ବ୍ୟାଙ୍କ ଜମା ଖାତାରୁ କେମିତି ଗାଏବ ହୋଇଗଲା ଟଙ୍କା ? ସମବାୟ ବ୍ୟାଙ୍କରେ ଚାଷୀ ଋଣ ଦୁର୍ନୀତିର ଚାଲିଛି ଖୋଳତାଡ଼

ସମିତି ଅଧୀନରେ ଥିବା ମିନି ବ୍ଯାଙ୍କରେ ଚାଷୀଙ୍କ ଜମା ଖାତାରୁ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଜଳେଶ୍ୱର (କେନ୍ୟୁଜ୍‌) : ଆକାଉଣ୍ଟଧାରୀ ଜାଣି ନାହାନ୍ତି ହେଲେ ସେମାନଙ୍କ ବ୍ୟାଙ୍କ ଜମା ଖାତାରୁ ଟଙ୍କା ଗାଏବ ହୋଇ ଯାଇଛି । ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ଯାଙ୍କ ଅଧୀନ ବାଲିଆପାଳ ବ୍ଲକର ବଣିଆଡିହା ସେବା ସମବାୟ ସମିତିରେ ଘଟିଛି ଏଭଳି ଘଟଣା । ଚାଷୀଙ୍କୁ ୠଣ ପ୍ରଦାନରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ସମିତି ଅଧୀନରେ ଥିବା ମିନି ବ୍ଯାଙ୍କରେ ଚାଷୀଙ୍କ ଜମା ଖାତାରୁ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଜମାକାରୀଙ୍କ ଖାତାରୁ ହୋଇଛି ଏହି ହରିଲୁଟ। ସେମାନଙ୍କ ଆକାଉଣ୍ଟରେ ଟଙ୍କା ନାହିଁ ବୋଲି ଜାଣିବା ପରେ ଚାଷୀଙ୍କ ମୁଣ୍ତରେ ଏବେ ଚଡକ ପଡିଛି।

ବାଲେଶ୍ବର ବାଲିଆପାଳ ବ୍ଲକ ଲଙ୍ଗଳେଶ୍ବରରେ ରହିଛି ଏହି ବଣିଆଡିହା ସେବା ସମବାୟ ସମିତି। ଅଂଚଳରେ ବହୁଳ ମାତ୍ରାରେ ଧାନ ଚାଷ ହେଉଥିବାରୁ ଚାଷୀଙ୍କ ସୁବିଧା ନିମନ୍ତେ ୧୯୬୯ରେ ବଣିଆଡିହା ସେବା ସମବାୟ ସମିତି ପ୍ରତିଷ୍ଠା ହୋଇଥିଲା। ବ୍ଲକର କୁଣ୍ଡୁଳୀ ଏବଂ ବଣିଆଡିହା ପଞ୍ଚାୟତର ଚାଷୀଙ୍କୁ ନେଇ ଏହି ସମିତି ଗଠିତ ହୋଇଛି। ସମବାୟ ସମିତିରେ ୨୫୦୦ରୁ ଉର୍ଦ୍ଧ୍ବ ସଭ୍ୟ ଅଛନ୍ତି। ୧୫ ଜଣ ବୋର୍ଡ ଡାଇରେକ୍ଟର ଅଛନ୍ତି। ଏହା ସହ ସମିତି ଅଧୀନରେ ଥିବା ମିନି ବ୍ଯାଙ୍କରେ ପ୍ରାୟ ୩୫୦୦ରୁ ଉର୍ଦ୍ଧ୍ବ ଜମାକାରୀ ଅଛନ୍ତି। ସେଥରୁ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ଜମାକାରୀଙ୍କ ସଞ୍ଚୟ ଖାତାରୁ ଦେଢ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ, ବର୍ତ୍ତମାନର ସମ୍ପାଦକ ଏବଂ କର୍ମଚାରୀ ମିଶି ଏହି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ବ୍ଯାଙ୍କରୁ ଟଙ୍କା ଗାୟବ ହୋଇଥିବା ଜାଣିବା