ଫ୍ଲେକ୍ସ ଫୁଏଲ୍ ବା ଫ୍ଲେକ୍ସିବଲ୍ ଫୁଏଲ ହେଉଛି ପେଟ୍ରୋଲ ଓ ଡିଜେଲ୍ର ବିକଳ୍ପ। ଏହି ଇନ୍ଧନ ଗାଡ଼ିରେ ପକାଇଲେ ଗାଡ଼ି ସାଧାରଣ ଭାବେ ଚଳାଚଳ କରିପାରିବ। ଏହା ଗ୍ୟାସୋଲିନ୍ ଓ ମିଥାନଲ୍ କିମ୍ବା ଇଥାନଲ୍ର ମିଶ୍ରଣରେ ତିଆରି। ଫ୍ଲେକ୍ସ ଫୁଏଲ୍ ଗାଡ଼ି ଗୁଡ଼ିକର ଇଞ୍ଜିନ୍ ଏଭଳି ଢଙ୍ଗରେ ତିଆରି ହୋଇଥାଏ, ଯାହା ଏକାଧିକ ପ୍ରକାରର ଇନ୍ଧନରେ ଚାଲିପାରିବ। ଇନ୍ଧନ ଓ ଇଞ୍ଜିନ୍ରେ କେତେକ ପରିବର୍ତ୍ତନ କରାଯାଇ ଫ୍ଲେକ୍ସିବଲ ଫୁଏଲ ଗାଡ଼ି ଭାବେ ପରିବର୍ତ୍ତିତ କରାଯାଏ। ନବେ ଦଶକ ଆରମ୍ଭରେ ପ୍ରଥମେ ଏହି ଜ୍ଞାନକୌଶଳ ଉଦ୍ଭାବନ ହୋଇଥିଲା। ପରେ ୧୯୯୪ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ୨୦୧୭ ମସିହା ବେଳକୁ ପାଖାପାଖି ୨୧ ମିଲିୟନ୍ ଫ୍ଲେକ୍ସ ଫୁଏଲ୍ ଗାଡ଼ି ରାସ୍ତାରେ ଚାଲିଥିଲା।
ଫ୍ଲେକ୍ସ ଫୁଏଲ୍ର ଲାଭ:
- ଫ୍ଲେକ୍ସ ଫୁଏଲ୍ ଗାଡ଼ିରେ ବ୍ୟବହୃତ ହେଉଥିବା ଇଥାନଲ୍ ପରିବେଶ ପାଇଁ କମ୍ କ୍ଷତିକାରକ ହୋଇଥାଏ। ଏହା କମ୍ ବାୟୁ ପ୍ରଦୂଷଣ କରିଥାଏ। ଏଥିସହ ଏହା କିଛି ମାତ୍ରାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବି ନିର୍ଗତ କରେ, ଯାହା ପରିବେଶ ପାଇଁ ଭଲ ହୋଇଥାଏ।
- ଫ୍ଲେକ୍ ଫୁଏଲ୍ ଗାଡ଼ି ଗୁଡ଼ିକ ପେଟ୍ରୋଲ ଗାଡ଼ି ତୁଳନାରେ ଇଞ୍ଜିନ୍ ଉପରେ କମ୍ ପ୍ରେସର ପକାଇଥାନ୍ତି।
- ଅଧିକାଂଶ ଫ୍ଲେକ୍ସ ଫୁଏଲ୍ ଯାନବାହାନ ଇଥାନଲ୍ରେ ଚାଲିଥାନ୍ତି। ଯାହା ଆଖୁ ଓ ମକା ବର୍ଜ୍ୟରୁ ତିଆରି ହୋଇଥାଏ। ବିଦେଶୀ ତେଲ ତୁଳନାରେ ଏହା କମ୍ ଦାମ୍ରେ ଦେଶରେ ଉପଲବ୍ଧ ହୋଇଥାଏ। ଫଳରେ କମ୍ ଖର୍ଚ୍ଚରେ ଲୋକେ ଇନ୍ଧନ ପାଇପାରିବେ।
- ଫ୍ଲେକ୍ସ ଫୁଏଲ୍ ଗାଡ଼ି ଉପରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ି ତୁଳନାରେ କମ୍ ଟ୍ୟାକ୍ସ ଲାଗିଥାଏ। ଯାହା ଗ୍ରାହକଙ୍କ ଖର୍ଚ୍ଚ କମାଇଥାଏ।
ଫ୍ଲେକ୍ସ ଫୁଏଲ୍ର କ୍ଷତି:
- ଫ୍ଲେକ୍ସ ଫୁଏଲ୍ର ପ୍ରସ୍ତୁତି ମକା ଓ ଆଖୁରୁ ହୋଇଥିବାରୁ ଏହାର ଅଧିକ ମାତ୍ରାରେ ବ୍ୟବହାର ଦ୍ୱାରା ଖାଦ୍ୟ ଦ୍ରବ୍ୟ ଅଭାବ ଦେଖାଦେଇପାରେ। ଏଭଳି ସ୍ଥିତିରେ ଯଦି ଏହି ଖାଦ୍ୟ ଶସ୍ୟର ଅଧିକ ଉତ୍ପାଦନ ନହୁଏ ତେବେ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇପାରେ।
- ଏକ ରିସର୍ଚ୍ଚ ମୁତାବକ, ଯଦି ଅଧିକ ଦିନ ଧରି ଫ୍ଲେକ୍ସ ଫୁଏଲ୍ ବ୍ୟବହାର କରାଯାଏ ତେବେ ତାହା ଇଞ୍ଜିନ୍ ଉପରେ କୁପ୍ରଭାବ ପକାଇପାରେ। ଫଳରେ ଇଞ୍ଜିନ୍ ଜଲ୍ଦି ଖରାପ ହେବା ଆଶଙ୍କା ରହିଛି।
- ଫ୍ଲେକ୍ସ ଫୁଏଲ୍ ଗାଡ଼ି ଗୁଡ଼ିକ ସାଧାରଣ ଇନ୍ଧନ ଚାଳିତ ଗାଡ଼ି ଭଳି ମାଇଲେଜ୍ ଦେଉଥିବା ନେଇ କିଛି ଏକ୍ସପର୍ଟ କହୁଥିବା ବେଳେ ଆଉ କିଛି ଦାବି କରିଛନ୍ତି ଯେ ଏହା ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ି ତୁଳନାରେ କମ୍ ମାଇଲେଜ୍ ଦେଖାଏ।
- ବର୍ତ୍ତମାନ ଦେଶରେ ଫ୍ଲେକ୍ସ ଫୁଏଲ୍ ଗାଡ଼ି ଅଧିକ ସଂଖ୍ୟାରେ ଚାଲୁନଥିବାରୁ ଏହାର ଫିଲିଂ ଷ୍ଟେସନ୍ ବି ଉପଲବ୍ଧ ନାହିଁ। ଏଭଳି ସ୍ଥିତିରେ ଯଦି ଆପଣ ଫ୍ଲେକ୍ସ ଫୁଏଲ୍ ଗାଡ଼ି ଚଲାଉଛନ୍ତି, ତେବେ ଦୂର ଯାତ୍ରା ବେଳେ ଗାଡ଼ିରେ ଇନ୍ଧନ ଭରିବା ବେଳେ ସମସ୍ୟା ଉପୁଜିପାରେ।