ଆସନ୍ତାକାଲି ଚିତାଲାଗି ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗି ହେବ ସୁବର୍ଣ୍ଣ ଚିତା

ଚିତାଲାଗି ଅମାବାସ୍ୟା । ସବୁ ଓଡିଆ ଘର ପାଇଁ ଏହା ଏକ ଜଣାଶୁଣା ପରମ୍ପରା। ଆଉ ଏହି ପରମ୍ପରାକୁ ଆହୁରି ସମୃଦ୍ଧି କରିଛି ଚିତଉ ପିଠା। ଜଗନ୍ନାଥ ସଂସ୍କୃତି ସହ ଏହା ନିବିଡ କରିଛି ପ୍ରତ୍ୟେକ ପରିବାରକୁ । କାରଣ ଶ୍ରୀ ମନ୍ଦିରରେ ଏହି ଦିନ ତିନି ଠାକୁରଙ୍କୁ ହୀରା, ନୀଳା, ମୋତି, ମାଣିକ ଚିତା ପିନ୍ଧା ଯାଇଥାଏ । ଆଉ ଗାଁ ଗହଳି ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଓଡିଆ ଘରେ ହୁଏ ଚିତଉ ପିଠା ।

ପରମ୍ପରାର ନାଁ ଚିତାଲାଗି। ଆଉ ପରମ୍ପରାର କେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଅମାବାସ୍ୟା ଦିନ ମହାପ୍ରଭୁଙ୍କ ନିକଟରେ ସୁବର୍ଣ୍ଣ ଚିତାଲାଗି କରାଯାଉଥିବାରୁ ଲୋକ ମୁଖରେ ଏହା ଚିତାଲାଗି ଅମାବାସ୍ୟା ନାମରେ ପରିଚିତ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ କାଦୁଆ ଅଞ୍ଚଳରେ ଚିତାଲାଗି ଦିନ ଚିତଉ ପିଠା ପ୍ରସ୍ତୁତି ଖୁବ୍ ନିଆରା ଢଙ୍ଗରେ କରାଯାଇଥାଏ । ଏଥିପାଇଁ ପ୍ରଥମେ ଘରେ ଅରୁଆ ଚାଉଳକୁ ପରିଷ୍କାର କରାଯାଇ ସେଥିରେ ନଡିଆ ମିଶାଇ ଶିଳରେ ବଟାଯାଇଥାଏ । ତାପରେ କାଠ ଚୁଲି ପଲମରେ ପ୍ରସ୍ତୁତ ହୁଏ ଚିତଉ ପିଠା। ପିଠାରେ ନଡିଆ ଗୁଡ ଏବଂ ଛେନାର ପୁର ମଧ୍ୟ ଦିଆଯାଇଥାଏ । ପିଠା ପ୍ରସ୍ତୁତ ହେବାପରେ ନିଆଯାଏ ଗାଁରେ ଥିବା ପୋଖରୀ ଏବଂ ନଦୀ କୂଳକୁ।

ଫୁଲ ଚନ୍ଦନ ଘିଅ ଦୀପକୁ ନେଇ ବନ୍ଦାପନା ପୂର୍ବକ ପୂଜା କରାଯାଇଥାଏ ପିଠାକୁ । ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରାଯାଇଥାଏ। ପରେ କୃଷକର ବନ୍ଧୁ ଭାବରେ ପରିଚିତ ଗେଣ୍ଡାମାନଙ୍କ ପାଇଁ ପିଠାକୁ ନଦୀ ତଥା ପୋଖରୀ କୂଳକୁ ଯାଇ ପାଣିରେ ପକାଯାଇଥାଏ । ଏହାପରେ ପୂଜା କରାଯାଇଥାଏ ମାଟି ମା’କୁ । ହୁଳହୁଳି ପକାଇ କ୍ଷେତର ଗୋଟିଏ କୋଣ ଭାଗରେ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ପିଠାକୁ ପୋତି ଦିଆଯାଇଥାଏ । ଭଲ ଫସଲ ପାଇଁ ପ୍ରାର୍ଥନା କରାଯିବା ପରେ ପରିବାରର ସମସ୍ତେ ପ୍ରସାଦ ସେବନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.