ଜାଣନ୍ତୁ କଣ ଏ ପଞ୍ଚଗବ୍ୟ ରାକ୍ଷୀ? ଯାହାକୁ ତିଆରି କରିଛନ୍ତି ଏହି କୁନି କୁନି ପିଲା

ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ଉପଲକ୍ଷେ ପୁରୀର କୁନି କୁନି ବସ୍ତି ପିଲାମାନେ ପ୍ରସ୍ତୁତ କରିଛନ୍ତି ପଞ୍ଚଗବ୍ୟ ରାକ୍ଷୀ । ଜୈବିକ ରଙ୍ଗରେ ପ୍ରସ୍ତୁତ ଏହି ରାକ୍ଷୀ ଦ୍ୱାରା ପିଲାମାନଙ୍କୁ କେବଳ ଆତ୍ମନିର୍ଭରଶୀଳର ତାଲିମ ଦିଆଯାଉଛି ତାହା ନୁହେଁ ବରଂ ପରିବେଶ ଓ ଗୋବଂଶ ସୁରକ୍ଷାରେ ବାର୍ତ୍ତା ଦିଆଯାଇଛି।

ପୁରୀ(କେନ୍ୟୁଜ): ଆସନ୍ତାକାଲି ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ବଡଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ। ଟାରୋଟି ବଡ଼ ରାକ୍ଷୀ ସହ ପ୍ରସ୍ତୁତ ହେଉଛି ଗୁଆମାଳ। ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି।

ତେବେ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ଉପଲକ୍ଷେ ପୁରୀର କୁନି କୁନି ବସ୍ତି ପିଲାମାନେ ପ୍ରସ୍ତୁତ କରିଛନ୍ତି ପଞ୍ଚଗବ୍ୟ ରାକ୍ଷୀ । ଜୈବିକ ରଙ୍ଗରେ ପ୍ରସ୍ତୁତ ଏହି ରାକ୍ଷୀ ଦ୍ୱାରା ପିଲାମାନଙ୍କୁ କେବଳ ଆତ୍ମନିର୍ଭରଶୀଳର ତାଲିମ ଦିଆଯାଉଛି ତାହା ନୁହେଁ ବରଂ ପରିବେଶ ଓ ଗୋବଂଶ ସୁରକ୍ଷାରେ ବାର୍ତ୍ତା ଦିଆଯାଇଛି। ପୁରୀ ସହରର କିଛି ଉଚ୍ଚଶିକ୍ଷିତ ଯୁବ ସ୍ଵେଚ୍ଛାସେବୀମାନଙ୍କ ନିଜସ୍ଵ ପ୍ରଚେଷ୍ଟାରେ ପେଣ୍ଠକଟା ଧୋବାଖାଲ ବସ୍ତିରେ ଦୀର୍ଘ ଦୁଇ ବର୍ଷ ହେବ ଗଢି ତୋଳିଛନ୍ତି ଆମ ଚାଟଶାଳୀ। ଏହି ଚାଟଶାଳୀରେ ପାଠପଢୁଥିବା କୁନି କୁନି ପିଲାମାନେ ଏହି ପଞ୍ଚଗବ୍ୟ ରାକ୍ଷୀ ପ୍ରସ୍ତୁତି କରି ଏବେ ଚର୍ଚ୍ଚାରେ ।

child rakhi

ସାଧାରଣତଃ ବସ୍ତିରେ ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଶିକ୍ଷିତ । ଏମାନେ ନିଜ ପିଲାଙ୍କୁ ମଧ୍ୟ ଶିକ୍ଷା ନଦେଇ ଜରି,ପ୍ଲାଷ୍ଟିକ ବୋତଲ ସଂଗ୍ରହ ସହ ଭିକ୍ଷା ବୃତ୍ତି କାର୍ଯ୍ୟରେ ଲଗାଇଥାନ୍ତି । ଯେଉଁ ମାନେବି ସ୍କୁଲ ଯାଇଥାନ୍ତି ସେମାନେ ଆର୍ଥିକ ଅଭାବ ଅନାଟନ କିମ୍ବା ଅନ୍ୟ କୌଣସି କାରଣରୁ ଅଧାରୁ ସ୍କୁଲ ଛାଡ଼ିଥାନ୍ତି । ଆଉ ଅନେକ କୁସଙ୍ଗରେ ପଡ଼ି ଅସାମାଜିକ କାର୍ଯ୍ୟରେ ଜଡ଼ିତ ହୁଅନ୍ତି ।

