ଚାଣକ୍ୟ ନୀତି : ବ୍ୟକ୍ତିଙ୍କ ଏହି ଗୁଣ ତାଙ୍କୁ କରିଥାଏ ଉତ୍ତମ ପୁରୁଷ, ସମସ୍ତେ ଦେଇଥାନ୍ତି ତାଙ୍କୁ ସମ୍ମାନ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ । ଆଚାର୍ଯ୍ୟ ବ୍ୟକ୍ତିର ଏମିତି ଗୁଣ ସମ୍ପର୍କରେ କହିଛନ୍ତି, ଯାହା ତାଙ୍କୁ ଜଣେ ଉତ୍ତମ ପୁରୁଷ ବନାଇଥାଏ । ଆସନ୍ତୁ ଜାଣିବା ଏହି ଉତ୍ତମ ପୁରୁଷଙ୍କ ବିଷୟରେ ।

ଶ୍ଳୋକ :

ପ୍ରଳୟେ ଭିନ୍ନମାର୍ଯ୍ୟାଦା ଭବିତଂ କିଳ ସାଗରଃ
ସାଗରା ଭେଦମିଚ୍ଛନ୍ତି ପ୍ରଳେୟଶାପି ନ ସାଧବଃ ।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ସମୁଦ୍ର ବି ପ୍ରଳୟ ଆସିବାବେଳେ ନିଜର ମର୍ଯ୍ୟାଦା ଲଂଘି ଦେଇଥାଏ । କୂଳ ଲଂଘି ନଷ୍ଟ ଭ୍ରଷ୍ଟ କରିଦେଇଥାଏ । ଜଳ-ସ୍ଥଳ ଗୋଟିଏ ହୋଇଯାଇଥାଏ । ହେଲେ ଉତ୍ତମ ବ୍ୟକ୍ତି ବଡରୁ ବଡ଼ ସଂକଟ ସମୟରେ ବିପରୀତ ପରିସ୍ଥିତିରେ ଥାଆନ୍ତି । ସମୁଦ୍ର ଭଳି ନିଜର ଧୈର୍ଯ୍ୟ ହରାନ୍ତି ନାହିଁ । ବରଂ ମର୍ଯ୍ୟାଦା ରଖିଥାନ୍ତି । ଅର୍ଥାତ ସଜ୍ଜନ ବ୍ୟକ୍ତିର ସବୁଠୁ ବଡ଼ ଗୁଣ ହେଉଛି ତା’ର ଧୈର୍ଯ୍ୟ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସଜ୍ଜନ ବ୍ୟକ୍ତି ସିଏ, ଯେ ଖରାପ ସମୟରେ ଗମ୍ଭୀରତା ହରାଇ ନଥାଏ । ସଜ୍ଜନତାର ପରିଚୟ ବ୍ୟକ୍ତିର ଆଚରଣ ଓ ବ୍ୟବହାରରୁ ଜଣାପଡିଥାଏ ।

ଏହାଛଡ଼ା ଯେଉଁ ବ୍ୟକ୍ତି ନିଜର ସଚ୍ଚୋଟତାରେ ସମଝୋତା କରନ୍ତି ନାହିଁ, ତାଙ୍କୁ ସଜ୍ଜନ ବ୍ୟକ୍ତି କୁହାଯାଏ । ଏହାଛଡା ସଜ୍ଜନ ବ୍ୟକ୍ତି କେବେ ନିଜ ମୁହଁରେ ନିଜ ଗୁଣର ଡିଣ୍ଡିମି ପିଟନ୍ତି ନାହିଁ । ତାଙ୍କର କର୍ମ ଓ ଭଲ ବ୍ୟବହାରରୁ ସେ ସମ୍ମାନର ପାତ୍ର ହୋଇଥାନ୍ତି ।

ନିଜର କର୍ତ୍ତବ୍ୟ ପାଳନ କରିବା ବ୍ୟକ୍ତିର ସବୁଠୁ ମହତ୍ୱପୂର୍ଣ୍ଣ କର୍ତ୍ତବ୍ୟ । ହେଲେ ଚାଣକ୍ୟ କୁହନ୍ତି ଯେ ଜଣେ ସଜ୍ଜନ ବ୍ୟକ୍ତି ନିଜ କର୍ତ୍ତବ୍ୟ ପୁରଣ କରିବା ସହ ସମ୍ପର୍କର ମୂଲ୍ୟ ବୁଝିଥାନ୍ତି । ନିଶ୍ୱାର୍ଥ ଭାବନାର ସହ ସମସ୍ତଙ୍କୁ ଏକ ସୁତାରେ ବାନ୍ଧି ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ । ଯିଏ ସବୁ ସମ୍ପର୍କକୁ ସଚ୍ଚୋଟତା ସହ ନିଭାଇଥାନ୍ତି, ଭେଦଭାବ ରଖନ୍ତି ନାହିଁ, ଏପରି ଲୋକଙ୍କୁ ସମ୍ମାନପ୍ରାପ୍ତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.