ଇଏ ୧୦ବର୍ଷର କଥା : ଗାଈ, ବାଛୁରୀ ସହ ଗୁହାଳ ଘରେ ବୃଦ୍ଧ ଦମ୍ପତିଙ୍କର ବିତୁଛି ଜୀବନ

କାକଟପୁର ବ୍ଲକର ସୁହାଣପୁର ପଞ୍ଚାୟତର ସୁହାଣପୁର ଗ୍ରାମର ବାଣୁଆସାହିରେ ରୁହନ୍ତି କୈଳାସ ଘଡେଇ। କୈଳାଶ ଘଡେଇଙ୍କ ପରିବାର କହିଲେ ୭୦ ବର୍ଷୀୟ କୈଳାଶ ଏବଂ ତାଙ୍କର ୬୫ ବର୍ଷୀୟ ତାଙ୍କ ସ୍ତ୍ରୀ । ଦୁଇପ୍ରାଣୀ କୁଟୁମ୍ବ । ହେଲେ ଏମିତି ଦୟନୀୟ ଅବସ୍ଥାରେ ବିତୁଛି ଏହି ଦମ୍ପତିଙ୍କ ଜୀବନ ଆପଣ ଜାଣିଲେ ଆଖିରୁ ଲୁହ ଖସିଯିବ ।

କାକଟପୁର(କେନ୍ୟୁଜ୍): ଦର ଭଙ୍ଗା ଗୁହାଳ ଘର । ଗୁହାଳ ଘରେ ପଡିଛି ଅଧା ଭଙ୍ଗା ଖଟ ଟିଏ । ଖଟ ଉପରେ ବସିଛନ୍ତି ବୃଦ୍ଧ ଦମ୍ପତି । ଆଉ ପାଖରେ ଠିଆ ହୋଇଛି ବାଛୁରୀଟିଏ । ବାଛୁରୀଟିକୁ ନିଜ ହାତରେ ଆଉଁସି ପକାଇ ସ୍ନେହ ଆଦର କରୁଛନ୍ତି ଏହି ବୃଦ୍ଧ ଦମ୍ପତି । ହେଲେ ଗୁହାଳ ଘରେ ଏମିତି ଖଟ ପଡିଛି ଖାଲି ଖଟ ନୁହେଁ ତକିଆ ଚାଦର ବି ଥୁଆ ହୋଇଛି, କଣ କିଛି ବୁଝାପଡୁନି ନା ।

ରାଜ୍ୟ ସରକାରଙ୍କ ଗରିବ ମାନଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି । ଦରିଦ୍ର ସୀମାରେଖା ତଳେ ରହିଥିବା ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ଖଞ୍ଜି ଦେଇଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ । ସରକାରୀ ନିୟମ ଅନୁଯାୟୀ ଆବାସ ଯୋଜନାରେ ଗରିବ ଲୋକମାନଙ୍କ ପାଇଁ ଘର ଯୋଗାଇ ଦିଆଯାଉଛି । ସେହିଭଳି ୬୦ ବର୍ଷ ଟପିଲେ ଗରିବ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି ସରକାର। କିନ୍ତୁ ସରକାରଙ୍କର ଅନେକ ଯୋଜନା ଥାଇ କିଭଳି ଗରିବ ଲୋକଟିଏ ଦୁର୍ବିସହ ଜୀବନ ଅତିବାହିତ କରୁଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାକଟପୁର ବ୍ଲକର ସୁହାଣପୁର ପଞ୍ଚାୟତର ସୁହାଣପୁର ଗ୍ରାମର ବାଣୁଆସାହିରେ ।

ଏହି ସାହିରେ ରୁହନ୍ତି କୈଳାସ ଘଡେଇ। କୈଳାଶ ଘଡେଇଙ୍କ ପରିବାର କହିଲେ ୭୦ ବର୍ଷୀୟ କୈଳାଶ ଏବଂ ତାଙ୍କର ୬୫ ବର୍ଷୀୟ ତାଙ୍କ ସ୍ତ୍ରୀ । ଦୁଇପ୍ରାଣୀ କୁଟୁମ୍ବ । ସନ୍ତାନ ସନ୍ତତି କେହି ନାହାନ୍ତି। ହେଲେ ପୁଅ କରି ଗୋଟେ ପିଲାକୁ ପାଳି ପୋଷୀ ମଣିଷ କରିଥିଲେ। ତାର ମୁଣ୍ଡକୁ ହାତ ପାଇଯିବା ପରେ ଏ ବୁଢା ବୁଢିଙ୍କୁ ଛାଡି ଗୋଟେ ଝିଅକୁ ବିଭା କରି ସେ କେଉଁଆଡେ ଚାଲିଗଲା। ସେହିଦିନ ଠାରୁ ଏ ମାନେ ନିରାଶ୍ରୟ ଭାବରେ ଜୀବନ ଅତିବାହିତ କରୁଛନ୍ତି ସୁହାଣପୁର ଗ୍ରାମର ବାଣୁଆ ସାହିରେ।