ପରେ ଏବେ ଚାଷୀଙ୍କ ମୁଣ୍ତ ରେ ଚଡକ ପଡିଛି। ବଣିଆଡିହା ପଞ୍ଚାୟ ଗଞ୍ଜା ଗାଁର ଚାଷୀ ସୁମତୀ ବାରିକ ଏବଂ ତାଙ୍କ ସ୍ବାମୀ ସୁଧାକର ବାରିକଙ୍କ ଜଏଣ୍ଟ ଆକାଉଣ୍ଟ ରହିଛି। ପାସବୁକ ଆଇ ଡି ନମ୍ବର୧୭୭୦, ଆକାଉଣ୍ଟ ନମ୍ବର୧୦୫୬ ଏବଂ ଲେଜର ଫୋଲିଓ ନମ୍ବର ୨୬/୪୪ । ଭାଗ ଚାଷ କରି ଝିଅ ବାହାଘର ପାଇଁ୨୦୧୪ରୁ ମୋଟ ୨ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଜମା ରଖିଥିଲେ। ଟଙ୍କା ଡିପୋଜିଟ ପରେ ବ୍ଯାଙ୍କ ତରଫରୁ ମିଳିଥିବା ସବୁ ରସିଦ ମଧ୍ଯ ତାଙ୍କ ପାଖରେ ରହିଛି। ମାତ୍ର ବାହାଘର ଠିକ ହୋଇଯିବା ପରେ ସୁମତୀ ଟଙ୍କା ଉଠାଇବା ପାଇଁ ସମବାୟ ସମିତିକୁ ଯିବା ପରେ ତାଙ୍କ ପାସବୁକ୍ ରେ ୨ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଜମା ଥିବା ଦେଖାଉ ଥିଲା। ମାତ୍ର ସମବାୟ ସମିତି ର କ୍ଯାସ ବୁକ (ବା) ଲେଜର ରେ କୌଣସି ଟଙ୍କା ନଥିବା ବ୍ଯାଙ୍କ ର ବର୍ତ୍ତମାନର ସମ୍ପାଦକ କହିଥିଲେ। ଏହା ଶୁଣିବା ପରେ ସୁମତୀଙ୍କ ପାଦ ତଳୁ ମାଟି ଖସଗଲା। ନିଜର କଷ୍ଟ ଅର୍ଜିତ ଟଙ୍କା ପାଇବା ପାଇଁ ବାରମ୍ବାର ସମିତିକୁ ଦୌଡି ଦୌଡି ନିରାଶ ହେବା ପରେ ଶେଷରେ ଝିଅ ବାହାଘରଭାଙ୍ଗି ଗଲା ।

ସେହିପରି ଲଙ୍ଗଳେଶ୍ବର ଗାଁର ଚାଷୀ ପରମାନନ୍ଦ ପାତ୍ର ଏବଂ ସ୍ତ୍ରୀ ଶୈଳବାଳା ପାତ୍ରଙ୍କ ଏକ ଜଏଣ୍ଟ ଆକାଉଣ୍ଟ ରହିଛି। ପାସବୁକ ଆକାଉଣ୍ଟ ନମ୍ବର ୩୨ ଥିଲା। ଲେଜର ଫୋଲିଓ ନମ୍ବର ୨୪/୬୭ ରହିଛି। ୨୦୧୪ରୁ ପୁଅ ର ପାଠ ପଢା ଏବଂ ଝିଅ ର ବାହାଘର ପାଇଁ ଜମା ଖାତାରେ ଡିପୋଜିଟ କରିଥିଲେ। ଡିପୋଜିଟ ପରେ ବ୍ଯାଙ୍କ ତରଫରୁ ମିଳିଥିବା ସମସ୍ତ ରସିଦ ମଧ୍ଯ ତାଙ୍କ ପାଖରେ ରହିଛି। ମାତ୍ର ବର୍ତ୍ତମାନ ତାଙ୍କର ପାସବୁକରେ ୧୧ ଲକ୍ଷ ୩୪ ହଜାର ୭୩୯ ଟଙ୍କା ଜମା ଥିବା ଦେଖାଉଛି। ମାତ୍ର ତାଙ୍କ ବ୍ଯାଙ୍କ କ୍ଯାସ ବୁକ୍ (ବା) ଲେଜରରେ ମାତ୍ର ୧ ଲକ୍ଷ ୨୩ ହଜାର ଟଙ୍କା ଡିପୋଜିଟ ଥିବା ବ୍ଯାଙ୍କ କର୍ତ୍ତୁପକ୍ଷ କହୁଛନ୍ତି। ବାକି ଟଙ୍କା କୁଆଡେ ଗଲା ବୋଲି ପଚାରିବାରୁ ବ୍ଯାଙ୍କ କର୍ତ୍ତୁପକ୍ଷ ତାଙ୍କ ଲେଜର ବୁକରେ ଟଙ୍କା ଜମା ନଥିବା କହିଛନ୍ତି। ସମିତିକୁ ଯାଇ ଟଙ୍କା କୁଆଡେ ଗଲା ବୋଲି ପଚାରିବାରୁ ତାଙ୍କୁ ସମବାୟ ର ସମିତିର ସମ୍ପାଦକ ଓ କର୍ମଚାରୀ ମାନେ ଦୁର୍ବ୍ଯବହାର ପ୍ରଦର୍ଶନ କରୁଥିବା ପରମାନନ୍ଦ ଅଭିଯୋଗ କରିଛନ୍ତି।

