Below header

ଜୀବନ କଣ ଏତେ ଶସ୍ତା? ସାମାନ୍ୟ ଚ୍ୟାଲେଞ୍ଜ ପାଇଁ ଚାଲିଗଲା ପ୍ରାଣ

ଇଟିଙ୍ଗ୍ ଚ୍ୟାଲେଞ୍ଜ ପଡିଲା ମହଙ୍ଗା । ଦରକାର ଠାରୁ ଅଧିକ ଖାଇବାକୁ ତଣ୍ଟିରେ ଅଟକି ଗଲା ଖାଦ୍ୟ । ତାପରେ ଯାହା ହେଲା ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା ।

ବାରିପଦା(କେନ୍ୟୁଜ୍‌): ଆଜିକାଲି ପିଲା ଠୁ ନେଇ ବୟସ୍କ ସଭିଏଁ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ । ନିଜକୁ ପପୁଲାର ବା ଲୋକଲୋଚନକୁ ଆଣିବା ପାଇଁ ଯିଏ ଯାହା ପାରିଲା ସୋସିଆଲ୍ ମିଡିଆରେ ପ୍ରଦର୍ଶନ କଲା । ଖାସ୍ କରି କହିବାକୁ ଗଲେ ଇଟିଙ୍ଗ୍ ଚ୍ୟାଲେଞ୍ଜ। ବିଭିନ୍ନ ପ୍ରକାରର ଡିସ୍ ପ୍ରସ୍ତୁତ କରି ତାକୁ କମ୍ ସମୟରେ ଖାଇବା, ଦରକାର ଠାରୁ ଅଧିକ ଖାଦ୍ୟ ଖାଇ ଲୋକଙ୍କୁ ଚକିତ କରିବା, ଅଧିକ ତେଲ ମସଲା ବା ଆମିଷ ଖାଇବା ଭଳି ଚ୍ୟାଲେଞ୍ଜକୁ କ୍ୟାମେରା ସମ୍ମୁଖରେ କରି କପରି ଅଧିକ ଭିୟୁ,ଲାଇକ୍,କମେଣ୍ଟ ପାଇବେ ସେଇ ନିଶା ଘାରିଛି କିଛି ଲୋକଙ୍କୁ । ଏଭଳି କିଛି କରି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ଭଲ ରୋଜଗାର କରୁଛନ୍ତି ଏମାନେ ।

ହେଲେ ଏଭଳି କରିବା ଯେ ଶରୀର ପାଇଁ କେତେ କ୍ଷତିକାରକ ତାହା ଉପରେ କାହାର ନଜର ନଥାଏ । କହିବାକୁ ଗଲେ ଏସବୁ ଜୀବନ ପ୍ରତି ବିପଦ। ଯାହାର ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି । ଗୁଲୁଗୁଲା । ଏହାକୁ ଯିଏ ଖାଇଛି ସେହିଁ କହିପାରିବ ଏହା କେତେ ଟେଷ୍ଟି । ତେବେ ଗୁଲୁଗୁଲା ଯେ କେବେ କାହାର ଜୀବନ ନେଇଯିବ ସେ କଥା କିଏ କେବେ ସ୍ୱପ୍ନରେ ସୁଧା ଭାବିଥିବ । ହେଲେ ଏମିତି ଏକ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗାଁରେ ।

ଗୁଲୁଗୁଲା ଖାଉ ଖାଉ ଚାଲିଗଲା ଜୀବନ । ସାମାନ୍ୟ ଚ୍ୟାଲେଞ୍ଜ ପଡିଗଲା ମହଙ୍ଗା । ଗୁଲୁଗୁଲା ଖାଉ ଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବା ପରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳିଏକ ଅଭାବନୀୟ ଘଟଣା ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆଲେୋଡନ ସୃଷ୍ଟି କରିଛି। ମୃତକ ହେଲେ ଶିରୀଶଚନ୍ଦ୍ର ମହାନାୟକ । ବୟସ ପାଖାପାଖି ୪୨ ବର୍ଷ ।

ସୂଚନା ଅନୁସାରେ ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ । ସେଠାରେ ମଜା ମଜାରେ ପଡିଥିଲା ଚ୍ୟାଲେଞ୍ଜ । ଚ୍ୟାଲେଞ୍ଜରେ ଥରକରେ ଏକାବେଳକେ ଚାରି ଗୋଟି ଗୁଲୁଗୁଲା ଓ ଗୋଟିଏ ମାଲପୁଆ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିଲେ ଶିରୀଶ। ଖାଉଥିବା ସମୟରେ ହିଁ ତଣ୍ଟିରେ ଲାଗି ଅଟକି ରହିଯାଇଥିଲା ଖାଦ୍ୟ । ଯାହାଫଳରେ ଅଣନିଶ୍ୱାସୀ ହୋଇପଡିଥିଲେ ଶିରୀଶ । ଦେଖୁ ଦେଖୁ ଗୁରୁତର ହୋଇପଡ଼ିଥିଲେ ।

ଏହାଦେଖି ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ। ତେବେ ପାଣି ନାକ ପଟୁ ବାହାରି ଆସିଥିଲା । ଏହାପରେ ନିମିଷକ ଭିତରେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାରଲୋକଙ୍କ ଏତଲା ପରେ ବଡଜାମବଣି ଫାଣ୍ଡି ଅଧିକାରୀ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

ଜୀବନ କଣ ଏତେ ଶସ୍ତା? ଆମେ ଅନୁରୋଧ କରିବୁ ସାମାନ୍ୟ କେଇ ମିନିଟ୍ ର ଖୁସି ପାଇଁ ଏଭଳି ଜୀବନ ନେବାଭଳି କାର୍ଯ୍ୟ କରନ୍ତୁ ନାହିଁ । ଖାସ୍ କରି ଏଭଳି ଚ୍ୟାଲେଞ୍ଜଠୁ ଦୂରେଇ ରୁହନ୍ତୁ ଏବଂ ନିଜେ ସୁରକ୍ଷିତ ରୁହନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.