ସମୁଦ୍ର ଭିତରେ ରହିଛି ବିଶାଳକାୟ ଜଙ୍ଗଲ! ଆକାରରେ ଭାରତର କ୍ଷେତ୍ରଫଳଠାରୁ ଦୁଇଗୁଣା ବଡ଼

ସମୁଦ୍ର ଭିତରେ ଜଙ୍ଗଲ! ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ସମୁଦ୍ର ଭିତରେ ଜଙ୍ଗଲ ବା କିପରି ଆସି ପାରିବ? ଏହା ବିଷୟରେ ଜ୍ଞାନ ରଖିବା ତ ଦୂରର କଥା, କଳ୍ପନା ସୁଦ୍ଧା କରି ହେବ ନାହିଁ। କିନ୍ତୁ ଏଠି ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ। ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି କିଛି ଜଙ୍ଗଲ ବିଷୟରେ କହିବୁ, ଯାହାକି ସମୁଦ୍ର ଭିତରେ ଲୁଚି ରହିଛି। ନିକଟରେ ଏହି ଜଙ୍ଗଲଗୁଡ଼ିକର ନକ୍ସା ପ୍ରସ୍ତୁତ କରାଯାଇଛି। ଏ ସମସ୍ତ ଜଙ୍ଗଲର ଆକାର ଦେଖିବେ ତ ଏହା ଭାରତର କ୍ଷେତ୍ରଫଳଠାରୁ ଦୁଇଗୁଣା ବାହାରିବ। ଆସନ୍ତୁ ଜାଣିବା ସମୁଦ୍ର ତଳର ଜଙ୍ଗଲ କିପରି ଏବଂ ଏହା କେଉଁଠି ରହିଛି।

ରୁଷ୍‌ରୁ ନେଇ କାନାଡା ପର୍ଯ୍ୟନ୍ତ ବ୍ୟାପିଛି ବୋରିୟଲ ଜଙ୍ଗଲ। ସମୁଦ୍ର ଭିତରେ ବଡ଼ ବଡ଼ କେଲ୍ପ (Kelp) ଏବଂ ସିଓ୍ଵିଡ୍‌ (Seaweed)ର ଜଙ୍ଗଲ ରହିଥାଏ, ଯାହାକି ଆକାରରେ ଅନେକ ଗୁଣା ବଡ଼ ତଥା ଘଞ୍ଚ ହୋଇଥାଏ। ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ବିଭିନ୍ନ ସାମୁଦ୍ରିକ ଜୀବଜନ୍ତୁଙ୍କ ପ୍ରଜାତି ବାସ କରନ୍ତି। ଏହିପରି ଦକ୍ଷିଣ ଆଫ୍ରିକାର ତଟ ତଳେ ଗ୍ରେଟ୍‌ ଆଫ୍ରିକାନ୍‌ ସିଫରେଷ୍ଟ୍‍ ଏବଂ ଅଷ୍ଟ୍ରେଲିଆ ପାଖରେ ଗ୍ରେଟ୍‌ ସାଉଦର୍ଣ୍ଣ ରିଫ୍‌ ମଧ୍ୟ ରହିଛି। ସାରା ବିଶ୍ୱରେ ସମୁଦ୍ର ତଳେ ଏମିତି କେତେ ଯେ ଜଙ୍ଗଲ ରହିଛି, ଯାହାର ନା କୌଣସି ନାମ ଅଛି, ନା ପରିଚୟ। ଏକ ନୂଆ ରିସର୍ଚ୍ଚରୁ ଦୁନିଆରେ ସମୁଦାୟ କେତେ ଜଙ୍ଗଲ ଅଛି, ତାହା ଜଣାପଡ଼ିଛି। ଏହି ଅଧ୍ୟୟନ ଗ୍ଲୋବାଲ ଇକୋଲୋଜି ଆଣ୍ଡ ବାୟୋଜିୟୋଗ୍ରାଫି ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

