ପଡ଼ୋଶୀ ହୋଇ ବି ଚୀନ୍ ଏବେ ଆଖି ଦେଖାଉଛି ଭାରତକୁ । ତେବେ ଶାନ୍ତିପ୍ରିୟ ଭାରତ କେବେବି ପ୍ରଥମେ ଯୁଦ୍ଧ ପାଇଁ ଆଗଭର ହୁଏ ନାହିଁ । ତଥାପି ଡରି ଯାଇନି କି ପଛକୁ ହଟିନି । ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କକୁ ଦୀର୍ଘ ବର୍ଷ ହେବ ଭଲ ନାହିଁ । ଉପରେ ସେମାନେ ପଡ଼ୋଶୀ ଭାବେ ରହୁଥିଲେ ମଧ୍ୟ ସବୁ ବେଳେ ଚୀନ୍ ଭାରତ ପ୍ରତି ତିକ୍ତ ଭାବନା ରଖି ଆସିଛି । ଆଉ ଏବେ ପୁଣି ଥରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି । ଯଦି କୁହାଯିବ ତେବେ ସାମରିକ ଶକ୍ତିରେ ଭାରତ ବର୍ତ୍ତମାନ ବିଶ୍ୱରେ ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି । ତେଣୁ ଚୀନ୍କୁ ଠିକଣା ଜବାବ୍ ଦେବାକୁ ମଧ୍ୟ ପ୍ରସ୍ତୁତ । ଆସନ୍ତୁ ଜାଣିବା ଗୋଟିଏ ପୁରୁଣା ଯୁଦ୍ଧ ସମ୍ପର୍କରେ । ଯେଉଁଥିରେ ଚୀନ୍ ସେନାକୁ ଭାରତ ମାଟି କାମୁଡ଼ାଇଥିଲା ।
ଘଟଣା ୧୯୬୭ ମସିହାର । ସିକ୍କିମ ସେତେବେଳ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇ ନଥିଲା ଏବଂ ଭାରତୀୟ ସେନା ଏହାର ସୁରକ୍ଷା ଦାୟିତ୍ୱରେ ରହିଥିଲା । ଚୀନ୍ ସେନା ସେଠାରେ ବାରମ୍ବାର କିଛି ନା କିଛି ଅଘଟଣ ଘଟାଇବାକୁ ପ୍ରୟାସ କରୁଥିଲା । ତେଣୁ ଭାରତୀୟ ସୈନ୍ୟମାନେ ସେହି ଅଞ୍ଚଳରେ ତାରବାଡ଼ ଲଗାଇବା ଆରମ୍ଭ କଲେ । ଏହାକୁ ନେଇ ଚୀନ୍ ସରକାର ଭାରତୀୟ ସେନାକୁ ତିବ୍ଦତ-ସିକ୍କିମ ସୀମା ଅନ୍ତର୍ଗତ ନାଥୁଲା ଅଞ୍ଚଳରୁ ହଟିବାକୁ ତାଗିଦ କଲା । ୧୯୬୨ ଯୁଦ୍ଧର ପରିଣାମ ହେବ ବୋଲି ଧମକ ଦେଲା । ହେଲେ ଭାରତୀୟ ସେନା ଗୋଟିଏ ଇଞ୍ଚ ବି ହଟିଲା ନାହିଁ । ଏପଟେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଛିନ୍ନ ହେଲା ଭଳି ସ୍ଥିତି ସୃଷ୍ଟି ହେଲା । ଚୀନ୍ ସରକାର ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ ଦୂତାବାସରେ ଥିବା ଅନ୍ୟ କର୍ମଚାରୀଙ୍କୁ ବନ୍ଦୀ ଭଳି ରଖିଲେ । ଏହାର ସମାନ ଜବାବ ଦେଲା ଭାରତ ।
ସେପଟେ ଭାରତୀୟ ସୈନିକମାନେ ତାରବାଡ଼ ଲଗାଉଥିବା ବେଳେ ଚୀନ୍ପଟୁ ମେସିନ୍ଗନ୍ ଗର୍ଜି ଉଠିଲା ଏବଂ ସେତେବେଳେ ଅସ୍ତ୍ରଶସ୍ତ୍ର ଛାଡ଼ି ତାରବାଡ଼ କାମରେ ଲାଗିଥିଲେ ଏବଂ ଚୀନା ସେନାର ଗୁଳିରେ ଆହତ ହେଲେ । ଏହା ପରେ ଦୁଇ ଦେଶ ଭିତରେ ଲାଗିଲା ଯୁଦ୍ଧ । ଆଉ ଭାରତର ଶକ୍ତିଶାଳୀ ସେନା ବାହିନୀ ମାତ୍ର ତିନି ଦିନ ଭିତରେ ଚୀନ୍ର ୪୦୦ରୁ ଊର୍ଦ୍ଧ୍ୱ ସୈନିକଙ୍କୁ ମାରି ଶୁଆଇ ଦେଇଥିଲେ । ହାରିଯିବା ପରେ ବିଶ୍ୱ ଦରବାରରେ ଲଜ୍ଜିତ ହେବା ଭୟରେ ଚୀନ୍ ସରକାର ତାଙ୍କ ସୈନିକଙ୍କ ମୃତଦେହକୁ ରାତିର ଅନ୍ଧାରରେ ଉଠାଇ ନେଇଥିଲା । ପ୍ରକୃତରେ କେତେ ସୈନିକ ମରିଛନ୍ତି ସେକଥା ସ୍ପଷ୍ଟ କଲା ନାହିଁ । ତେବେ ଏହି ଯୁଦ୍ଧ କାହାଣୀ ଲେଫ୍ଟନାଣ୍ଟ ଜେନେରାଲ ସଗତ ସିଂହଙ୍କ ଜୀବନୀକୁ ଆଧାର କରି ପରେ ପୁସ୍ତକ ଆକାରରେ ଲେଖା ଯାଇଥିଲା । କିନ୍ତୁ ଚୀନ୍ କେବେବି ଏହି ପରାଜୟକୁ ମନେ ପକାଇବାକୁ ଚାହେଁ ନାହିଁ ।