Video Viral: କନ୍ୟାକୁ କରୋନା, ତାଙ୍କ ଅନୁପସ୍ଥିତିରେ ମସଜିଦରେ ହେଲା ନିକାହ, କୋଭିଡ ସେଣ୍ଟରରେ ରୋଗୀମାନେ ଏମିତି ମନାଇଲେ ଉତ୍ସବ

କେରଳର ଏକ କୋଭିଡ ସେଣ୍ଟରର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, କୋଭିଡ ସେଣ୍ଟରରେ କୌଣସି ଏକ ଉତ୍ସବର ଆୟୋଜନ କରାଯାଇ ନାଚ, ଗୀତ ଚାଲିଛି। ଖବରରୁ ଜଣାପଡ଼ିଛି, ଏଠାରେ ରହୁଥିବା ୧୯ ବର୍ଷୀୟା ଜଣେ ଯୁବତୀଙ୍କର ବିବାହ ଦିନ କୋଭିଡ ସେଣ୍ଟରର ବାକି ଲୋକମାନେ ତାଙ୍କୁ ଖୁସି କରେଇବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ।
ଫାଜିଆ ନାମ୍ନୀ ଯୁବତୀ ତାଙ୍କ ବିବାହର ଦିନକ ପୂର୍ବରୁ କରୋନା ପଜିଟିଭ ମିଳିଥିଲେ। ତେଣୁ ତାଙ୍କୁ ତୁରନ୍ତ ଏହି କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କୁ ଜ୍ୱର ହେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଫାଜିଆ ମିଡିଆରେ କହିଥିଲେ ଯେ ସେ ବିବାହ ପାଇଁ ଲୁଗା କିଣିବାକୁ ଯାଇଥିବା ବେଳେ ତାଙ୍କୁ ଖବର ମିଳିଥିଲା କି ରିପୋର୍ଟ ପଜିଟିଭ ଆସିଛି।
କିନ୍ତୁ ସେପଟେ ତାଙ୍କ ପରିବାର ଲୋକେ ବିବାହ ନ ଟାଳିବାକୁ ନିଷ୍ପତ୍ତି ନେଇଥିଲେ। କାରଣ, ନିକାହ ସମୟରେ କନ୍ୟାର ଉପସ୍ଥିତି ଅନିବାର୍ଯ୍ୟ ହୋଇ ନ ଥାଏ। ତେଣୁ ନିକାହ ଦିନ କନ୍ୟା ବିବାହ କପଡ଼ାରେ କୋଭିଡ କେୟାର ସେଣ୍ଟରରେ ବସିଥିଲେ ଏବଂ ନିକଟସ୍ଥ ମସଜିଦରେ ନିକାହ ଜାରି ରହିଥିଲା।
video courtesy: facebook
କନ୍ୟାର ଏହି ବିଶେଷ ଦିନକୁ କୋଭିଡ କେୟାର ସେଣ୍ଟରର ଲୋକେ ସ୍ପେଶାଲ କରିଥିଲେ। ଲୋକେ ପାର୍ଟିକୁ ଖୁବ ଏନଜୟ କରିଥିଲେ। କନ୍ୟାଙ୍କ ଚାରିପଟେ ବୁଲି ବୁଲି ଡ୍ୟାନ୍ସ କରିବା ସହ ଗୀତ ମଧ୍ୟ ଗାଇଥିଲେ। ଏହାଦେଖି କନ୍ୟା ହସୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ତେବେ ମନୋରଞ୍ଜନ ପରେ ଖାଦ୍ୟ ପ୍ୟାକେଟର ବ୍ୟବସ୍ଥା ହୋଇଥିଲା। କିନ୍ତୁ କନ୍ୟା କିଛି ଖାଇପାରି ନ ଥିଲେ। ତେଣୁ ଜଣେ ନିବାସୀ ବିରିୟାନି ବ୍ୟବସ୍ଥା କରିଥିଲେ। ସୂଚନାଥାଉ କି, ଫାଜିଆଙ୍କ ନିକାହ ନିୟାଜ ନାମକ ଯୁବକଙ୍କ ସହ ହୋଇଥିଲା।