ଆଉ ଫାଟିବନି ସିଲିଣ୍ଡର ! କନଫିଡେନ୍ସ ପେଟ୍ରୋଲିୟମ୍ ଇଣ୍ଡିଆ ଲିମିଟେଡର ବ୍ଲାଷ୍ଟ ପ୍ରୁଫ୍ ସିଲିଣ୍ଡର୍

ଏଲପିଜି ଗ୍ୟାସ ବ୍ୟବହାରକାରୀଙ୍କୁ ଆଉ ରହିବନି ସିଲିଣ୍ଡିର ଫାଟିବାର ଚିନ୍ତା । ଜାଣି ଖୁସି ହେବେ ମାର୍କେଟକୁ ଏଭଳି ଏକ ସିଲିଣ୍ଡର୍ ଆସିଛି ଯାହା ସମ୍ପୂର୍ଣ୍ଣ ବ୍ଲାଷ୍ଟ ପ୍ରୁଫ୍ । ଏହି ସିଲିଣ୍ଡର ଖାସିୟତ ହେଉଛି, ଏହା ଖୁବ ଶସ୍ତା ଓ ହାଲୁକା । ସିଲିଣ୍ଡରେ ଏଭଳି ବ୍ୟବସ୍ଥା ହୋଇଛି, ଯେଉଁଥିରୁ ଜଣେ ବିନା ଓଜନରେ ଜାଣି ପାରିବ, ସିଲିଣ୍ଡରରେ କେତେ ଗ୍ୟାସ ଅଛି ।
ଭାରତରେ ଏବେ ଘରେ ଘରେ ଏଲପିଜି ଗ୍ୟାସ ସିଲିଣ୍ଡର । ସେ ଧନୀ ହୁଅନ୍ତୁ କି ଗରିବ ପ୍ରତ୍ୟୋକ ପରିବାରରେ ଏଲପିଜି ଗ୍ୟାସ ଲୋକାଦୃତ । ଜନସଂଖା ସହ ଏଲପିଜି ଗ୍ୟାସ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଲାଣି । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ମାଧ୍ୟମରେ ଏବେ ଘରେ ଘରେ ଗ୍ୟାସ ପହଞ୍ଚାଯାଉଛି । ବ୍ୟବସ୍ଥା ଏହିଭଳି ହୋଇଛି, ଯେ ଗୋଟିଏ ଫୋନରେ ଘରକୁ ଆସି ପହଞ୍ଚି ଯାଉଛି ସିଲିଣ୍ଡର୍ । ଲୋକେ କାଠ ଚୁଲିରୁ ତ ନିସ୍ତାର ପାଇଛନ୍ତି । ହେଲେ ଏତେ ସବୁ ବ୍ୟବସ୍ଥା ଭିତରେ ଗ୍ୟାସ ସିଲିଣ୍ଡର୍ ଜନିତ ଦୁର୍ଘଟଣାକୁ କେହି ବି ରୋକି ପାରୁନାହାନ୍ତି । ଟିକିଏ ଅସାବଧାନତାର ଭୟଙ୍କର ପରିଣତି ପ୍ରତ୍ୟେକ ଦିନ ଆମେ ଦେଖୁଛେ । ଏଭଳି ସ୍ଥିତିରେ ଏଲପିଜି ଗ୍ୟାସ ସିଲିଣ୍ଡିର ବ୍ୟବହାର କରିବା ଅନେକଙ୍କ ପାଇଁ ଏବେ ଚିନ୍ତା । ହେଲେ ଲୋକଙ୍କ ଏହି ଚିନ୍ତାକୁ ଦୂର କରିବାକୁ ଯାଉଛି ଭାରତୀୟ କମ୍ପାନୀ କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡ୍ । ଏହି କମ୍ପାନୀ ବଜାରକୁ ଆଣିଛି ବ୍ଲାଷ୍ଟ ପ୍ରୁଫ୍ ସିଲିଣ୍ଡର୍ । ମାନେ ଏଭଳି ଏକ ସିଲିଣ୍ଡର୍ ଯାହା ଫାଟିବାର କୌଣସି ଡର କି ଭୟ ନାହିଁ ।
କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡ୍ ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ ସହ ମିଶି ଏହି ସିଲିଣ୍ଡର ତିଆରି କରିଛି । ଯାହାର ନାଁ ରହିଛି ‘ଗୋ ଗ୍ୟାସ ଏଲିଟ୍’ । ଏହି ସିଲିଣ୍ଡର ଖାସିୟତ ହେଉଛି, ଏହା ସାଧାରଣ ସିଲିଣ୍ଡର ଠାରୁ ହାଲୁକା ଓ ପାରଦର୍ଶୀ । ସାଧାରଣତଃ ଏହି ସିଲିଣ୍ଡର ତିଆରି ବେଳେ ଏଭଳି କିଛି ମଟେରିୟଲର ବ୍ୟବହାର କରାଯାଇଛି, ଯାହା ଦ୍ୱାରା ସିଲିଣ୍ଡର୍ ବ୍ଲାଷ୍ଟ ହୋଇପାରିବ ନାହିଁ । କେବଳ ସେତିକି ନୁହେଁ ସିଲିଣ୍ଡରରେ ଏଭଳି ବ୍ୟବସ୍ଥା ରହିଛି, ଯେଉଁଥିରୁ ଜଣେ ଜାଣିପାରିବ ସିଲିଣ୍ଡରରେ କେତେ ମାତ୍ରାରେ ଗ୍ୟାସ୍ ଅଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଅନ୍ୟ ଷ୍ଟିଲ ସିଲିଣ୍ଡର ଅପେକ୍ଷା ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଖାସ କରି ସାଧାରଣ ବର୍ଗର ଲୋକଙ୍କ ପାଇଁ ଏହି ସିଲିଣ୍ଡର ତିଆରି କରାଯାଇଛି । ସେଥିପାଇଁ ତ ଅନ୍ୟ ସିଲିଣ୍ଡର ଠାରୁ ଏହା ଖୁବ ଶସ୍ତା ମଧ୍ୟ । ଏହାର ଦାମ ରହିଛି ୯୦୦ରୁ ୧୮୦୦ ପର୍ଯ୍ୟନ୍ତ ।କମ୍ପାନୀ ଏହି ସିଲିଣ୍ଡରକୁ ୫୮ରୁ ଅଧିକ ଦେଶକୁ ବିତରଣ କରିବାକୁ ଲକ୍ଷ୍ୟ ରଖିଛି । ଖୁବ ଶୀଘ୍ର ଏହି ସିଲିଣ୍ଡର ଭାରତର ଘରେ ଘରେ ପହଞ୍ଚିବ । ପ୍ରାଥମିକ ପର୍ଯାୟରେ ୨୨ଟି ରାଜ୍ୟରେ ଏହା ଉପଲବ୍ଧ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ବଜାରରେ ଆପଣ ଗୋ ଗ୍ୟାସ ଏଲିଟର ଛୋଟରୁ ବଡ ସବୁ ଆକାରର ସିଲିଣ୍ଡର୍ ପାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ୨, ୫, ୧୦, ୨୦ କିଲୋ କାପାସିଟିର ସିଲିଣ୍ଡର ବିତରଣ କରିବାକୁ କମ୍ପାନୀ ନିସ୍ପତ୍ତି ନେଇଛି ।