ଦୀପିକା, ସାରା, ଶ୍ରଦ୍ଧାଙ୍କର ଡ୍ରଗ୍ସ ପେଡ଼ଲରଙ୍କ ସହ ଲିଙ୍କ ଥିବା ନେଇ ମିଳୁନି କୌଣସି ପ୍ରମାଣ, ଆଗକୁ ଏମିତି ରହିବ NCBର ଆକ୍ସନ ପ୍ଲାନ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଡ୍ରଗ୍ସ ଲିଙ୍କ ଅଙ୍ଗଲ ନେଇଥିଲା । ଏନେଇ ତଦନ୍ତ ଜାରି ରଖିଛି ଏନସିବି ଟିମ । ଶନିବାର ମୁମ୍ବାଇ ସ୍ଥିତ ଏନସିବି ଗେଷ୍ଟ ହାଉସରେ ଦୀପିକା, ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କାପୁର ହାଜର ହୋଇଥିବା ବେଳେ ଦୀର୍ଘ ସମୟ ଧରି ସେମାନଙ୍କୁ ଜେରା କରାଯାଇଥିଲା । କିନ୍ତୁ ଏନସିବି ପକ୍ଷରୁ କରାଯାଇଥିବା ଜେରା ସମୟରେ ଏହି ତିନି ଅଭିନେତ୍ରୀଙ୍କର ଡ୍ରଗ୍ସ ପେଡ଼ଲରଙ୍କ ସହ ଲିଙ୍କ ନେଇ କୌଣସି ସୁରାକ ମିଳିପାରିନାହିଁ । ଏନସିବି ପକ୍ଷରୁ ତିନି ଜଣଙ୍କ ଫୋନ ଜବତ ହୋଇଥିବା ବେଳେ କିନ୍ତୁ ସେମାନଙ୍କୁ କ୍ଲିନଚିଟ ଦିଆଯାଇନାହିଁ । ମୁମ୍ବାଇର ଏକ ସମ୍ବାଦ ପତ୍ର ଦ୍ୱାରା ଜାରି ହୋଇଥିବା ରିପୋର୍ଟ
ମୁତାବକ, ଦୀପିକାଙ୍କୁ ଯେବେ ମେନେଜର କରିଶ୍ମା ପ୍ରକାଶଙ୍କ ସହ କରିଥିବା ଡ୍ରଗ୍ସ ଚାର୍ଟକୁ ନେଇ ପ୍ରଶ୍ନ କରାଯାଇଥିଲା, ସେ ଉତ୍ତରରେ କହିଥିଲେକି ସେ ଡ୍ରଗ୍ସ ସେବନ କରନ୍ତି ନାହିଁ । ଚାଟରେ ସେ ଡ୍ରଗ୍ସ ନୁହେଁ ବରଂ ସିଗାରେଟ ବାବଦରେ ହିଁ ସେମାନେ କଥା ହେଉଥିଲେ । ଦୀପିକା ଏହା ମଧ୍ୟ କହିଛନ୍ତିକି ସେମାନେ ବ୍ୟବହାର କରିଥିବା ହେସ, ବିଡ଼, ମାଲ ପରି ଶବ୍ଦ ଗୁଡିକ ସିଗାରେଟର କୋଡ଼ ୱାର୍ଡ । ହେସକୁ ସେମାନେ ପତଳା ସିଗାରେଟ ଓ ବିଡ଼କୁ ମୋଟା ସିଗାରେଟ ଅର୍ଥରେ ହିଁ ସେମାନେ ବ୍ୟବହାର କରିଥାନ୍ତି । ଚାଟରେ “ମାଲ ହେ କ୍ୟା” ସେ ସିଗାରେଟକୁ ନେଇ ହିଁ କରିଥିଲେ । ଏହି ସବୁ ଶବ୍ଦକୁ ସେମାନେ ନିଜ ଗ୍ରୁପ ଚାଟରେ ସେମାନେ ନିୟମିତ ବ୍ୟବହାର କରିଥାନ୍ତି । ସୂଚନା ଦେବା ଯୋଗ୍ୟକି ଦୀପିକାଙ୍କ ପରି ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କପୁର ବି ଡ୍ରଗ୍ସ ନେବା ନେଇ ମନା କରିଦେଇଛନ୍ତି ।
ଯେବେ ଏନସିବି ଟିମ ଶ୍ରଦ୍ଧା କପୁରଙ୍କୁ ସିବିଡ଼ି ଅଏଲକୁ ନେଇ ପ୍ରଶ୍ନ କରିଥିଲେ, ଉତ୍ତରରେ ସେ ଏହାକୁ ସେବନ ପାଇଁ ନୁହେଁ ଅନ୍ୟ କାମରେ ବ୍ୟବାହାର କରିବାକୁ ମଗାଇ ଥିଲେ ବୋଲି କହିଛନ୍ତି । କହିରଖିବା ଉଚିତ ହେବକି, ଏହି ଘଟଣାକୁ ନେଇ ଏନସିବି ମୁଖ୍ୟ ରାକେଶ ଆସ୍ଥାନା ମୁମ୍ବାଇରେ ପହଂଚି ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଦୃଢ ପ୍ରମାଣ ନଥିଲେ କୌଣସି ସେଲିବ୍ରିଟିଙ୍କୁ ସମନ ଜାରି କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ରାଡ଼ାରରେ ବର୍ତ୍ତମାନ ସୁଦ୍ଧା ୪୦ ରୁ ୫୦ ଜଣ ସେଲିବ୍ରିଟି ଥିବା ଜଣାଯାଇଛି ।