ଚୁଇଁଗମ୍ରେ କଳାକୃତି, ୧୦୦୦ରୁ ଊର୍ଦ୍ଧ୍ୱ ବ୍ୟବହୃତ ଚୁଇଁଗମ୍ରେ କାରିଗରୀ ଦେଖାଇଛନ୍ତି ଏହି ବ୍ୟକ୍ତି
ଚୁଇଁଗମ୍କୁ ଚୋବାଇ ସାରିବା ପରେ ଲୋକମାନେ ତାହାକୁ ଫିଙ୍ଗି ଦେଇଥାନ୍ତି। ଏହା କେତେବେଳେ କାହା ପାଦରେ ଲାଗେ ତ କାହା ହାତରେ। ଛାଡ଼ିବାକୁ ସମସ୍ୟା ହେଉଥିବାରୁ ଥରେ ଦେହରେ ଲାଗିଲେ ଲୋକେ ବିରକ୍ତ ହୋଇଯାଆନ୍ତି ଓ ଛଡ଼ାଇବାକୁ ନାନାଦି ଉପାୟ ଆପଣାଇଥାନ୍ତି। କିନ୍ତୁ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯିଏ ଚୋବାଇସାରିବା ପରେ ଫିଙ୍ଗାଯାଇଥିବା ଚୁଇଁଗମ୍କୁ ଭଲ ପାଆନ୍ତି ଓ ସଂଗ୍ରହ କରିଥାନ୍ତି। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ।
ଲଣ୍ଡନର ଜଣେ ବ୍ୟକ୍ତି ଚୁଇଁଗମ୍ ସଂଗ୍ରହ କରି ଏହା ଉପରେ କଳାକୃତି କରୁଥିବା ଦେଖିବାକୁ ମିଳିଛି। ଲଣ୍ଡନରେ ରହୁଥିବା ବେନ୍ ଓ୍ଵିଲସନ୍ ଲୋକମାନେ ଚୋବାଇ ସାରି ଫିଙ୍ଗିଥିବା ଚୁଇଁଗମ୍ରେ ନିଜ କଳା କାରିଗରୀର ନମୁନା ଦେଖାଇଛନ୍ତି। ୫୭ ବର୍ଷୀୟ ଓ୍ଵିଲସନ୍ ଗତ ୧୫ ବର୍ଷ ଧରି ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ସେଠାରୁ ଫିଙ୍ଗାଯାଇଥିବା ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଚୁଇଁଗମ୍ ସଂଗ୍ରହ କରିଛନ୍ତି।
ଓ୍ଵିଲସନ୍ କହିଛନ୍ତି ଯେ ସେ ଚୁଇଁଗମ୍କୁ ପୁନଃବ୍ୟବହାରକ୍ଷମ କରିବାକୁ ଏଭଳି ଅଦ୍ଭୁତ କାମ କରୁଛନ୍ତି। ସେ କହିଛନ୍ତି ଲୋକମାନେ ଯାହାକୁ ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ମୁଁ ସେଥିରେ ନୂଆ ନୂଆ କଳାକୃତି କରୁଛି। ଚୁଇଁଗମ୍ ଉପରେ କରାଯାଇଥିବା କଳା ରିସଇକେଲର ଏକ ରୂପ ବୋଲି ସେ କହିଛନ୍ତି।
ଅଧିକାଂଶ କଳାକୃତି ସେ ଲଣ୍ଡନ୍ର ଥେମ୍ସ ନଦୀ କୂଳରେ ବସି କରିଥାନ୍ତି। ପୂର୍ବରୁ ସେ କାଠରେ ମଧ୍ୟ ନିଜ କଳା ଦର୍ଶାଇସାରିଛନ୍ତି। ଏବେ ସେ ଚୁଇଁଗମ୍ରେ ନିଜ କଳା ଦର୍ଶାଉଛନ୍ତି। ଓ୍ଵିଲସନ୍ଙ୍କ ଏହି କଳା ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକ ଆସିଥାନ୍ତି। ଏଭଳି ଏକ ନିଆରା କାମ ପାଇଁ ଓ୍ଵିଲସନ୍କୁ କିଛି ଲୋକ ଚୁଇଁଗମ୍ ମ୍ୟାନ୍ ମଧ୍ୟ କହୁଛନ୍ତି। ସେ କହିଛନ୍ତି ଯେ ଏହି କଳାକୃତି ପାଇଁ କୌଣସି ଜିନିଷ କିଣିନଥାନ୍ତି କି କାହାଠାରୁ ଟଙ୍କା ମଧ୍ୟ ନେଇନଥା’ନ୍ତି। ସମସ୍ତ ପୁରୁଣା ତଥା ଅବ୍ୟବହୃତ ବାଲ୍ଟି, ରଙ୍ଗ, ବ୍ରଶ ଓ ବାର୍ଣ୍ଣିସ୍ ବୋତଲ ନେଇ ସେ ଚୁଇଁଗମ୍ କଳାକୃତି କରିଥାନ୍ତି ବୋଲି କହିଛନ୍ତି ଓ୍ଵିଲସନ୍।