ଭୁବନେଶ୍ୱରୁ ପୁରୀ ବସ୍‌ ଭଡ଼ା ୧୦୦ ଟଙ୍କା, ସାମାଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଲଂଘନ; ଯାତ୍ରୀ ହତାଶ

ଲକ୍‌ଡାଉନ୍‌ ଖୋଲିବା ପରେ ଏବେ ପ୍ରାୟତଃ ଜନଜୀବନ ପୂର୍ବବତ୍‌ ସ୍ୱାଭାବିକ ହୋଇଛି। ରାସ୍ତାରେ ଗାଡ଼ି ମଟର ଚାଲିବା ଆରମ୍ଭ କଲାଣି। ସେହିଭଳି ଅଫିସ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିଲାଣି। ଦୋକାନ ବଜାର ସବୁକିଛି ସ୍ୱାଭାବିକ୍‌ ହେଲାଣି। ଧୀରେ ଧୀରେ ଲୋକେ ବି କରୋନାକୁ ନେଇ ଚଳିବା ଆରମ୍ଭ କଲେଣି। ତଥାପି ମନରେ ସଂକ୍ରମଣକୁ ନେଇ ଭୟ ରହିଛି। ଏଣୁ ବସ୍‌, ଟ୍ରେନ୍‌, ଅଟୋ ଆଦି ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଲୋକମାନେ ଡରୁଛନ୍ତି ଓ ନିଜ ନିଜ ପର୍ସନାଲ ଗାଡ଼ିରେ ଯିବା ଆସିବା କରୁଛନ୍ତି।

କିନ୍ତୁ ସମସ୍ତଙ୍କ ପାଖରେ ନିଜର ଗାଡ଼ି ନଥିବାରୁ ଏବେ ବି କିଛି ଲୋକ ଦୂରଯାତ୍ରା କରିବାକୁ ବସ୍‌, ଟ୍ରେନ୍‌ ଆଦି ବ୍ୟବହାର କରୁଛନ୍ତି। ଯାହାର ସୁଯୋଗ ନେଇ ବସ୍‌ କର୍ମଚାରୀମାନେ ତାଙ୍କୁ ଲୁଟିବା ଆରମ୍ଭ କରିଛନ୍ତି। ଦୀର୍ଘ ୬ ମାସ ଧରି ବସ୍‌ ଚଳାଚଳ ବନ୍ଦ ଥିବାରୁ ବସ୍‌ ମାଲିକମାନେ ଅଳ୍ପ ଦିନ ମଧ୍ୟରେ ଖର୍ଚ୍ଚ ଉଠାଇବାକୁ ନୂଆ ଯୋଜନା କରିଛନ୍ତି। ଏଣୁ ସେମାନେ ବସ୍‌ ଯାତ୍ରୀଙ୍କ ଠାରୁ ଦୁଇ ଗୁଣ ଅଧିକ ଟଙ୍କା ନେଉଛନ୍ତି। କେବଳ ଏତିକି ନୁହେଁ, ସାମାଜିକ ଦୂରତ୍ୱକୁ ବି ପାଳନ କରୁନାହାନ୍ତି।

bus3

ସରକାରଙ୍କ ନିର୍ଦ୍ଦେଶ ମୁତାବକ ବସ୍‌ ମାଲିକମାନେ ବସ୍‌ ଚଲାଇ ପାଇଁ ଗାଇଡ୍‌ ଲାଇନ୍‌ ପାଳନ କରିବା ଜରୁରୀ। ଗାଇଡ୍‌ଲାଇନ୍‌ ପାଳନ ନ କଲେ ବସ୍‌କୁ ଗଡ଼ିବାକୁ ଦିଆଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଲୋଭୀ ବସ୍‌ ମାଲିକମାନେ ନିଜ ଲାଭ ପାଇଁ ଯାତ୍ରୀଙ୍କ ଜୀବନକୁ ବିପଦକୁ ଠେଲିବାକୁ ବି ପଛାଉନାହାନ୍ତି। ଏବେ ବି ଲୋକାଲ ବସ୍‌ ତଥା ପୁରୀ-ଭୁବନେଶ୍ୱର, ପୁରୀ-କଟକ ବସ୍‌ରେ ଯାତ୍ରୀମାନେ ଗୋରୁଗାଈ ଭଳି ଭର୍ତ୍ତି ହୋଇ ଯାଉଛନ୍ତି।

