୫୦ ବର୍ଷରେ ପୁରୁଷଙ୍କ ପ୍ରଜନନ କ୍ଷମତା କମିଛି ୫୦ ପ୍ରତିଶତ, ହ୍ରାସ ପାଉଛି ସ୍ପର୍ମ କାଉଣ୍ଟ

କେନ୍ୟୁଜ୍(ବ୍ୟୁରୋ):ବିଶ୍ୱରେ ବହୁ ସଂଖ୍ୟାରେ ପୁରୁଷ ହରାଉଛନ୍ତି ପ୍ରଜନନ କ୍ଷମତା। ସିମେନରେ ଶୁକ୍ରାଣୁ ସଂଖ୍ୟା ତୀବ୍ର ଗତିରେ କମୁଛି। କୌଣସି ପ୍ରଜାତିରେ ବଂଶବୃଦ୍ଧି ପାଇଁ ପ୍ରଜନନ ଜରୁରୀ। ତେଣୁ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ହେବା ମଣିଷ ଜଗତ ପାଇଁ ସତର୍କ ଘଣ୍ଟି। ୧୯୭୩ରୁ ଆଜି ପର୍ଯ୍ୟନ୍ତ ୫୦ ବର୍ଷର ଅନୁଧ୍ୟାନ କରି ଇସ୍ରାଏଲର ହେବ୍ରୁ ୟୁନିଭର୍ସିଟି ପୁରୁଷଙ୍କ ପ୍ରଜନନ କ୍ଷମତାକୁ ନେଇ ତଥ୍ୟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଭାରତ ସମେତ ଅନେକ ଦେଶରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ୬୨% କମିଛି।

ସେପଟେ ବିଭିନ୍ନ ଗବେଷଣାକୁ ଅନୁଧ୍ୟାନ କରି ଦ ଜର୍ଣ୍ଣାଲ ହ୍ୟୁମାନ ରିପ୍ରଡକ୍ସନ ଅପଡେଟରେ ସମୀକ୍ଷା ଭିତ୍ତିକ ତଥ୍ୟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି, ବିଶ୍ୱରେ ୫୦ ବର୍ଷରେ ପୁରୁଷଙ୍କ ମଧ୍ୟରେ ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତ ଖସି ଆସିଛି। ଯଦି ଏହି ତଥ୍ୟ ସତ, ଏବଂ ଶୁକ୍ରଣୁ ହ୍ରାସ ପାଇବା ଜାରି ରୁହେ ତେବେ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ବଡ଼ ପ୍ରଭାବ ପଡିବାକୁ ଯାଉଛି।

ତଥ୍ୟରୁ ଜଣାପଡିଛି, ୧୯୭୩ ପରଠାରୁ ପ୍ରତିବର୍ଷ ୧.୧୬% ହାରରେ ପୁରୁଷଙ୍କ ସିମେନରେ ଶୁକ୍ରାଣୁ ସଂଖ୍ୟା କମିଛି। ୧୯୭୩ଠାରୁ ୨୦୧୮ ମଧ୍ୟରେ ଶୁକ୍ରାଣୁ ସଂଖ୍ୟା ୫୨% କମିଛି। କେବଳ ଏତିକି ନୁହଁ, ୨୦୨୦ ପରଠାରୁ ପ୍ରତିବର୍ଷ ହ୍ରାସ ହାର ୨.୬୪% ବୃଦ୍ଧି ପାଇଛି। ୧୯୭୩ରେ ପ୍ରତି ମିଲିଲିଟର ସିମେନରେ ୧୦୪ ନିୟୁତ ଶୁକ୍ରାଣୁ ରହୁଥିଲା। ୨୦୧୯ରେ ଏହା ୪୯ ନିୟୁତକୁ ଖସି ଆସିଛି। ପ୍ରଜନନ ପାଇଁ ପୁରୁଷଙ୍କ ପ୍ରତି ମିଲିଲିଲିଟର ସିମେନରେ ଶୁକ୍ରାଣୁ ସଂଖ୍ୟା ୪୦ ନିୟୁତ ରହିବା ଆବଶ୍ୟକ। ତେଣୁ ଶୁକ୍ରାଣୁ ସଂଖ୍ୟା କମୁଥିଲେ ମଧ୍ୟ ନିର୍ଦ୍ଧାରିତ ସୀମାଠାରୁ ଅଧିକ ରହିଛି। କିନ୍ତୁ ଯେଉଁ ହାରରେ କମୁଛି, ତାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

କାହିଁକି ସିମେନରେ କମୁଛି ସ୍ପର୍ମ କାଉଣ୍ଟ? ଏହାର ନିର୍ଦ୍ଦିଷ୍ଟ କାରଣ ଦିଆଯାଇ ନାହିଁ। କିନ୍ତୁ ବିଭିନ୍ନ କାରଣରୁ ଶୁକ୍ରାଣୁ ସଂଖ୍ୟା କମୁଥିବା କୁହାଯାଇଛି। ସବୁଠାରୁ ବଡ଼ କାରଣ ହେଲେ ପୁରୁଷଙ୍କ ଜୀବନ ଶୈଳୀ। ଚାପଗ୍ରସ୍ତ ଜୀବନ, ଧୁମପାନ, ମୋଟାପଣ, ଅଲଟ୍ରା ପ୍ରୋସେସଡ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ସ୍ପର୍ମ କାଉଣ୍ଟ କମୁଥିବା ନେଇ ଅନୁମାନ କରାଯାଉଛି। ଏହାସହ ବହୁ ସମୟ ଧରି ରୋଗଗ୍ରସ୍ତ ହେବା, ଟେଷ୍ଟିକୁଲାର କ୍ୟାନ୍‌ସର, ହରମୋନରେ ଅସନ୍ତୁଳନ, ଆଘାତ ଲାଗିବା, ମଧୁମେହ, ଅଧିକ ତାପମାତ୍ରାରେ କାମ କରିବା କିମ୍ବା ବଂଶାନୁକ୍ରମିକ କାରଣ ମଧ୍ୟ ହୋଇପାରେ। ଯାହା ବି କାରଣ ହେଉ, ସାବଧାନ ନ ହେଲେ ଭବିଷ୍ୟତରେ ପୁରୁଷ ପ୍ରଜନନ କ୍ଷମତା ହରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.