ଦିବ୍ୟାଙ୍ଗ ଏରମା ପାଇଁ ଭାଇ ଭାଉଜ ସାକ୍ଷାତ ଲକ୍ଷ୍ମୀ ଜଗନ୍ନାଥ, କାନ୍ଧରେ ବୁଲାଇ ଦେଉଛନ୍ତି ଜୀବନର ସବୁ ଖୁସି

ମହା ଶିବରାତ୍ରିରେ ଭକ୍ତଙ୍କ ଗହଳିରେ ବେଶ ଚଳଚଂଚଳ ରହିଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବଡ଼ି ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ଉଠିଥିଲା। ଭକ୍ତ ହାତରେ ଧୂପ, ଦୀପ ନୈବିଦ୍ୟ ଧରି ନିଜର ଶ୍ରଦ୍ଧା ଓ ଭକ୍ତି ଅର୍ପଣ କଲେ ଭୋଳା ଶଙ୍କରଙ୍କୁ। ସମସ୍ତେ ଭକ୍ତିରେ ନିମଗ୍ନ ଥିଲା ବେଳେ ଆମ ନଜର ପଡିଥିଲା ଭିନ୍ନ ଏକ ଦୃଶ୍ୟ ଉପରେ । ଯାହା ଆମକୁ କିଛି ସମୟ ପାଇଁ ସ୍ତବଧ କରି ଦେଇଥିଲା । ଆଖିର ପଲକ ପଡିବାକୁ ଦେଇନଥିଲା ଏହି ଘଟଣା। ସେ ଦୃଶ୍ୟକୁ କ୍ୟାମେରାରେ ସାଉଁଟି ଥିଲୁ ଆମେ ।

ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ନିଜ ପିଠିରେ ବୋହି ବୋହି ନେଉଥାନ୍ତି । ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ପାର୍ଶ୍ୱ ଦେବତା ବୁଢା ଗଣେଶଙ୍କ ନିକଟକୁ ଯିବା ପାଇଁ ଧୀରେ ଧୀରେ ପାହାଚ ଉପରକୁ ଉଠୁଥାନ୍ତି । ସେଠାରୁ ଆସି ଅନ୍ୟ ଦେବା ଦେବୀଙ୍କୁ ଦର୍ଶନ କରୁଥାନ୍ତି । ତା ସହିତ ପିଠିରେ ବୋହିଥିବା ମହିଳାଙ୍କୁ ମଧ୍ୟ ଦର୍ଶନ କରାଉଥାନ୍ତି । ବୋଧହୁଏ ମହିଳା ଜଣକ ଥକି ଗଲେ । ଆଉ ଠିକ ସେତିକିବେଳେ ଜଣେ ପୁରୁଷ ଆସି ତାଙ୍କୁ ସହାୟତା କଲେ। ସେହି ମହିଳାଙ୍କୁ ନିଜ ପିଠିକୁ ନେଇଗଲେ। ଅନ୍ୟ ମନ୍ଦିର ଭିତରକୁ ଯାଇ ଦର୍ଶନ କରାଇଲେ । ମଝିରେ ମଝିରେ ଯେଉଁ ମନ୍ଦିର ଓ ବୃଷଭ ମୂର୍ତ୍ତି ଆସୁଥାଏ ସେହି ପିଠିରେ ରହି ମହିଳା ଜଣଙ୍କ ହାତ ବଢ଼ାଇ ମୁଣ୍ଡିଆ ମାରୁଥାନ୍ତି ।