old

ହରିଜନ ସମ୍ପ୍ରଦାୟର ମଣିଷ ହୋଇଥିବାରୁ କୌଳିକ ବୃତି ବାଉଁଶ କାମ କରି ଟୋକେଇ ଝୁଡି ଆଦି ତିଆରି କରି ସେଥିରେ ଯେଉଁ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ଚଳାନ୍ତି । ତା ସହିତ ଟଙ୍କିକିଆ ଚାଉଳ ମାସକୁ ୧୦ କିଲୋ ମିଳେ । ଦୁଇପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଜୀବନ ବିତାଇ ଦିଅନ୍ତି । କେତେବେଳେ ପାଖରେ ପଇସା ଥିଲେ ଭାତ ସହିତ ତିଅଣ ଲଗାଇ ଭାତ ଖାଇଦିଅନ୍ତି ତ କେତେବେଳେ ପଇସା ନ ଥିଲେ ପଖାଳ ଭାତ ସହିତ କଞ୍ଚାଲଙ୍କା ବନିଯାଏ ତାଙ୍କର ତରକାରୀ । ଏହି ବୃଦ୍ଧ ବୃଦ୍ଧାଙ୍କ ମୁଣ୍ଡଗୁଞ୍ଜିବାକୁ ମୁଣ୍ଡ ଉପରେ ଆସରା ଏହି ଖଣ୍ଡିଏ ଗୁହାଳ ଘର । ଗୁହାଳ ଘରର ଚାଳ ଛପର ଉଠିଗଲାଣି ସେଥିରେ ସାହାରା ପାଲଟିଛି କଳା ପଲିଥିନ ଖଣ୍ଡିଏ । କାନ୍ଥ ସାଜିଛି ଟଙ୍ଗାଜାଇଥିବା କପଡ଼ା । ସେହି ଗୁହାଳ ଘରେ ପଡିଛି ଖଣ୍ଡିଏ ଖଟିଆ ସେହି ଖଟିଆ ଉପରେ ରାତିଦିନ ମଶା ଡ଼ାଉଁଶଙ୍କ ସହ ଗାଈ ବାଛୁରୀଙ୍କ ମେଳରେ ବିତୁଛି ଏହି ବୃଦ୍ଧ ବୃଦ୍ଧା ଙ୍କ ଜୀବନ।

ଗୋଟିଏ ପଟେ ଗାଈ ବାଛୁରୀ ବନ୍ଧାହୋଇ ରହୁଥିବା ବେଳେ ଆଉ ଗୋଟେପଟେ କୈଳାଶ ଏବଂ ତାଙ୍କ ବୃଦ୍ଧା ପତ୍ନୀ ରହୁଛନ୍ତି । କେତେ ନେତା କେତେ ସରପଞ୍ଚ ଆସିଲେଣି ଆଉ ଗଲେଣି ସମସ୍ତଙ୍କୁ ନେହୁରା ହୋଇ ଘର ଖଣ୍ଡେ ଏବଂ ବାର୍ଦ୍ଧକ୍ୟ ଭତ୍ତା କରେଇଦେବାକୁ କାକୁତି ମିନତୀ ହୋଇଥିଲେ ମଧ୍ୟ କେବଳ ପାଣିଗାର ସଦୃଶ୍ୟ ମେଞ୍ଚେ ମେଞ୍ଚେ ମିଥ୍ୟା ପ୍ରତିଶୃତି ବ୍ୟତିତ ଆଉ କିଛି ପାଇପାରି ନାହାନ୍ତି ଏମାନେ ।

village

ତେବେ ଏ ବାବଦରେ ଆମେ କାକଟପୁର ବ୍ଲକ ଅଧକ୍ଷଙ୍କ ପାଖରେ ପହଞ୍ଚି କୈଳାସ ଘଡେଇଙ୍କ ଦୁର୍ବିସହ ଜୀବନ ବିଷୟରେ ଜଣେଇବା ପରେ ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଏହି ଘଟଣା କୁ ଗୁରୁତର ସହ ନେଇ ଏହାର ତଦନ୍ତ କରିବା ସହ ତୁରନ୍ତ କୈଳାଶ ଏବଂ ତାଙ୍କ ସ୍ତ୍ରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଜରୁରୀକାଳୀନ ଭାବରେ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ସହିତ ସରକାରୀ ନିୟମ ଅନୁଯାୟୀ ଘର ଖଣ୍ଡେ ଯୋଗାଇଦେବାକୁ କହିଛନ୍ତି।

ଆମେ ଆଶା କରିବୁ ପ୍ରଶାସନ ଯଦି କୈଳାସ ଘଡେଇ ଏବଂ ତାଙ୍କ ପତ୍ନୀ ଗୁହାଳ ଭିତରେ ଗାଈ ବାଛୁରୀ ସହିତ ଜୀବନ ଅତିବାହିତ କରୁଥିବାର ଚିତ୍ରକୁ ଗୁରୁତ୍ବର ସହ ନେଇ ତାଙ୍କୁ ଖଣ୍ଡିଏ ପକ୍କା ଘର ପ୍ରଦାନ କରିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଦିଅନ୍ତେ ତେବେ ବାକିତକ ଜୀବନ ସେମାନେ ଖୁସିରେ ଅତିବାହିତ କରିବାରେ ସକ୍ଷମ ହୁଅନ୍ତେ ।

 

Leave A Reply

Your email address will not be published.