ଗଞ୍ଜେଇ ଗଡ଼ ପାଲଟିଛି ଗଜପତି ଜିଲ୍ଲା: ସୁଉଚ୍ଚ ପର୍ବତ ଉପରେ ବେଧଡକ ଚାଲିଛି ଗଞ୍ଜେଇ ଚାଷ

ବର୍ତ୍ତମାନ ଗଞ୍ଜେଇ ଚାଷ ପାଇଁ ଏକ ଦୁର୍ନାମ ଅର୍ଜନ କରିସାରିଲାଣି ଗଜପତି ଜିଲ୍ଲା । ଜ଼ିଲ୍ଲାରେ ଏହି ଗଞ୍ଜେଇ ଚାଷ ପଛରେ କିନ୍ତୁ ରହିଛି ବାହାର ରାଜ୍ୟର ମାଫିଆ ମାନଙ୍କର ପରୋକ୍ଷ ସହଯୋଗ ।

ମୋହନା(କେନ୍ୟୁଜ): ଓଡିଶାର ଦକ୍ଷିଣ ଭାଗରେ ଗଞ୍ଜାମ, ରାୟଗଡା ଏବଂ କନ୍ଧମାଳ ଜ଼ିଲ୍ଲା ସହ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାକୁ ଲାଗି ରହିଛି ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଗଜପତି ଜ଼ିଲ୍ଲା। ଏହି ଜ଼ିଲ୍ଲାଟି ନିଜ ସାହିତ୍ୟ, ସଂସ୍କୃତି, ଐତିହ ଏବଂ ପରମ୍ପରା କୁ ନେଇ ବେଶ୍ ପରିଚିତ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ଏହି ଜ଼ିଲ୍ଲାଟି କିନ୍ତୁ ବର୍ତ୍ତମାନ ଗଞ୍ଜେଇ ଚାଷ ପାଇଁ ଏକ ଦୁର୍ନାମ ଅର୍ଜନ କରିସାରିଲାଣି ।

ଜ଼ିଲ୍ଲାର ମୋହନା, ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳ ରେ ଏହି ଗଞ୍ଜେଇ ଚାଷ କୁ ବେଧଡକ ଭାବେ କରାଯାଉଛି । ସୁଉଚ୍ଚ ପର୍ବତ ଉପରେ ଅଧିକ ଲାଭବାନ୍ ହେବା ଆଶାରେ ଏହି ନୀଳ ଜହର ଚାଷକୁ ଆପଣେଇ ନେଇଛନ୍ତି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ନିରୀହ ଜନସାଧାରଣ । ଜ଼ିଲ୍ଲାରେ ଏହି ଗଞ୍ଜେଇ ଚାଷ ପଛରେ କିନ୍ତୁ ରହିଛି ବାହାର ରାଜ୍ୟର ମାଫିଆ ମାନଙ୍କର ପରୋକ୍ଷ ସହଯୋଗ, ଉଚ୍ଚ ପର୍ବତ ଏବଂ ଘଞ୍ଚ ଜଙ୍ଗଲରେ ଗଞ୍ଜେଇ ଚାଷ କରିବା ପାଇଁ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ମାନେ ମୋହନା ଅଞ୍ଚଳରେ ବସବାସ କରୁଥିବା ଗରିବ ନିରୀହ ଆଦିବାସୀ ଏବଂ ପାହାଡ଼ରେ ବସବାସ କରୁଥିବା ଲୋକମାନଙ୍କୁ ହାତବାରିଶି କରି ଏହି ଗଞ୍ଜେଇ ଚାଷ କରାଇଥାନ୍ତି ।

ଅଧିକ ଲାଭ ଆଶାରେ ଲୋକେ ମଧ୍ୟ ଏହି ଚାଷ କୁ ଆପଣେଇ ନେଇଥାନ୍ତି। ଚାଷ ପାଇଁ ଗଞ୍ଜେଇ ମଞ୍ଜି ଠାରୁ ଆରମ୍ଭ କରି ଆବଶ୍ୟକୀୟ ସାମଗ୍ରୀ କିଣିବାରେ ଅନ୍ତଃରାଜ୍ୟ ମାଫିଆ ମାନେ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ମାନଙ୍କୁ ଯୋଗାଇଦେଇଥାନ୍ତି । ଗଞ୍ଜେଇ ଅମଳ ପରେ ପୋଲିସ ଏବଂ ଅବକାରୀ ବିଭାଗ ର କିଛି ସ୍ଥାନୀୟ କର୍ମଚାରୀ ଙ୍କୁ ହାତବାରିଶି କରି ଗାଡି ସାହାଯ୍ୟ ରେ ବେଧଡକ ଅଞ୍ଚଳ ରୁ ଗଞ୍ଜେଇ ଚାଲାଣ କରିଥାନ୍ତି।ବେଳେବେଳେ ଆରକ୍ଷୀ ଏବଂ ଅବକାରୀ ବିଭାଗ ର କିଛି ଅଧିକାରୀ ଙ୍କ ପଞ୍ଝା ରେ କିଛି ମାଫିଆ ପଡୁଥିବା ବେଳେ ଅନ୍ୟମାନେ ଖସିଯିବାରେ ସକ୍ଷମ ହୋଇଥାନ୍ତି । ଗଜପତି ଜ଼ିଲ୍ଲା ରୁ ଚାଲାଣ ହେଉଥିବା ଗଞ୍ଜେଇ, ଭାଙ୍ଗ ଆଦି ନିଶାଦ୍ରବ୍ୟ ବ୍ରହ୍ମପୁର ଏବଂ ରାଜଧାନୀ ରେ ଜବତ କରାଯିବା ର ନଜିର ମଧ୍ୟ ରହିଛି ।

