Below header

ବୋନସାଇ ବାଦଶାହ ରମେଶ ମହାନ୍ତିଙ୍କ କାହାଣୀ ବେଶ୍‌ ନିଆରା

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ବୋନସାଇ ବା ବାମନ ଗଛ ସବୁର ଦାମ୍‌ ଲକ୍ଷ ଲକ୍ଷ ଟଙ୍କା । ହେଲେ ବୃକ୍ଷପ୍ରେମୀ ରମେଶ ମହାନ୍ତି କିନ୍ତୁ ଏହାକୁ ବ୍ୟବସାୟ ଭାବେ ନେଇ ନାହାନ୍ତି । ଆଉ କିଛି ସଉକ ରଖିଥିଲେ ମଧ୍ୟ ଏଇ ବୋନସାଇ ତାଙ୍କର ସବୁ କିଛି ।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରର କୋଠା ଘରଟିଏ l ଘର ଛାତ ଉପରେ ଯୁଆଡେ ଦେଖିବ ଚାରିଆଡେ ଖାଲି ଅନେକ ଛୋଟ ଛୋଟ ଗଛ ଆଉ ଗଛ। ସେଗୁଡିକ ପୁଣି ବିଭିନ୍ନ ପ୍ରକାର ସୁନ୍ଦର ପାତ୍ରରେ ସଜା ହୋଇ ରଖା ଯାଇଛିl କେଉଁଠି ପଥର ଦେହରେ ଗଛ ଉଠିଛି ତ ଆଉ କେଉଁଠି ଗଛ ଗୁଡିକର ଶାଖାକୁ ତାରରେ ବନ୍ଧା ଯାଇଛି । ବେଶ କୌତୁକିଆ ଲାଗୁଥିଲା ଗଛ ଗୁଡିକୁ ଦେଖିବା ପାଇଁ । ଗଛ ଗୁଡିକ ଭିତରେ କେଉଁଟି ଅଶ୍ଵସ୍ଥ ତ ପୁଣି କେଉଁଟା ବର ଗଛ ଥିଲା । ସବୁଗୁଡ଼ିକ ଛୋଟ ଛୋଟ ଅର୍ଥାତ୍‌ ବାମନ । ରାସ୍ତା କଡ଼ରେ ବିଶାଳ ଆକାର ଧାରଣ କରୁଥିବା ବର ଏବଂ ଓସ୍ତ ଭଳି ଗଛ ସବୁ ଯେମିତି ବୋଲ ମାନି ଏଇଠି କୁନି ପିଲା ଭଳି ରହିଛନ୍ତି । ଏହି ଭଳି ଅନେକ ପ୍ରକାର ଗଛ ଧାଡି ଧାଡି କରି ସଜେଇ ହୋଇଛି ।

ଆପଣଙ୍କୁ ଲାଗିବ କେଉଁ ଏକ ଅଲଗା ଦୁନିଆକୁ ଆପଣ ଆସି ଯାଇଛନ୍ତି । ଏସବୁ ଆଖିକୁ ଯେମିତି ସୁନ୍ଦର ପରିବେଶ ପାଇଁ ମଧ୍ୟ ବେଶ୍‌ ଅନୁକୂଳ । ସେଇ ଅଦଭୁତ ବଗିଚା ଭିତରେ ଜଣେ ବ୍ୟକ୍ତି ବସି ଗୋଟିଏ ଲୟରେ ଛୋଟ ଗଛଟିର ଡାଳ ପତ୍ର କାଟୁ ଥାନ୍ତି । ସେ କାମ ସାରି ଗଛ ଗୁଡିକରେ ପାଣି ଦେବାକୁ ଲାଗିଲେ । ଖୁବ୍‌ ଯତ୍ନର ସହ ଗଛଗୁଡ଼ିକୁ ଆଦର କରୁଥାନ୍ତି । ଆଉ କିଛି ଯୁବତୀ ମଧ୍ୟ ଅନ୍ୟ ଗଛରେ ପାଣି ଦେଉଥାନ୍ତି । ତା ସହିତ ଗଛ ଗୁଡିକର ପରିଚୟ ବି ଦେଉଥାନ୍ତି । ଏପଟେ କିଛି ମୁହୂର୍ତ୍ତ ଅନ୍ତରରେ ବ୍ୟକ୍ତି ଜଣଙ୍କ ଗୋଟିଏ ହାତେ ଦେଢ଼ ହାତ ଉଚ୍ଚର ବର ବରଗଛ ନିକଟରେ ବସି ତାର ଟ୍ରିଟମେଣ୍ଟ କରୁ ଥାନ୍ତି । ମୃଦୁ ସ୍ୱରରେ ପରିଚୟ ଦେଲେ ନାଁଟି ତାଙ୍କର ରମେଶ ମହାନ୍ତି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ରୁହନ୍ତି । ପେସାରେ ଜଣେ ଆନ୍ଥ୍ରୋପଲୋଜିଷ୍ଟ । କିନ୍ତୁ ନିଶା ହେଉଛି ଗଛ ସଂଗ୍ରହ କରିବା । ଆଉ ଗଛକୁ ବୋନସାଇ ରୂପ ଦେବା ।