ଏଭଳି ବାସ୍ତବତାକୁ ଅନୁଭବ କରି ସହରର କିଛି ଉଚ୍ଚ ଶିକ୍ଷିତ ଯୁବକ ଅନ୍ୱେଷଣ ନାମକ ଅନୁଷ୍ଠାନ ଗଢି ନିଜସ୍ଵ ଉଦ୍ୟମରେ ପୁରୀ ପେଣ୍ଠକଟା ଧୋବାଖାଲ ବସ୍ତିରେ ଗଢ଼ିଛନ୍ତି ଆମ ଚାଟଶାଳୀ । ପିଲାଙ୍କୁ କେବଳ ପାଠ ପଢା ନୁହେଁ ବରଂ ଆତ୍ମନିର୍ଭରଶୀଳ ହେବା ପାଇଁ ଶିକ୍ଷା ଦିଆଯାଉଛି । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଆମ ଚାଟଶାଳୀରେ ପଢୁଥିବା ୭୨ ଜଣ କୁନି କୁନି ପିଲା ପ୍ରସ୍ତୁତ କରିଛନ୍ତି ପଞ୍ଚଗବ୍ୟ ରାକ୍ଷୀ । ଭଳିକି ଭଳି ଫୁଲ ଓ ପ୍ରଜାପତି ଭଳି ପ୍ରସ୍ତୁତ ହୋଇଛି ରାକ୍ଷୀ ।

ଜୈବିକ ଓ ପାଣି ରଙ୍ଗ ବ୍ୟବହାର କରି କୁନି କୁନି ନିଜ ଖୁସି ଓ ଜ୍ଞାନରେ ତିଆରି କରିଛନ୍ତି ଇକୋଫ୍ରେଣ୍ଡଲି ରାକ୍ଷୀ । ଭାରତୀୟ ସୁସ୍ଥ ଦେଶୀ ଗାଈର ଗୋବର, ଗୋମୁତ୍ର ,ଦୁଗ୍ଧ, ଦହିର ମିଶ୍ରଣ କରି ଏହାକୁ ବାନ୍ଧି ରଖିବା ପାଇଁ ମୁଲତାନି ମାଟି ଓ ଔଷଧୀୟ ବୃକ୍ଷ ,ତୁଳସୀ ,ବିଭିନ୍ନ ଫୁଲ ଓ ପନିପରିବାର ମଞ୍ଜି ରହିଛି । ଶିଶୁ ମାନେ ମନୋରଞ୍ଜନ ମାଧ୍ୟମରେ ପରିବେଶ ଉପଯୋଗୀ ରାକ୍ଷୀ ଟିଏ ତିଆରି କରି ଗୋବଂଶ,ପରିବେଶ ଓ ଶିଶୁ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ।

rakhi pic

ଧାର୍ମିକ ତଥା ବୈଜ୍ଞାନିକ ମତକୁ ଗ୍ରହଣ କଲେ ପଞ୍ଚଗବ୍ୟ ନକାରାତ୍ମକ ଭାବକୁ ନଷ୍ଟ କରେ। ପରିବେଶ ଉପଯୋଗୀ ଏହି ପଞ୍ଚଗବ୍ୟ ରାକ୍ଷୀ ବ୍ୟବହାର ପରେ ଫିଙ୍ଗି ଦିଆଗଲେ ସେଥିରେ ଥିବା ମଞ୍ଜି ମାଟିରେ ପଡ଼ି ଗଛ ହୁଏ । ଏଭଳି ମହତ ଚିନ୍ତାଧାରାକୁ ବସ୍ତିର କୁନି କୁନି ପିଲା ସାକାର କରି ଦେଖାଇଛନ୍ତି । ଏଭଳି ପ୍ରୟାସ ଦ୍ଵାରା ସେମାନେ ନିଜ ନିଜ ପାଇଁ କିଛି ରୋଜଗାର କରିବା ସହ ଉନ୍ନତ ଶିକ୍ଷା ମିଳିବା କ୍ଷେତ୍ରରେ ସେମାନଙ୍କୁ ସହାୟକ ହେବ।

ଗତ ଦୀପାବଳି ଅମାବାସ୍ୟାରେ ଆମ ଚାଟଶାଳୀର ପିଲାମାନେ ପଞ୍ଚଗବ୍ୟ ଦୀପ ପ୍ରସ୍ତୁତ କରିଥିଲେ । ଏଥର ପ୍ରସ୍ତୁତ କରିଛନ୍ତି ପଞ୍ଚଗବ୍ୟ ରାକ୍ଷୀ । ଯାହାର ଦାମ୍ ମାତ୍ର ୩୦ ଟଙ୍କା ରଖାଯାଇଛି । କିଛି ଶୁଭେଚ୍ଛୁ ପିଲାଙ୍କ ଠାରୁ ଏହି ରାକ୍ଷୀ କିଣି ସେମାନଙ୍କ ମନୋବଳ ବଢାଇଛନ୍ତି । ଆପଣବି କିଣି ଆଣନ୍ତୁ ଏଥର ପଞ୍ଚଗବ୍ୟ ରାକ୍ଷୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.