ଧବଳେଶ୍ୱର ପୀଠରେ କାହିଁକି ଠିକ୍ ଝୁଲା ପୋଲ ପାଖରେ ହେଲା ନାହିଁ କଂକ୍ରିଟ୍ ବ୍ରିଜ୍, ଘଟିଥିଲା କି କିଛି ଅଲୌକିକ ଘଟଣା ?

କଥାରେ ଅଛି, ମାନିଲେ ଠାକୁର ନମାନିଲେ ପଥର । ତେଣୁ ଏ ଦୁନିଆ କେବଳ ଆସ୍ଥା ଓ ବିଶ୍ୱାସ ଉପରେ ହିଁ ତିଷ୍ଠି ରହିଛି । ତେଣୁ ପ୍ରତି ଦିନ କୌଣସି ନା କୌଣସି ଠାକୁର ଅବା ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଉପରେ ଲୋକଙ୍କ ନଜର ରହିଥାଏ । ଏମିତି ଭାବରେ ବିଶ୍ୱାସର ଠାକୁର ଭାବେ ଉଭା ହୋଇଛନ୍ତି କଟକ ଜିଲ୍ଲାର ବାବା ଧବଳେଶ୍ୱର । ମହାନଦୀ ମଝିରେ ରହିଛି ଏହି ପ୍ରସିଦ୍ଧ ଶୈବ ପୀଠ । ଯେଉଁଠି ଝୁଲା ପୋଲରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଯାଆନ୍ତି ।
ବାବା ଧବଳେଶ୍ୱରଙ୍କୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କିଭଳି ସେ ଏଠାରେ ଉଭା ହେଲେ ଏବଂ ସମୟ କ୍ରମେ କେମିତି ତାଙ୍କର ଆଶୀର୍ବାଦ ଭକ୍ତମାନଙ୍କୁ ମିଳିଛି, ସେ ସମ୍ପର୍କରେ ଶୁଣିବାକୁ ମିଳେ । ହେଲେ ନିକଟରେ ଆଉ ଗୋଟିଏ କଥା ତାଙ୍କ ସହ ଯୋଡ଼ି ହୋଇ ଯାଇଛି । ଆସନ୍ତୁ ଜାଣିବା ସେହି ବିଷୟରେ । ଆପଣମାନେ ଯେଉଁମାନେ ଏବେ ବାବାଙ୍କ ପୀଠକୁ ଯାଇଥିବେ ଝୁଲା ପୋଲରରେ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିବେ । ସେହି ଝୁଲା ପୋଲର କିଛି ଦୂରରେ ଗୋଟିଏ କଂକ୍ରିଟ୍ ପୋଲ ନିର୍ମାଣ ଚାଲିଛି । ଏହି ପୋଳଟି ସମ୍ପୂର୍ଣ୍ଣ ହେଲେ ଧବଳେଶ୍ୱର ପୀଠ ଯାଏ ସହଜରେ ଯାନବାହନ ମଧ୍ୟ ଯାତାୟାତ କରି ପାରିବ । ତେବେ ଏହି କଂକ୍ରିଟ୍ ପୋଲକୁ ନେଇ ଏକ କଥା ରହିଛି ଏ ଅଞ୍ଚଳରେ ।
ସ୍ଥାନୀୟ ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳେ, ଏହି କଂକ୍ରିଟ୍ ପୋଲ ଠିକ୍ ଝୁଲା ପୋଲର ନିକଟରେ ତିଆରି ହେବା କଥା । କିନ୍ତୁ ଏହାକୁ କିଛି କାରଣରୁ ଘୁଞ୍ଚାଇ ଅନ୍ୟ ଜାଗାରେ କରିବାକୁ ପଡ଼ିଲା । ଶୁଣିବାକୁ ମିଳେ କୁଆଡ଼େ ଝୁଲା ପୋଲ ନିକଟରେ ଏକ ବଡ଼ ଗଣ୍ଡ ରହିଛି । ଯେଉଁଠି ସର୍ଭେ କରିବା ପାଇଁ ପ୍ରଥମେ ବୁଡ଼ାଳିମାନେ ପାଣିରେ ବୁଡ଼ିଥିଲେ । ତେବେ ଯାହା କୁହାଯାଏ ସେମାନେ ସେଠାରେ ଅନେକ ତଳକୁ ବୁଡ଼ିବା ପରେ କି କିଛି ଥଳକୂଳ ପାଇଲେ ନାହିଁ । ଆହୁରି ତଳକୁ ଯିବା ପରେ ଗୋଟିଏ ମନ୍ଦିର ସେମାନଙ୍କ ନଜରକୁ ଆସିଲା । ତେଣୁ ସେମାନେ ଫେରି ଆସିଲେ ।
ଏହାପରେ ପୋଲ ନିର୍ମାଣ ପାଇଁ ଆସିଥିବା ଇଞ୍ଜିନିୟରମାନେ ଆଉ ଟିକେ ଦୂରକୁ ବୁଡ଼ି ପୋଲ ଜାଗା ଠିକ୍ କରିବାକୁ କହିଲେ । ତେଣୁ ସେହି ଦୁଇ ବୁଡ଼ାଳି ପୁଣିଥରେ ଅଳ୍ପ ଆଗକୁ ପାଣିରେ ବୁଡ଼ିଲେ । ହେଲେ ସେଠାରେ ପାଣି ଭିତରେ ସେ ଯାହା ଦେଖିଲେ ଭୟ ପାଇଗଲେ । ଏକ ସାପ ଭଳି ବିରାଟ ଜୀବର କିଛି ଅଂଶ ସେମାନଙ୍କୁ ଦେଖାଗଲା । ସେମାନେ ଡରି ଯାଇ ତୁରନ୍ତ ପାଣି ଉପରକୁ ଉଠି ଆସି ଏକଥା କହିଥିଲେ । ଏ ଘଟଣା ପରେ ବୁଡ଼ାଳିମାନେ ଆଉ କିଛି ଦୂରକୁ ଯାଇ ଯାଞ୍ଚ କରିବା ପରେ ବର୍ତ୍ତମାନ ପୋଲ ହୋଇଥିବା ଜାଗାକୁ ସ୍ଥିର କରାଯାଇଥିଲା ।
ଅବଶ୍ୟ ଏହା ଲୋକଙ୍କ ମୁହଁରୁ ଶୁଣାଯାଏ ଯେ ବୋଧହୁଏ ବାବା ଧବଳେଶ୍ୱରଙ୍କ ଇଚ୍ଛା ଏଠାରେ କଂକ୍ରିଟ୍ ପୋଲ ନକରିବା ପାଇଁ । ତେଣୁ ସମସ୍ୟା ସୃଷ୍ଟି କଲେ । ତେବେ ଅନ୍ୟମାନଙ୍କ ଠାରୁ ଶୁଣିବାକୁ ମିଳେ କି ଝୁଲାପୋଲ ତଳେ ଅତି ଗଭୀର ଗଣ୍ଡ ରହିଛି । ଯେଉଁଠି ପିଲାର ପକାଇବା ସହଜ କଥା ନୁହେଁ । ତେଣୁ ସେହି ଜାଗାରେ ପୋଲ କରାଗଲା ନାହିଁ । ହେଲେ ବୁଡ଼ାଳିଙ୍କ କଥା ଯଦି ସତ ହୋଇଥାଏ ତେବେ ତାହା ନିଶ୍ଚୟ ବାବା ଧବଳେଶ୍ୱରଙ୍କ ମହିମା ବୋଲି କହି ହେବ ।