ସେହିପରି ଲଙ୍ଗଳେଶ୍ବର ଗାଁରର ଚନ୍ଦନ କୁମାର ପାତ୍ର ୨୦୨୧ରେ ସେଠାରେ ଆକାଉଣ୍ଟ ଖୋଲିଥିଲେ। ତାଙ୍କର ଆକାଉଣ୍ଟ ନମ୍ବର ୩୬୮୨ ଓ ଲେଜର ନମ୍ବର ୩୧/୪୧ । ସେ ମଧ୍ଯ ୨ ଲକ୍ଷ ୯ ହଜାର ୬୩୭ ଟଙ୍କା ଜମା ରଖିଥିଲେ । ବର୍ତ୍ତମାନ ତାଙ୍କ ଲେଜର ବୁକରେ ଟଙ୍କାଟିଏ ବି ନାହିଁ। ସେହିପରି ଲଙ୍ଗଳେଶ୍ବର ଗାଁରର ଅକ୍ଷୟ ପାତ୍ର ଏବଂ ପ୍ରତିଭା ପାତ୍ରଙ୍କ ଜଏଣ୍ଟ ପାସବୁକ ରହିଛି। ତାଙ୍କର ଆକାଉଣ୍ଟ ନମ୍ବର୨୦୧୯ ଓ ଲେଜର ଫୋଲିଓ ନମ୍ବର ୨୨/୧୧୧। ଧାନ ବିକି ସେ ୪୪ ହଜାର ୭୬୦ ଟଙ୍କା ଜମା ରଖିଥିଲେ। ମାତ୍ର ବର୍ତ୍ତମାନ ତାଙ୍କର ଲେଜର ବୁକ୍ ରେ ଟଙ୍କାଟିଏ ମଧ୍ଯ ନାହିଁ।

ଲଙ୍ଗଳେଶ୍ବର ଗାଁର ରତ୍ନାକର ବେହେରା ଆକାଉଣ୍ଟରେ ୩୦ ହଜାର ୨୨ ଟଙ୍କା ଜମା ରଖିଥିଲେ। ମାତ୍ର ତାଙ୍କ ଲେଜର ବୁକ୍ ରେ ଟଙ୍କାଟିଏ ବି ନାହିଁ। ଲଙ୍ଗଳେଶ୍ବର ଗାଁର ଚାଷୀ ହେଉଛନ୍ତି ମାଧବ ଦାସ ତାଙ୍କ ର ପାସବୁକରେ ୨ ଲକ୍ଷ ୩୫ ହଜାର ୯୯ ଟଙ୍କା ରଖିଥିଲେ। ମାତ୍ର ତାଙ୍କ ଲେଜର ବୁକରେ ଟଙ୍କାଟିଏ ମଧ୍ଯ ନାହିଁ। ସେହିପରି ଲଙ୍ଗଳେଶ୍ବର ଗାଁର ଜଗତଜୀବନ ଦାସ , ଗଜେନ୍ଦ୍ର ପଟ୍ଟାୟତ, ରତ୍ନାକର ବେହେରାଙ୍କ ସମେତ ହଜାରେରୁ ଉର୍ଦ୍ଧ୍ବ ଜମାକାରୀଙ୍କ ସଞ୍ଚିତ ଟଙ୍କା ବ୍ଯାଙ୍କରୁ ଗାୟବ ହୋଇଯିବା ଘଟଣା ଅଞ୍ଚଳକୁ ଦୋହଲାଇ ଦେଇଛି। ଟଙ୍କା ନପାଇ ଜମାକାରୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଜମାକାରୀ ଟଙ୍କା ଉଠାଇବା ପାଇଁ ବ୍ଯାଙ୍କକୁ ଗଲେ ସମିତିର ସମ୍ପାଦକ ଟଙ୍କା ଦେଇ ପାରିବେନି ବୋଲି ମନା କରୁଛନ୍ତି। ପୂର୍ବତନ କ୍ଯାସିୟର ଏବଂ ପୂର୍ବତନ ସମ୍ପାଦକ ଏବାବଦରେ କିଛି ଜାଣି ଥିବା କହିଛନ୍ତି। ସମବାୟ ସମିତି ସମୂହର ବାଲେଶ୍ବର ମଣ୍ତଳ ର ଉପନିବନ୍ଧକ, ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ଯାଙ୍କର ମୁଖ୍ଯ କାର୍ଯ୍ଯ ନିର୍ବାହି ଅଧିକାରୀ , ସମବାୟ ସମିତି ସମୂହ ବାଲେଶ୍ବର ମଣ୍ତଳର