ଚନ୍ଦ୍ରଯାନ୍‌-୨ର ଅର୍ବିଟର ଏବେ ବି ସଚଳ, ଇସ୍ରୋକୁ ପଠାଉଛି ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରରେ ଥିବା ବିକ୍ରମ ଲ୍ୟାଣ୍ଡର ସହ ଏବେ ପର୍ଯ୍ୟନ୍ତ ସମ୍ପର୍କ ସ୍ଥାପନ ହୋଇପାରୁନଥିବା ବେଳେ ଚନ୍ଦ୍ରଯାନ-୨ର ଅର୍ବିଟର କିନ୍ତୁ ଆକ୍ଟିଭ୍‌ ରହିଛି। ଏହି ଅର୍ବିଟର ଚନ୍ଦ୍ରର ସୂର୍ଯ୍ୟକିରଣ ପଡ଼ୁନଥିବା ଅଂଶର ଫଟୋ ପଠାଇବ। ସମଗ୍ର ପୃଥିବୀ ପାଇଁ ଏହା ନୂତନ ଉପଲବ୍ଧି ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ପୂର୍ବ ଚେୟାରମ୍ୟାନ୍‌ ଏଏସ୍‌ କିରଣ କୁମାରଙ୍କ କହିବା ଅନୁସାରେ ଚନ୍ଦ୍ରଯାନ-୧ ଅପେକ୍ଷା ଚନ୍ଦ୍ରଯାନ-୨ ଠାରୁ ଆମେ ବହୁତ କିଛି ଆଶା କରୁଛୁ। ଏଥିରେ ମାଇକ୍ରୋେଓ୍ଵବ ଡ଼ୁଆଲ ଫ୍ରିକ୍ୱେନ୍ସି ସେନ୍ସର ରହିଛି ଯାହାର ଘନ ଅନ୍ଧକାର ସ୍ଥାନର ମ୍ୟାପିଂ କରି ଫଟୋ ଉଠାଇ ପ୍ରେରଣ କରିବ।

ଇସ୍ରୋର ସୂଚନାନୁସାରେ, ଅର୍ବିଟର ଚନ୍ଦ୍ରର କକ୍ଷରେ ସ୍ଥାପିତ ହୋଇସାରିଲାଣି। ଏହା ଚନ୍ଦ୍ରର ବିକାଶଯାତ୍ରା, ଜୀବନଧାରଣ ସମ୍ଭବ କି ନାହିଁ, ଖଣିଜପଦାର୍ଥ ଓ ଜଳର ଉପସ୍ଥିତି ସମ୍ପର୍କରେ ସୂଚନା ଦେବ। ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ଓ ବହୁ ଅଜଣା ରହସ୍ୟ ଉନ୍ମୋଚନ କରିବ ବୋଲି ଇସ୍ରୋ ଆଶା କରୁଛି।

ଏହା ସହ ପଢନ୍ତୁ: ଜାଣନ୍ତୁ ଅନ୍ତରୀକ୍ଷ ଓ ଚନ୍ଦ୍ର ସମ୍ପର୍କରେ କିଛି ଅଜଣା କଥା

ତେବେ ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାକୁ ଏବେ ବି ଇସ୍ରୋ ପ୍ରୟାସ ଜାରି ରଖିଛି। ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବା ବଦଳରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା। ଫଳରେ ମାତ୍ର ୨.୧ କିମି ଦୂରରୁ କୌଣସି କାରଣରୁ ଏହା ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଲ୍ୟାଣ୍ଡରରେ ଥିବା ରୋଭରର ଆୟୁଷ ଏକ ଚନ୍ଦ୍ର ଦିବସ ବା ପୃଥିବୀର ୧୪ ଦିନ ସହ ସମାନ। ଇତି ମଧ୍ୟରେ ଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଲାଣି। ଇସ୍ରୋ ପାଖରେ ଆଉ ମାତ୍ର ହାତଗଣତି ଦିନ କେଇଟା ରହିଛି ବିକ୍ରମକୁ ଆକ୍ଟିଭ୍‌ କରିବା ପାଇଁ। ଯଦି ସେହି ମଧ୍ୟରେ ବିକ୍ରମ ସହ ସମ୍ପର୍କ ସ୍ଥାପନ ହୋଇନପାରିଲା ତେବେ ଆଶା କରାଯାଉଥିବା ଅଧିକ ତଥ୍ୟ ନ ମିଳିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ତେବେ ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ଇସ୍ରୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି।

ଅନ୍ୟପଟେ ନାସାର ଅର୍ବିଟର ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍‌ ମଙ୍ଗଳବାର ବିକ୍ରମ ଲ୍ୟାଣ୍ଡର ଉପର ଦେଇ ଗତି କରିବ। ନାସାର ପ୍ରୋଜେକ୍ଟ ବୈଜ୍ଞାନିକ ନୋଆହ ପେତ୍ରୋଙ୍କ କହିବାନୁସାରେ, ମଙ୍ଗଳବାର ଆମ ଅର୍ବିଟର ବିକ୍ରମ ଲ୍ୟାଣ୍ଡର ସାଇଟ୍‌ର ଉପର ଦେଇ ଗତି କରିବ। ଏହି ଫଟୋରୁ ବିକ୍ରମର ପ୍ରକୃତ ସ୍ଥିତି ସମ୍ପର୍କରେ ତଥ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.