ସେ ଜଙ୍ଗଲ ହେଉ କି କାଦୁଅ ସ୍ଥାନ ଅବା ଭଙ୍ଗା କୋଠା, ଯେଉଁଠି ନଜର ପଡ଼ିଲା ସେଠି ପଶି ଯାଇ ଏହି ସବୁ ଗଛ ସଂଗ୍ରହ କରି ଆଣନ୍ତି । ଏମିତି କି ଲୋକେ ରମେଶ ବାବୁଙ୍କୁ ଏଭଳି ଅବସ୍ଥାରେ ଦେଖି କେହି କେହି ପାଗଳ ବୋଲି କୁହନ୍ତି । ତାଙ୍କର କିନ୍ତୁ ଏହି ଗଛ ନିଶା ଆଗରେ ସେସବୁର କିଛି ଅର୍ଥ ନଥାଏ । ଗଛ ସଂଗ୍ରହ କରି ଆଣିଲା ପରେ ଗୋଟିଏ ସୁନ୍ଦର ପାତ୍ର ତିଆରି କରି ତାରି ଭିତରେ ରଖି ତାର ଯତ୍ନ ନିଅନ୍ତି l ଗଛ ଉପରେ ଗବେଷଣା କରନ୍ତି। ଏହି ସବୁ ବୋନସାଇ ବା ବାମନ ଗଛର ଭିନ୍ନ ଗୁରୁତ୍ୱ ରହିଛି । ବୋନ୍ ଅର୍ଥ ପାତ୍ର ସାଇ ଅର୍ଥ ହେଉଛି ଗଛ । ରମେଶ ମହାନ୍ତି ନିଜ ଛାତ ଉପରେ ଏଭଳି ଗଛକୁ ନେଇ ଏକ ସୁନ୍ଦର ବଗିଚା କରିଛନ୍ତି । ଆପଣ ଦେଖିବା ପରେ ଭାବୁଥିବେ ବର ଗଛ ଅଶ୍ୱସ୍ଥ ଗଛ ତ ଏତେ ବିରାଟ ଏଗୁଡିକ ଏତେ ଛୋଟ କେମିତି ? ବୋଧେ ଅଳ୍ପ ଦିନର ଚାରାଟିଏ ହୋଇଥିବ କିନ୍ତୁ ତାହା ନୁହେଁ, ଏସବୁ ଗଛ ଓ ତାର ବୟସ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

bonsai

ଏଗୁଡିକ ଏତେ ଛୋଟ ଗଛ ହେଲେ ବି କିଏ ପଚାଶ ବର୍ଷର ତ ଆଉ କେଉଁଟି ଷାଠିଏ, କିଏ ଦଶ ତ ଆଉ କେଉଁଟା ତିରିଶି ବର୍ଷ ବୟସର । ଭଳିକି ଭଳି ଗଛ ସଂଗ୍ରହ କରି ଛାତ ଉପରେ ରଖି ଦିନ ରାତି ନିଜ ସନ୍ତାନଙ୍କ ଭଳି ଯତ୍ନ ନେଉଥାନ୍ତି । କେବଳ ଅଫିସ୍‌ ସମୟକୁ ଛାଡ଼ି ଦେଲେ ବାକି ସମୟ ଏଇ ଗଛମାନଙ୍କ ଭିତରେ କଟେ । ଗଛଗୁଡ଼ିକୁ କେଉଁ ଭଳି ଆକାରରେ ସଜାଇଲେ ସୁନ୍ଦର ଲାଗିବ ସେକଥା ରମେଶ ମହାନ୍ତିଙ୍କୁ ବେଶ ଭଲ ଭାବେ ଜଣା । ଏଯେଉଁ ଧାଡି ଧାଡି ଗଛ ଲାଗିଛି ଏସବୁ ଦୀର୍ଘ ବର୍ଷର ସାଧନା । କେଉଁ ଗଛ କେତେ ପାଣି ଦେବ କିଏ ପଥର ଉପରେ ବଞ୍ଚିବ, କେଉଁ ଗଛର କେଉଁ ସମୟରେ ଡାଳ ପତ୍ର କଟା ହେବ ସେସବୁ ପଛରେ ଦିନରାତି ଲାଗିଥାନ୍ତି । ଏଥିରେ ପରିବାର ସମସ୍ତେ ସେ ପତ୍ନୀ ହୁଅନ୍ତୁ ଅବା ଝିଅମାନେ ସମସ୍ତେ ଖୁବ ଯତ୍ନ ନିଅନ୍ତି । ଏହି ବୋନ୍‌ସାଇ ଗଛ ରମେଶଙ୍କୁ ଆଣି ଦେଇଛି ଅନେକ ସମ୍ମାନ ।

ପୁଳା ପୁଳା ମାନପତ୍ର, ଟ୍ରଫି ଘରେ ଭର୍ତ୍ତି ହୋଇ ରହିଛି । ଏସବୁ ପୁରସ୍କାର ତାଙ୍କ ପରିଶ୍ରମ ଏବଂ ନିଷ୍ଠାର ସ୍ୱୀକୃତି । ରମେଶ ମହାନ୍ତିଙ୍କ ବୋନ୍‌ସାଇ କେବଳ ଓଡ଼ିଶା ନୁହେଁ ଆଜି ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟଇ କରିଛି । ତେଣୁ ପରିବାରର ସମସ୍ତେ ତାଙ୍କୁ ନେଇ ଖୁବ୍‌ ଗର୍ବିତ । ରମେଶ ମହାନ୍ତି କୁହନ୍ତି ଜଣେ ଯଦି ଚାହିଁବ ବ୍ୟବସାୟ ଭାବରେ ବୋନସାଇକୁ ପେସା କରି ପାରିବ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବୋନସାଇ ବା ବାମନ ଗଛ ସବୁର ଦାମ୍‌ ଲକ୍ଷ ଲକ୍ଷ ଟଙ୍କା । ହେଲେ ବୃକ୍ଷପ୍ରେମୀ ରମେଶ କିନ୍ତୁ ଏହାକୁ ବ୍ୟବସାୟ ଭାବେ ନେଇ ନାହାନ୍ତି । ଆଉ କିଛି ସଉକ ରଖିଥିଲେ ମଧ୍ୟ ଏଇ ବୋନସାଇ ତାଙ୍କର ସବୁ କିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.