ସହକାରୀ ନିବନ୍ଧକ, ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ଯାଙ୍କ ବାଲିଆପାଳ ଶାଖା ପରିଚାଳକଙ୍କ ସମେତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଜମାକାରୀ। ମାତ୍ର ଏ ପର୍ଯ୍ଯନ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇନାହାନ୍ତି। ସମବାୟ ସମିତି ମାଧ୍ଯମରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ବିନା ସୁଧରେ ୠଣ ଯୋଗାଇ ଦେବା ପାଇଁ ରାଜ୍ଯ ସରକାର ବ୍ଯବସ୍ଥା କରିଛନ୍ତି।..

ସମିତି ସମ୍ପାଦକ ଏବଂ କର୍ମଚାରୀ ମାନେ ଟଙ୍କା ନେଇ ସେମାନଙ୍କର ସମ୍ପର୍କୀୟ ଏବଂ ଅନେକ ଅଣଚାଷୀଙ୍କୁ ପଞ୍ଜୀକୃତ କରଛନ୍ତି। ୧ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ବିନା ସୁଧରେ ୠଣ ଯୋଗାଇ ଦେଉଛନ୍ତି। ଫଳରେ ପ୍ରକୃତ ଚାଷୀମାନେ ବିନା ସୁଧରେ ୠଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ବାଧ୍ଯହୋଇ ମହାଜନଙ୍କ ଠାରୁ ଅଧିକ ସୁଧରେ ୠଣ ଆଣି ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ସରକାର ଚାଷୀଙ୍କ ପାଇଁ ରବି ଓ ଖରିଫ ୠତୁରେ ବିନା ସୁଧରେ ୠଣ ଯୋଗାଇ ଦେବାର ବ୍ଯବସ୍ଥା କରିଛନ୍ତି। ମାତ୍ର ବ୍ଯାଙ୍କକୁ ଗଲେ ସେମାନଙ୍କଠାରୁ ୠଣ କରାଇ ଦେବା ନାଁରେ ୨ରୁ ୩ ହଜାର ଟଙ୍କା ଲେଖାଏଁ ନେଉଥିବା ଅଭିଯୋଗ ହୋଇଛି । ଏଠାରେ ଧାନ କିଣାରେ ମଧ୍ଯ ବ୍ଯାପକ ଚଞ୍ଚକତା ଅଭିଯୋଗ ହୋଇଛି । ଧାନ କିଣିବା ପାଇଁ ଟୋକନ ବ୍ଯବସ୍ଥା ରହଛି। ହେଲେ ଚଞ୍ଚକତା କରି ବହୁ ଅଣଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ ପଞ୍ଜୀକୃତ କରି ସେମାନଙ୍କଠାରୁ ଅଧିକ ଧାନ କିଣୁଛନ୍ତି। ଫଳରେ ପ୍ରକୃତ ଚାଷୀ ସମିତି ମାଧ୍ଯମରେ ଧାନ ବିକି ନପାରି କମ ଦାମରେ ବାହାର ବ୍ଯବସାୟୀଙ୍କୁ ବିକି କ୍ଷତି ସହୁଛନ୍ତି।

