ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ : ସବୁ ବେଳେ ତ୍ରିମୁଖୀ ଲଢ଼େଇ, ଏଥର ?

() ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳୀ । ସରଗରମ ହେଲାଣି ନିର୍ବାଚନୀ ପାଣିପାଗ । ଏଠାରେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦଳ ଏବଂ ରାଜନେତାଙ୍କୁ ପରୀକ୍ଷା ନିରୀକ୍ଷା କରିଛନ୍ତି ଭୋଟର । ନନ୍ଦିନୀ ଶତପଥୀଙ୍କୁ ଛାଡିଦେଲେ ଢେଙ୍କାନାଳର ଭୋଟର ବାରମ୍ବାର କୌଣସି ରାଜନେତାଙ୍କୁ ଦେଖିବାକୁ ଚାହିଁ ନାହାନ୍ତି । ବିଗତ ନିର୍ବାଚନ ଗୁଡ଼ିକରେ ଏଠାରେ ତ୍ରିମୁଖୀ ଲଢେଇ ହୋଇଥିବା ବେଳେ ଏଥର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିପାରେ ।

DHENKANAL MAP

ଢେଙ୍କାନାଳ ସଦର ବ୍ଳକର ୨୯ଟି ପଞ୍ଚାୟତ

ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳୀ । ଢେଙ୍କାନାଳ ସଦର ବ୍ଳକର ୨୯ଟି ପଞ୍ଚାୟତ, ଢେଙ୍କାନାଳ ମ୍ୟୁନସିପାଲିଟି ଏବଂ ଗଁଦିଆ ବ୍ଳକର ୨୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ବିଧାନସଭା ଆସନ । ଭୋଟର ସଂଖ୍ୟା ୨ଲକ୍ଷ ୪୯ ହଜାର । ଏକଦା ଗଡ଼ଜାତ ଅଞ୍ଚଳ ଭାବେ ବେଶ ପ୍ରସିଦ୍ଧ ଥିବା ଢେଙ୍କାନାଳ, ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ରଖିଛି । ଏହା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଆସନ। ଏଠାରୁ ଚାରି ଚାରିଥର ନିର୍ବାଚିତ ହୋଇଥିଲେ ନନ୍ଦିନୀ ଶତପଥୀ । ୧୯୭୪, ୧୯୭୭, ୧୯୮୦ ଏବଂ ୧୯୮୫ରେ ନନ୍ଦିନୀ ଶତପଥୀ ଏଠାରୁ ବିଜୟୀ ହୋଇଥିଲେ। ଗଡ଼ଜାତ ଅଞ୍ଚଳ ହୋଇଥିଲେ ବି ଏଠାରେ ରାଜ ପରିବାରର ଦବ୍‌ଦବା ନାହିଁ । ତେବେ ଢେଙ୍କାନାଳ ରାଜପରିବାର ଦଖଲକୁ ତିନିଥର ଯାଇଛି ଏହି ଆସନ । ୧୯୫୭ରେ ଶଙ୍କର ପ୍ରତାପ ସିଂଦେଓ, ୧୯୬୧ ଏବଂ ୧୯୬୭ରେ ରତ୍ନପ୍ରଭା ଦେବୀ ଏଠାରୁ ନିର୍ବାଚିତ ହୋଇଥିଲେ । ବେଶ ସଚେତନ ଢେଙ୍କାନାଳର ଭୋଟର । ସେମାନେ ଦଳ ନୁହେଁ, ପ୍ରାର୍ଥୀକୁ ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଯାହା ବିଗତ ନିର୍ବାଚନ ଗୁଡ଼ିକରେ ଦେଖିବାକୁ ମିଳିଛି ।

୨୦୧୪ ନିର୍ବାଚନର ଫଳାଫଳ

ଏବେ ଦେଖିବା କଣ ଥିଲା ୨୦୧୪ ନିର୍ବାଚନର ଫଳାଫଳ । ୨୦୧୪ରେ ଏଠାରେ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିଲା । କଂଗ୍ରେସ ପଛରେ ପଡି ଯାଇଥିବା ବେଳେ ବିଜେଡି ଏବଂ ବିଜେପି ମଧ୍ୟରେ ମୁକାବିଲା ଜୋରଦାର ହୋଇଥିଲା । ୨୦୦୦ ମସିହାର ବିଧାୟକ ତଥା ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ମାତ୍ର ୩ହଜାର ୨୯୪ ଖଣ୍ଡ ଭୋଟ ବ୍ୟବଧାରେ ହରାଇ ବାଜିମାତ କରିଥିଲେ ବିଜେଡି ପ୍ରାର୍ଥୀ ସରୋଜ କୁମାର ସାମଲ ।

DHENKANAL-1

ସରୋଜ କୁମାର ସାମଲଙ୍କୁ ୬୯ ହଜାର ୮୩ ଖଣ୍ଡ ଭୋଟ ମିଳିଥିବାବେଳେ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୬୫ ହଜାର ୭୮୯ ଖଣ୍ଡ ଭୋଟ ମିଳିଥିଲା । ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ରଙ୍କୁ ୩୦ ହଜାର ୫୭୧ ଖଣ୍ଡ ଭୋଟ ମିଳିଥିଲା । ୧୯ ଲଢେଇ ପାଇଁ ଏବେ ତିନି ଦଳ ମଇଦାନରେ । ଘମାଘୋଟ ହେଲାଣି ପ୍ରାକ୍‌ ନିର୍ବାଚନୀ ପାଣିପାଗ । ନିଜ ନିଜର ମୁଦ୍ଦା ନେଇ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି ନେତା । ଏଠାରେ ବିଗତ ନିର୍ବାଚନରେ ପ୍ରାୟ ତ୍ରିମୁଖୀ ଲଢେଇର ଚିତ୍ର ଦେଖିବାକୁ ମିଳିଥିବା ବେଳେ ଏଥର ମଧ୍ୟ ତ୍ରିମୁଖୀ ଲଢେଇର ସମ୍ଭାବନା ରହିଛି । ତେବେ ତିନି ଦଳରେ ଆଶାୟୀ ତାଲିକା ବେଶ ଲମ୍ବା ଥିବାରୁ କେଉଁ ଦଳ କାହାକୁ ଟିକେଟ୍‌ ଦେଉଛନ୍ତି ତା ଉପରେ ନଜର ରହିଛି ।

ରିପୋର୍ଟ : ଅଥୟ କୁମାର ସାହୁ, ଢେଙ୍କାନାଳ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.