sea22
photo: Emaze

ରିସର୍ଚ୍ଚରେ କୁହାଯାଇଛି କି, କେବଳ ଭୂମି ଉପରେ ଥିବା ଜଙ୍ଗଲ ଗରମ ତାପମାତ୍ରା କାରଣରୁ ଜଳୁନାହିଁ, ବରଂ ସମୁଦ୍ର ଭିତରେ ବି ଅଧିକ ତାପମାତ୍ରା ଯୋଗୁ ଜଙ୍ଗଲ ଜଳୁଛି। ତେବେ ଆପଣ ଏଠି ଭାବୁଥିବେ, ପାଣି ଭିତରେ କେମିତି କିଛି ଜଳିପାରିବ? ଆମେ ସମୁଦ୍ରରେ ନିଅାଁ ଲାଗିବା କଥା କହୁନାହୁଁ, ବରଂ ତାପମାତ୍ରା ବୃଦ୍ଧି କାରଣରୁ ଜଙ୍ଗଲଗୁଡ଼ିକର ପରିବେଶ ଖରାପ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ସେଗୁଡ଼ିକ ଠିକ୍‌ ଭାବରେ ବିକଶିତ ହୋଇପାରୁ ନାହିଁ ଏବଂ କାର୍ବନ ଅବଶୋଷଣର କ୍ଷମତା କମି ଯାଉଛି। ଏ ସମସ୍ତ ଜଙ୍ଗଲ ମଧ୍ୟରେ ବର୍ତ୍ତମାନ ପଶ୍ଚିମ ଅଷ୍ଟ୍ରେଲିଆ, ପୂର୍ବ କାନାଡା ଏବଂ କାଲିଫର୍ଣ୍ଣିଆର ସାମୁଦ୍ରିକ ଜଙ୍ଗଲର ଅବସ୍ଥା ଅଧିକ ଖରାପ ହୋଇପଡ଼ିଛି।

ସାମୁଦ୍ରିକ ଜଙ୍ଗଲ ସାଧାରଣତଃ ସାମୁଦ୍ରିକ ସିଓ୍ଵିଡ୍‌ରୁ ସୃଷ୍ଟି ହୋଇଥାଏ। ଏହା ଏକ ପ୍ରକାରର ଶୈବାଳ, ଯାହାକି ମୁଖ୍ୟତଃ ସୂର୍ଯ୍ୟକିରଣ ଏବଂ କାର୍ବନ ଡାଇଅକ୍ସାଇଡ୍‌ ଜରିଆରେ ଫଟୋସିନ୍ଥେସିସ୍‌ କରି ବିକଶିତ ହୋଇଥାଏ। କେତେକ ଭଲ ସିଓ୍ଵିଡ୍‌ ମଧ୍ୟ ରହିଛି, ଯାହାକି ଦଶ ମିଟରର ଉଚ୍ଚତା ପର୍ଯ୍ୟନ୍ତ ବଢ଼ି ପାରିଥାଏ। ଏହି ଜଙ୍ଗଲ ବଡ଼ ଅଞ୍ଚଳରେ ବ୍ୟାପିଥାଏ। ପାଣିର ତରଙ୍ଗ ସହିତ ସାମୁଦ୍ରିକ ଜଙ୍ଗଲ ଧୀରେ ଧୀରେ ଦୋହଲୁଥାଏ। ଭୂମି ଉପରେ ଜଙ୍ଗଲରେ ଯେଉଁଭଳି ଭାବେ ବିଭିନ୍ନ ପ୍ରକାର ଜୀବଜନ୍ତୁ ବସବାସ କରନ୍ତି, ଏଠି ସମୁଦ୍ର ତଳର ଜଙ୍ଗଲରେ ମଧ୍ୟ ଅନେକ ପ୍ରଜାତି ରୁହନ୍ତି। ତେବେ ଅଧ୍ୟୟନରୁ ମୋଟାମୋଟି ଭାବେ ଜଣାପଡ଼ିଛି ଯେ ପୂରା ଦୁନିଆରେ ୬୦ରୁ ୭୨ ଲକ୍ଷ ବର୍ଗ କିଲୋମିଟରରେ ସାମୁଦ୍ରିକ ଜଙ୍ଗଲ ରହିଛି, ଯାହାକି ଆମାଜନଠାରୁ ବହୁତ ବଡ଼।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.