ବିନା କୌଣସି ପରୀକ୍ଷାରେ ଧାନର ମାନ କମ ଏବଂ ଆର୍ଦ୍ରତା ଦର୍ଶାଇ ଅଧିକ କଟନ ଛଟନି ହେଉଛି। ମିଲର, ସମବାୟ ସମିତିର ସମ୍ପାଦକ ଏବଂ କର୍ମଚାରୀ ମାଲେମାଲ ହେଉଛନ୍ତି। କେଉଁ ଚାଷୀ କେତେ ପରିମାଣରେ ଧାନ ଦେବେ ତାର ସୂଚନା ଫଳକ ସମବାୟ ସମିତିରେ ଲଗାଯିବାର ନିୟମ ଅଛି। ମାତ୍ର ଏଠାରେ କୌଣସି ସୂଚନା ଫଳକ ନାହିଁ। ୨୦୧୩-୧୪ରେ ଏହି ସମବାୟ ସମିତି ଅଧୀନରେ ପଞ୍ଜିକୃତ ୭୮ ଜଣ ଚାଷୀଙ୍କ ପାଇଁ ସ୍ପେଶାଲ କ୍ଲାମିଟି ଆସିଷ୍ଟାନ୍ସ ମାଧ୍ଯମରେ ଆସିଥିବା ୨ ଲକ୍ଷ ୩୭ ହଜାର ୯୧୯ ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ତେବେ ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ସମବାୟ ସମିତିର କ୍ଯାସିୟର ସତ୍ଯ ଅଞ୍ଜନ ଦେଙ୍କୁ ସମବାୟ ବୋର୍ଡ ପକ୍ଷରୁ ନିଲମ୍ବନ କରା ଯାଇଛି। ଏନେଇ ସତ୍ଯ ଅଞ୍ଜନ ଦେ କହିଛନ୍ତିଯେ, ତଦନ୍ତ ନକରି ତାଙ୍କୁ ନିଲମ୍ବନ କରାଯାଇଛି। ସେ କୌଣସି ଟଙ୍କା ନେଇ ନାହାନ୍ତି। ଘଟଣା ର ନିରପେକ୍ଷ ତଦନ୍ ହେଉ। ତେବେ ଜମା ଖାତା ରୁ ହଡପ ଟଙ୍କା ଫେରସ୍ତ ନପାଇଲେ ଆତ୍ମାହୂତି ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଚେତାବନୀ ଦେଇଛନ୍ତି।

ବଣିଆଡିହା ସେବାସମବାୟ ସମିତିର ବର୍ତ୍ତମାନର ସମ୍ପାଦକ ରଞ୍ଜନ କୁମାର ପାତ୍ର ଟଙ୍କା ହରିଲୁଟ ଘଟଣାକୁ ସ୍ବୀକାର କରିଛନ୍ତି। ଅଭିଯୋଗ ପାଇବା ପରେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି। ସେବା ସମବାୟ ସମିତିର ସଭାପତି ଇନ୍ଦୁମତି ଜେନା କହିଛନ୍ତି ସେ ଗୋଟିଏ ବର୍ଷ ହେଲା ସଭାପତି ନିର୍ବାଚିତ ହୋଇଛନ୍ତି । ଟଙ୍କା ଆତ୍ମସାତ କରିଥିବା ପୂର୍ବତନ ସମ୍ପାଦକ ଏବଂ କ୍ଯାସିୟରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୁପକ୍ଷ ଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ସେ କହିଛନ୍ତି। ସମବାୟ ସମିତି ସମୂହ ବାଲେଶ୍ବର ମଣ୍ତଳର ସହକାରୀ ନିବନ୍ଧକ ଲକ୍ଷ୍ମୀଧର ରାଉତ ଟଙ୍କା ଆତ୍ମସାତ ଘଟଣାକୁ ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ଜମାକାରୀଙ୍କ ଟଙ୍କା ଆତ୍ମସାତ ଘଟଣାରେ ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ବାଲେଶ୍ୱର ଜଳେଶ୍ୱରରୁ ରାଧା ଗୋବିନ୍ଦ ଦାସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.