥିବା ଖଣ୍ଡାଗୁଡିକ ଅସ୍ତ୍ର ଭଣ୍ଡାରରେ ରଖାଯାଉଥିବା ବେଳେ ବାସନ୍ତୀକ ପୂଜା ଦିନ ତାହା ଭଣ୍ଡାର ଘରୁ ବାହାରିଥାଏ। ବାଜା ବଜାଇ ପୂଜାର୍ଚ୍ଚନା କରିବା ପରେ ଅସ୍ତ୍ରଶସ୍ତ୍ରକୁ ମନ୍ଦିରକୁ ଅଣାଯାଇ ମା’ଙ୍କ ନିକଟରେ ସ୍ଥାପନ କରାଯାଇଥାଏ।

khiching

ପୁଣି ସନ୍ଧ୍ୟାରେ ଆଳତି ସରିବା ପରେ ମା’ଙ୍କୁ ମହାସ୍ନାନ କରିବା ପରେ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା କରାଯାଇଥାଏ। ରାତିରେ ଷୋଳଶ ଉପଚାର ପୂଜାର୍ଚ୍ଚନା କରାଯାଏ। ଏଥି ସହିତ ବେଳବରଣୀ ପୂଜା ,ଗୁପ୍ତପୂଜା, ନିଶାପୂଜା, ନବପତିକାର, ନବମାତୃକା, ପୂଜାର୍ଚ୍ଚନା କରିବା ସହିତ ବିଳମ୍ବିତ ରାତିରେ ଚଣ୍ଡୀ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପୂଜାର୍ଚ୍ଚନାରେ ମା’ଙ୍କ ପାଖରେ ଭୋଗ ଭାବେ ଖେଚୁଡ଼ି, କ୍ଷୀରି, ଡାଳି ଓ ବିଭିନ୍ନ ପ୍ରକାର ଫଳ ସହିତ ମାଛ ଭୋଗ ମଧ୍ୟ ଲାଗିଥାଏ। ମା’ ହେଉଛନ୍ତି ଚାମୁଣ୍ଡା ମୂର୍ତ୍ତି। ବର୍ଷ ଭିତରେ ଅନେକ ପୂଜା ଭିତରେ ମା’ଙ୍କ ଦୁଇଟି ବଡ଼ ପୂଜା ହେଇଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ଶାରଦୀୟ ଦୁର୍ଗାପୂଜା ଓ ଅନ୍ୟଟି ବାସନ୍ତୀକ ପୂଜା। ଆଗରୁ ମାଙ୍କ ପାଖରେ ପଶୁ ବା ବୋଦା ପୂଜା କରାଯାଉଥିଲା। କାଳକ୍ରମେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ପୂଜାର୍ଚ୍ଚନା ସମୟରେ ମହୁରୀ, ଶଙ୍ଖ, ଢୋଲ, ନାଗରା ପ୍ରଭୃତି ବଜାଇ ମା’ଙ୍କୁ ଆରାଧନା କରାଯାଏ। ଏହି ପୂଜାର୍ଚ୍ଚନାର ସମସ୍ତ ଖର୍ଚ୍ଚ ମନ୍ଦିରର ଟ୍ରଷ୍ଟି ବା କରଞ୍ଜିଆ ଉପଜିଲ୍ଲାପାଳ ଡ଼ଃ ରଜନୀକାନ୍ତ ବିଶ୍ୱାଳ ବହନ କରିଥାନ୍ତି।

ଏଠାରେ କହି ରଖୁଛୁ ଯେ ଖିଚିଂ ମନ୍ଦିର କଳା ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଏହା ବିଶ୍ଵର ଏକମାତ୍ର ମନ୍ଦିର ଯାହା ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଏହି ମନ୍ଦିର ୯୨୦ ରୁ ୯୨୬ ଖ୍ରୀଷ୍ଟାବ୍ଦରେ ସ୍ଥାପନ କରାଯାଇଥିବା ପ୍ରମାଣ ମିଳେ। ତେବେ କରୋନା ଯୋଗୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.