ଏଥିସହ ବସ୍‌ ଭଡ଼ା ରହିଛି ଦୁଇଗୁଣ। ପୂର୍ବରୁ ପୁରୀରୁ ବରମୁଣ୍ଡାକୁ ବସ୍‌ ଭଡ଼ା ୫୦ ଟଙ୍କା ଥିବା ବେଳେ ଏବେ ତାହା ୧୦୦ ଟଙ୍କା ହୋଇଛି। ସେହିପରି ଯଦି କେହି କଳ୍ପନାରୁ ପୁରୀ ଯିବେ ତେବେ ତାଙ୍କଠୁ ୮୦-୯୦ ଟଙ୍କା ଦାବି କରାଯାଉଛି। କାମ ଥିବାରୁ ବାଧ୍ୟ ହୋଇ ଯାତ୍ରୀମାନେ ଏତେ ଟଙ୍କା ଦେଇ ଯାଉଛନ୍ତି। ଏନେଇ କଳ୍ପନାରୁ ପୁରୀ ଯାଉଥିବା ଜଣେ ଯାତ୍ରୀ କହିଛନ୍ତି ବାପା-ମା’ଙ୍କ ଚେକ୍‌ଅପ୍‌ ପାଇଁ ତାଙ୍କୁ ଭୁବନେଶ୍ୱର ଆଣି ଆଣିଥିଲି, ସାଙ୍ଗରେ ଧର୍ମପତ୍ନୀ ବି ଆସିଥିଲେ। ଆମେ ଚାରି ଜଣ ଆସିବା ପାଇଁ ୪୦୦ ଟଙ୍କା ଦେଇଥିବା ବେଳେ ଏବେ ଯିବା ପାଇଁ ବି ସେତିକି ଦେଲୁ। ଆମେ ଗରିବ ଲୋକ ଯଦି ଯିବା ଆସିବା ପାଇଁ କେବଳ ୮୦୦ ଟଙ୍କା ଦେବୁ ତେବେ ଚିକିତ୍ସା କ’ଣ କରିବୁ। ଏଠିକି ଆସି ସକାଳୁ ପାଣି ବୋତଲ ହିଁ କିଣିଛୁ। ଖାଇବାକୁ ବି ଟଙ୍କା ନାହିଁ। ଏବେ ଘରକୁ ଗଲେ ହିଁ କିଛି ଖାଇବୁ। ବସ୍‌ କଣ୍ଟ୍ରକ୍ଟରଙ୍କୁ ଟଙ୍କା କାଟିବାକୁ କହିବାରୁ ଧମକ ଦେଉଛନ୍ତି ଓହ୍ଲେଇ ଯାଅ। ମାତ୍ର ଦୁଇ ଘଣ୍ଟାକୁ ଗୋଟିଏ ଲେଖାଏଁ ବସ୍‌ ଥିବାରୁ ବୁଢ଼ା ବାପା ମା’ଙ୍କୁ ନେଇ କୋଉଠି ବସିବୁ? ବାଧ୍ୟ ହୋଇ ମୁଣ୍ଡ ପିଛା ୧୦୦ ଟଙ୍କା ଲେଖାଏଁ ଦେଇ ଫେରିଯାଉଛୁ।

bus2

ତେବେ କେବଳ ଏହି ଜଣେ ନୁହେଁ ସମସ୍ତ ଯାତ୍ରୀଙ୍କର ଏହି ଦୁର୍ଦ୍ଦଶା। ଏତେ ଟଙ୍କା ନିଅନ୍ତୁ ପଛେ କିନ୍ତୁ ସାମାଜିକ ଦୂରତ୍ୱ ହେଲେ ଟିକେ ରଖନ୍ତୁ ବୋଲି ଆଉ ଜଣେ ଯାତ୍ରୀ କହିଛନ୍ତି। ତେବେ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.