ତେବେ ଏହି ଗଞ୍ଜେଇ କାରବାର ରେ ଏବଂ ଗଞ୍ଜେଇ ସେବନ ରେ ବର୍ତ୍ତମାନ ଯୁବପିଢ଼ି ସାମିଲ ହେବା ଦେଖାଗଲାଣି । ଶିକ୍ଷିତବେକାର ଏବଂ ଯୁବଗୋଷ୍ଠୀ କୌଣସି କର୍ମସଂସ୍ଥାନର ସୁଯୋଗ ନପାଇ କମ୍ ସମୟରେ ଅଧିକ ଉପାର୍ଜନ ଆଶାରେ ଏହି ଗଞ୍ଜେଇ ଚାଲାଣ ରେ ଲିପ୍ତ ରହିବା ସହ ଗଞ୍ଜେଇ ସେବନ ମଧ୍ୟ କରୁଛନ୍ତି ।

fire

ଗଞ୍ଜେଇ କାରବାରକୁ ନେଇ ଅଞ୍ଚଳରେ ହତ୍ୟାକାଣ୍ଡ ଏବଂ ଥାନା ଉପରେ ଆକ୍ରମଣ ହେବାର ନଜିର ମଧ୍ୟ ରହିଛି । ଗଞ୍ଜେଇ ଅଭିଯୁକ୍ତ କୁ ଗିରଫ କରିବା ପ୍ରତିବାଦରେ ୧୩.୯.୨୦୨୨ ରେ ଜ଼ିଲ୍ଲା ର ଅଡବା ଥାନା କୁ ଭାଙ୍ଗିରୁଜି ଚୁର୍ ମାର୍ କରିଦେଇଥିଲେ ଥାନା ଅଞ୍ଚଳ ର ଝରଣପୁର ଗ୍ରାମବାସୀ । ତେଵେ ଗଞ୍ଜେଇ ଧରପଗଡ଼ କୁ ନେଇ ଅବକାରୀ ବିଭାଗ ଆଶାନୁପାତ ସକ୍ରିୟ ରହୁନଥିବା ବେଳେ ପୋଲିସ କିନ୍ତୁ ତା କାର୍ଯ୍ୟ ଜାରି ରଖିଛି । ଗଜପତି ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ପ୍ରକାରେ ୨୦୨୧ ମସିହାରେ ଜ଼ିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ୭୦ ଟି ଗଞ୍ଜେଇ ଚୋରାଚାଲାଣ ମାମଲା ହୋଇଥିବା ବେଳେ ୧୬ ହଜାର ୨୩୮ କେଜି ୬୯୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଏବଂ ୧୫୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସେହିଭଳି ୨୦୨୨ ରେ ୬୧ ଟି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୧୨ ହଜାର ୪୩୭ କେଜି ୬୦ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୭୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ୨୦୨୩ ରେ ୬୨ ଟି ମାମଲା ରେ ୨୨ହଜାର ୨୯୯ କେଜି ୧୯୪ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୫୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ଆରକ୍ଷୀ ବିଭାଗ । ସେହିଭଳି ୨୦୨୨ ରେ ୩୯ ଲକ୍ଷ ୫୪ ହଜାର ୪୫୦ ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଥିବା ବେଳେ ୩୫ ଟି ମାମଲା ରୁଜୁ ହୋଇଛି ।

୨୦୨୩ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ୫୪ ହଜାର ୪୬୪ ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ବିଭିନ୍ନ ଥାନାରେ ୯ ଟି ମାମଲା ରୁଜୁ ହୋଇଛି । ଜବତ ଗଞ୍ଜେଇ ଗୁଡିକୁ ମାଲ୍ ଖାନା ରେ ରଖାଯିବା ସହ କୋର୍ଟ ଙ୍କ ନିର୍ଦ୍ଦେଶପ୍ରକାରେ ୨୦୨୨ ର ୨୯ ଟି ମାମଲା ରେ ଜବତ ହୋଇଥିବା ୧୫ ହଜାର ୮୯୨ କେଜି ୮୬ ଗ୍ରାମ ଏବଂ ୨୦୨୩ର ୫୭ ଟି ମାମଲା ରେ ଜବତ ହୋଇଥିବା ୧୨ ହଜାର ୩୩୯ କେଜି ୫୯୦ଗ୍ରାମ ଗଞ୍ଜେଇ କୁ ପୋଲିସ ମାଲ୍ ଖାନା ରୁ ବାହାର କରି ନଷ୍ଟ କରାଯାଇଛି । ଏତେପରେ ମଧ୍ୟ ମାଫିଆମାନେ ସେମାନଙ୍କ ଗଳାବାଟ ଦେଇ ପୋଲିସ କୁ ଚଖମା ଦେଖାଇ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି ।ଆଗାମୀ ଦିନରେ ଏହି ନୀଳଜହର ଚାଷକୁ ଯଦି ଅଞ୍ଚଳ ରୁ ସମ୍ପୂର୍ଣ୍ଣ ବନ୍ଦ କରାନଯାଏ ତେବେ ଆଗାମୀ ଭବିଷ୍ୟତ ମାନେ ଯେ ସମ୍ପୂର୍ଣ୍ଣ ବିପଥଗାମୀ ହୋଇଯିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.