ଆମେ ଏସବୁ ଦୃଶ୍ୟ ଦେଖିଲା ପରେ ଏକଥା ତ ଜାଣିଲୁ ଯେ ପିଠିରେ ବୁହା ହେଉଥିବା ମହିଳା ଜଣକ ନିଶ୍ଚୟ ଚାଲିବାକୁ ସମର୍ଥ ନୁହନ୍ତି । ତେବେ କଣ ପାଇଁ ଏ ଭିଡ଼ରେ ତାଙ୍କୁ ଏହି ଦୁଇ ପୁରୁଷ ଓ ମହିଳା ଏଭଳି ପିଠିରେ ବୋହି ଦର୍ଶନ କରାଉଛନ୍ତି । ସେହି ପ୍ରଶ୍ନ ପଚାରିଥିଲୁ ତାଙ୍କୁ । ତା ପରେ ଜାଣିଲୁ ପୂରା ଘଟଣା ।

ସେମାନେ ରୁହନ୍ତି ଭୁବନେଶ୍ୱର ଗୌତମ ନଗରରେ । ଘର କିନ୍ତୁ ତାଙ୍କର ଆନ୍ଧ୍ର ପ୍ରଦେଶରେ । ପିଠିରେ ବୁହା ହେଉଥିବା ମହିଳା ଜଣକ ହେଉଛନ୍ତି ଦିବ୍ୟାଙ୍ଗ । ନାଁ ତାଙ୍କର ଏରମା । ପାଞ୍ଚ ବର୍ଷ ବୟସରୁ ପୋଲିଓରେ ଆକ୍ରାନ୍ତ ହେଲା ପରେ ତାଙ୍କର ଏହିଭଳି ଅବସ୍ଥା ହୋଇଛି । ଏରମାଙ୍କର ବାଲ୍ୟ ବିବାହ ହୋଇଥିଲା । ତେବେ ପରେ ସ୍ୱାମୀଙ୍କ ଠାରୁ ଛାଡପତ୍ର ହୋଇଯାଇଛି । ଏବେ ନିଜ ବାପା ଘର ପରିବାର ସହିତ ରହୁଛନ୍ତି । ପ୍ରଥମେ ପିଠିରେ ବୋହି ନେଉଥିବା ମହିଳା ହେଉଛନ୍ତି ତାଙ୍କ ଭାଉଜ । ଆଉ ପୁରୁଷ ଜଣଙ୍କ ହେଉଛନ୍ତି ବଡ଼ ଭାଇ। ଭଉଣୀର ପ୍ରଭୁ ଦର୍ଶନ କରିବାକୁ ଭାରି ଇଚ୍ଛା ହେଲା । ତାକୁ ଭାଇ ଭାଉଜ ମିଶି ପୂରଣ କଲେ ।

କେବଳ ଏଇ ଜାଗରରେ ନୁହେଁ, ଅନ୍ୟ ଯୁଆଡ଼େ ବି ସେମାନେ ଯାଆନ୍ତି ଶ୍ରବଣ କୁମାର ଭଳି ଏରମାଙ୍କୁ ପିଠିରେ ବୋହି ନିଅନ୍ତି ସବୁ ଜାଗାକୁ । ଭଉଣୀ ଏରମାଙ୍କୁ କାନ୍ଧରେ ବୋହି ନିଅନ୍ତି । ପଚାରିଲେ କୁହନ୍ତି, ଇଏ ହେଉଛି ଈଶ୍ୱରଙ୍କ ଇଚ୍ଛା । ଆମକୁ ତାକୁ ପାଳିବାକୁ ହେବ । ସତରେ ଏ ସ୍ୱାର୍ଥପର ଯୁଗରେ ଏମିତି ଭାଇ କି ଭାଉଜ ମିଳିବେନି । ଭଉଣୀ ବା ନଣନ୍ଦ ପ୍ରତି ସେମାନଙ୍କର ସ୍ନେହ ଓ କର୍ତ୍ତବ୍ୟକୁ ଭୁଲିବାର ନୁହେଁ । ନିଜ ବାପା ମା’ଙ୍କୁ ପର କରି ଦେଉଥିବା ପିଲାମାନେ ଏମାନଙ୍କ ଠାରୁ କିଛି ନିଶ୍ଚୟ ଶିକ୍ଷା କରିବେ।