ଚତୁର୍ମାସରେ ନିଦ୍ରା ଯିବେ ଭଗବାନ ବିଷ୍ଣୁ; ଏହା ପୂର୍ବରୁ ଜାଣି ରଖନ୍ତୁ କେଉଁ ୮ଟି କାମ କରିବେ ନାହିଁ

ଚଳିତ ବର୍ଷ ଜୁଲାଇ ୧୦ ରବିବାରଠାରୁ ଚତୁର୍ମାସ ଆରମ୍ଭ ହେଉଛି। ଏହି ଦିନ ଦେବଶୟନୀ ଏକାଦଶୀ ମଧ୍ୟ ପଡ଼ୁଛି। ଦେବଶୟନୀ ଏକାଦଶୀ ଦିନଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ ଏବଂ ସେ ୪ ମାସ ପର୍ଯ୍ୟନ୍ତ ଏହି ଯୋଗରେ ହିଁ ରହିବେ। ଭଗବାନ ବିଷ୍ଣୁ ଶୋଇଥିବା କାରଣରୁ ଏହି ୪ ମାସ କାଳ କୌଣସି ବି ମାଙ୍ଗଳିକ କାର୍ଯ୍ୟ ହେବନାହିଁ।

ସନାତନ ଧର୍ମରେ ପ୍ରତି ମାସ, ସପ୍ତାହ ଓ ତିଥି ସ୍ୱତନ୍ତ୍ର ହୋଇଥାଏ। ସବୁ ବାରର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ ସହ ଭିନ୍ନ ଭିନ୍ନ ମାନ୍ୟତା ଜଡ଼ିତ ରହିଛି। ଏଭଳି କିଛି ମାନ୍ୟତା ଚତୁର୍ମାସ ସହ ବି ରହିଛି। ଚତୁର୍ମାସ ଆରମ୍ଭ ହେଲେ ସବୁ ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ।

ଚଳିତ ବର୍ଷ ଦେବଶୟନୀ ଏକାଦଶୀ ତିଥି ବା ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଜୁଲାଇ ୯ ଅପରାହ୍ନ ୪ଟା ୩୯ରୁ ଆରମ୍ଭ ହୋଇ ଜୁଲାଇ ୧୦ ଦ୍ୱିପ୍ରହର ୨ଟା ୧୩ ପର୍ଯ୍ୟନ୍ତ ରହିବ। ଆଜି ଆମେ ଆପଣଙ୍କୁ କହିବୁ, ଚତୁର୍ମାସରେ କେଉଁ ସବୁ କାର୍ଯ୍ୟ କରିବାକୁ ମନା କରାଯାଇଛି।

ଚତୁର୍ମାସରେ କରନ୍ତୁ ନାହିଁ ଏହି କାର୍ଯ୍ୟ

-ଚତୁର୍ମାସରେ ବିବାହ, ନିର୍ବନ୍ଧ, ମୁଣ୍ଡନ, ଗୃହ ପ୍ରବେଶ, ଉପନୟନ ସଂସ୍କାର ଆଦି ମାଙ୍ଗଳିକ କାର୍ଯ୍ୟ କରାଯାଇ ନ ଥାଏ। ଏହା ପାଳନ ନ କଲେ ଅଶୁଭ ଫଳ ମିଳିଥାଏ।

-ଏହି ୪ ମାସରେ ବ୍ରହ୍ମଚାର୍ଯ୍ୟ ନୀତି ପାଳନ କରିବା ଉଚିତ। ବ୍ରତର ନିୟମଗୁଡ଼ିକୁ ଅବମାନନା କରିବା ଉଚିତ ନୁହେଁ।

-ଯଦି ଆପଣ ବିବାହିତ/ବିବାହିତା, ତା’ ହେଲେ ଚତୁର୍ମାସରେ ନିଜ ସାଥୀଙ୍କ ସହ ସହବାସରୁ ଦୂରେଇ ରୁହନ୍ତୁ।

-ଯଦି ଆପଣ ଚତୁର୍ମାସ ବ୍ରତ କରୁଛନ୍ତି, ତା’ ହେଲେ ଏହି ସମୟରେ ପଲଙ୍କ କିମ୍ବା ଦରି ଉପରେ ଶୁଅନ୍ତୁ ନାହିଁ।

-ଚତୁର୍ମାସରେ ଶ୍ରାବଣ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହା ଭଗବାନ ଶିବଙ୍କ ପ୍ରିୟ ମାସ ହୋଇଥାଏ। ଏମିତିରେ ଯଦି ଆପଣ ବ୍ରତ ରଖୁଛନ୍ତି, ତା’ ହେଲେ ଏହି ମାସରେ କେଶ, ଦାଢ଼ି, ନଖ ଆଦି କାଟନ୍ତୁ ନାହିଁ।

-ଭଗବାନଙ୍କୁ ଭକ୍ତି କରନ୍ତୁ। କାହା ପ୍ରତି ଘୃଣା ମନୋଭାବ, କଟୁକଥା, ଲୋଭ, ମୋହ, ଘମଣ୍ଡ ଆଦି ରଖନ୍ତୁ ନାହିଁ।

-ଧାର୍ମିକ ମାନ୍ୟତା ଅନୁସାରେ, ଚତୁର୍ମାସରେ ଯଦି ଆପଣ ବ୍ରତ ପାଳନ କରୁଛନ୍ତି, ତା’ ହେଲେ ଦୂର ଯାତ୍ରା ଆଦିଠାରୁ ଦୂରେଇ ରୁହନ୍ତୁ।

-ଏହି ୪ ମାସରେ ଆପଣ ମାଂସ, ମଦ, ଧୂମପାନ, ପିଆଜ, ରସୁଣ ଆଦି ସେବନ କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.