ଚୈତ୍ର ମାସର ଶେଷ ପାଳିରେ ଉତ୍ସବ ମୁଖର ହୋଇ ଉଠିଥିଲା ତାରାତାରିଣୀଙ୍କ ପୀଠ, ମନସ୍କାମନା ପୂର୍ଣ୍ଣ ପାଇଁ ମୁଣ୍ଡନ କରାଇଥିଲେ ଅନେକ ଭକ୍ତ

ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ହେଉଛନ୍ତି ମାଁ ତାରାତାରିଣୀ । ଦେଶର ଥିବା ବିଭିନ୍ନ ଆଦିଶକ୍ତି ପୀଠ ମଧ୍ୟରୁ ତାରାତାରିଣୀ ଅନ୍ୟତମ । ଏହି ପୀଠରେ ପ୍ରତିବର୍ଷ ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ ଚୈତ୍ରମେଳା । ଗତ କାଲି ଥିଲା ଚୈତ୍ର ମାସର ଶେଷ ମଙ୍ଗଳବାର। ତେଣୁ ମାଆଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଥିଲା। ଆଉ ଭକ୍ତଙ୍କ ନାହିଁ ନଥିବା ଭିଡ ମଧ୍ୟ ଦେଖାଯାଇଥିଲା। ।

ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ଚୈତ୍ରମେଳାର ଚତୁର୍ଥ ତଥା ଶେଷ ପାଳି ବେଶ୍ ଶାନ୍ତି ଶ୍ରୁଙ୍ଖଳାର ସହିତ ସମାପନ ହୋଇଛି । ଚୈତ୍ରମାସର ସବୁ ମଙ୍ଗଳବାରରେ ମାଁଙ୍କ ଏହି ପ୍ରସିଦ୍ଧ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଶେଷ ପାଳିରେ ବହୁ ଭକ୍ତ ଓ ମାନସିକ ଧାରୀଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦିନତମାମ ମାଁଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଲମ୍ବାଧାଡିରେ ରହି ଭକ୍ତମାନେ ମାଁଙ୍କ ଦର୍ଶନ କରିବା ସହ ମନସ୍କାମନା ପୂରଣ ପାଇଁ ଧାଇଁ ଆସିଥିଲେ ।

ମାଁ ଗତକାଲି ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହି ମେଳା ଅନୁଷ୍ଠିତ ହୋଇନଥିବା ବଳେ ଚଳିତ ବର୍ଷ ପ୍ରଥମ ପାଳିରୁ ଶେଷ ପାଳି ପର୍ଯ୍ୟନ୍ତ ଭକ୍ତ ଓ ମନ୍ଦିର ସେବାୟତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ହଜାର ହଜାର ସଂଖ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାଁଙ୍କ ପୀଠରେ ଏକତ୍ରିତ ହୋଇଥିଲେ । ମାଁ ଇଷ୍ଟ ଦେବୀ ହୋଇଥିବାରୁ ଏଠାରେ ଅନେକ ପରିବାର ନିଜ ନିଜ ଛୁଆକୁ ଚୈତ୍ର ମେଳାରେ ମୁଣ୍ଡନ କରିଛନ୍ତି । ଚୈତ୍ରମେଳାରେ ମାଁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ୱାସ । ପର୍ବତ ଶୀଖରେ ଥିବା ମାଁଙ୍କ ପୀଠକୁ କେହି କେହି ୯୯୯ ପାହାଚ ପାଦରେ ଚାଲି ଚାଲି ଅତିକ୍ରମ କରନ୍ତି ତ ଆଉ କେହି କେହି ବସ ଓ ରୋପ-ୱେ ମାଧ୍ୟମରେ ଯାଇ ମାଁଙ୍କ ପୀଠରେ ପହଞ୍ଚନ୍ତି ।

ଦୀର୍ଘ ଦୁଇ ବର୍ଷ ପରେ ଏହି ଯାତ୍ରା ହୋଇଥିବା ହେତୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଭୋରୁ ମଙ୍ଗଳ ଆଳତି, ଅବକାଶ, ମଇଲମ ଲାଗି, ତଡପ ଲାଗି, ମହାସ୍ନାନ, ସିଙ୍ଗାର, ଷୋଡଶ ଉପଚାର ପୂଜା ଆଦି ସ୍ୱତନ୍ତ୍ର ରୀତିନୀତିରେ ଦିନତମାମ ପୂଜାର୍ଚ୍ଚନା କରାଯିବା ସହ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିଲା।

ମାଁ ତରାତାରିଣୀଙ୍କ ପୀଠରେ ଛୋଟପିଲାଠାରୁ ବୟସ୍କଙ୍କ ମାନସିକ ପୂରଣ ପାଇଁ ମୁଣ୍ଡନ କରିଥାନ୍ତି। ଏନେଇ ମନ୍ଦିରର ପାଦ ଦେଶରେ ତିନୋଟି ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। । ସେପଟେ ମାଁଙ୍କ ଚୈତ୍ରମେଳାକୁ ଦୃଷ୍ଟି ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ ଗ୍ରହଣ କରାଯାଇଥିଲା। । ପାନୀୟ ଜଳ, ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା ସହ ଭକ୍ତମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଚୈତ୍ରମେଳା ଶେଷ ପାଳି ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୭ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ୨ ଜଣ ଅତିରିକ୍ତ ଏସପି ସହ ୨୬ ଜଣ ଇନସପେକ୍ଟର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.