ଚୀନ୍‌ରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୫ କୋଟି ଲୋକ ଘରେ ବନ୍ଦୀ

ଯେଉଁ ଚୀନ୍‌ରେ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା କୁହାଯାଏ, ଏବେ ପୁଣିଥରେ ସେଠାରେ ସଂକ୍ରମଣ ବଢ଼ି ସ୍ଥିତି ବେହାଲ ହୋଇଛି। ଚୀନ୍‌ରେ କରୋନାର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚୀନ୍‌ରେ ୫୦୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ ବି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ କେସ୍‌ ହୋଇନଥିଲା। ଇତି ମଧ୍ୟରେ ସଂଘାଇର ଭାଇରୋଲୋଜିଷ୍ଟ ଚେତାବନୀ ଦେଇଛନ୍ତି ଯେ ଏହି ସମୟ ମିଛ କହିବାର ନୁହେଁ, ବରଂ ମହାମାରୀ ବିପକ୍ଷରେ ରଣନୀତି ପ୍ରସ୍ତୁତ କରିବାର।

୫ କୋଟି ଲୋକ ଘରେ କଏଦ:

ରିପୋର୍ଟ ମୁତାବକ, ଚୀନ୍‌ରେ ଗତ ୨୪ ଘଣ୍ଟାରେ କରୋନାର ୫୨୮୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହାର ଗୋଟିଏ ଦିନ ପୂର୍ବରୁ ୧୩୩୭ କେସ୍‌ ସାମ୍ନାକୁ ଆସିଥିଲା। କରୋନାର ଏହି ଲହରୀରେ ଚୀନ୍‌ର ଜିଲିନ୍‌ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

କରୋନାର ବଢ଼ୁଥିବା ମାମଲାକୁ ଦେଖି ଚୀନ୍‌ର କେତେକ ସ୍ଥାନରେ ଲକ୍‌ଡାଉନ୍‌ ଲଗାଯାଇଛି। ୫ କୋଟିରୁ ଅଧିକ ଲୋକ ଏବେ ଘରେ ବନ୍ଦୀ ଅଛନ୍ତି। ସବୁଠୁ ଅଧିକ ୨.୪ କୋଟି ଲୋକ ଜିଲିନ୍‌ ଅଞ୍ଚଳର। ଏହା ପରେ ଶେନ୍‌ଜେନ୍‌ର ୧.୭୫ କୋଟି ଲୋକ ଓ ଡୋଙ୍ଗୁଆନ୍‌ର ୧ କୋଟି ଲୋକ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି।

ଚୀନ୍‌ରେ ଇତି ମଧ୍ୟରେ କରୋନାର ଏକାଧିକ ଲହରୀ ସାମ୍ନାକୁ ଆସିଛି। କିନ୍ତୁ ଫେବ୍ରୁଆରୀ ୨୦୨୦ ପରଠାରୁ କେବେ ବି ଏବେ ଅଧିକ ମାମଲା ଆସିନଥିଲା। ତେବେ ଏହି ନୂଆ ଲହରୀରେ କାହାର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିନାହିଁ।

Also Read: ପେଟ୍ରୋଲ- ଡିଜେଲର ବିକଳ୍ପ ‘ଫ୍ଲେକ୍ସ ଫୁଏଲ୍‌’, ଜାଣନ୍ତୁ ଏହାର ଲାଭ-କ୍ଷତି ସମ୍ପର୍କରେ