ହିନ୍ଦୁ ଧର୍ମର ୧୮ଟି ପବିତ୍ର ମହାପୁରାଣ ମାନଙ୍କ ଭିତରୁ ଗୋଟେ ହେଉଛି ଗରୁଡ ପୁରାଣ । ଏହି ଗ୍ରନ୍ଥର ସିଧାସଳଖ ସମ୍ପର୍କ ଭଗବାନ ବିଷ୍ଣୁଙ୍କ ସହ ରହିଛି । ଏହି ଗ୍ରନ୍ଥରେ ମଣିଷ ଜନ୍ମକୁ ନେଇ କେତେ ଗୁଡିଏ ବିଶେଷ କଥା ବାବଦରେ ଉଲ୍ଲେଖ ରହିଛି । ମୃତ୍ୟୁ ପରେ ଆମ ଆତ୍ମା ସହିତ କଣ ହୁଏ ? ଶ୍ରାଦ୍ଧ ତଥା ପିଣ୍ଡଦାନ ସମୟରେ କଣ କରିବା ଉଚିତ ? କଣ ନକରିବା ଉଚିତ ? ଏହି ସମସ୍ତ ବିଷୟରେ ବିସ୍ତୃତ ଭାବରେ ଗରୁଡ ପୁରାଣରେ ଉଲ୍ଲେଖ ରହିଛି । ଶ୍ରାଦ୍ଧ ତଥା ପିଣ୍ଡଦାନର ଆମ ଧର୍ମରେ ଏକ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ ରହିଛିକି ଯେଉଁ ଲୋକମାନଙ୍କର ମୃତ୍ୟୁ ପରେ ଠିକ ଭାବରେ ପିଣ୍ଡଦାନ କରାଯାଇନଥାଏ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିନଥାଏ । କିନ୍ତୁ ବର୍ଷ ବର୍ଷ ଧରି ଚାଲିଆସିଥିବା ଏହି ପରମ୍ପରାକୁ କେବଳ ପୁରୁଷ ମାନେ ହିଁ କରିଆସୁଛନ୍ତି ।
ବିଶ୍ୱାସ ରହିଛିକି ଏହି କାମ ମହିଳା ମାନେ କରିବା ଉଚିତ ନୁହେଁ । କିନ୍ତୁ ପ୍ରକୃତରେ ଏହା ଭୁଲ । କିଛି ବିଶେଷ ସ୍ଥିତି ବା ସମୟରେ ମହିଳା ମାନେ ବି ପିଣ୍ଡଦାନ କରିପାରିବେ । ଏବାବଦରେ ଗରୁଡ ପୁରାଣରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି । ତେବେ ଆସନ୍ତୁ ସେବିଷୟରେ ଜାଣିରଖିବା | ଯେଉଁ ବ୍ୟକ୍ତି ମାନଙ୍କର କୌଣସି ପୁତ୍ର ସନ୍ତାନ ନଥାନ୍ତି ଏପରି ସ୍ଥିତିରେ ଘରର ମହିଳା ବା କନ୍ୟା ସନ୍ତାନ ପିତୃ ପୁରୁଷଙ୍କ ପିଣ୍ଡଦାନ କରିପାରିବେ |
ଗରୁଡ ପୁରାଣ ଅନୁଯାୟୀ ଯଦି କନ୍ୟା ସନ୍ତାନ ମାନେ ଶ୍ରଦ୍ଧାର ସହ ପିତୃ ପୁରୁଷଙ୍କ ଶ୍ରଦ୍ଧା ତଥା ପିଣ୍ଡଦାନ କରନ୍ତି ପୂର୍ବଜ ମାନେ ଏହାକୁ ଗ୍ରହଣ କରିଥାନ୍ତି । ଆଉ ଆଶୀର୍ବାଦ ବି ଦେଇଥାନ୍ତି । ଘରର ବଧୂ କିମ୍ବା ପତ୍ନୀ ବି ପିଣ୍ଡଦାନ କରିପାରିବେ । ବାଲ୍ମୀକି ରାମାୟଣରେ ଉଲ୍ଲେଖ ରହିଛିକି ବନବାସ ସମୟରେ ଯେତେବେଳେ ପ୍ରଭୁ ରାମଚନ୍ଦ୍ର, ସାନ ଭାଇ ଲକ୍ଷମଣ ଓ ମାତା ସୀତା ଶ୍ରାଦ୍ଧ ତର୍ପଣ କରିବାକୁ ଗୟା ଯାଇଥିଲେ । ଏହି ସମୟରେ ଦୁଇ ଭାଇ ସାମଗ୍ରୀ ଏକାଠି କରିବାକୁ ବଣକୁ ଯାଇଥିବା ସମୟରେ ମାତା ସୀତାଙ୍କୁ ରାଜା ଦଶରଥ ଦର୍ଶନ ଦେଇଥିଲେ । ଆଉ ମା ସୀତାଙ୍କୁ ପିଣ୍ଡଦାନ କରିବାକୁ କହିଥିଲେ ରାଜା ଦଶରଥ । ଏହା ପରେ ମା ବଟ ବୃକ୍ଷ, କେତକୀ ଫୁଲରେ ଫଲ୍ଗୁ ନଦୀ କୂଳରେ ଶ୍ରାଦ୍ଧ ଦେଇଥିଲେ | ଏଥିରେ ଦଶରଥ ଖୁବ ସନ୍ତୋଷ ହୋଇଥିଲେ ଆଉ ତାଙ୍କୁ ଆଶୀର୍ବାଦ ଦେଇଥିଲେ | ଏଣୁ ପୁତ୍ରବଧୂ ମାନଙ୍କୁ ବି ପିଣ୍ଡଦାନ କରିବାର ଅଧିକାର ଥିବା ନେଇ ଆମ ପୁରାଣରେ ବର୍ଣ୍ଣିତ ରହିଛି |