କରୋନାରେ ସ୍କୁଲ ବନ୍ଦ…ତ ଗର୍ଭବତୀ ହେଉଛନ୍ତି ଛାତ୍ରୀ; ବଢ଼ି ଗଲାଣି ଏହି ଦେଶର ଚିନ୍ତା

କରୋନା ଭାଇରସ୍ ଏବଂ ଓମିକ୍ରନ୍ ଭାରିଆଣ୍ଟର ବଢ଼ୁଥିବା ମାମଲାକୁ ନଜରରେ ରଖି ସାରା ବିଶ୍ୱରେ ଦେଶଗୁଡ଼ିକ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି। ଲୋକଙ୍କୁ ଯେତେ ଜଲ୍ଦି ସମ୍ଭବ ଘରୁ କାମ କରିବାକୁ କୁହାଯାଉଛି। ସ୍କୁଲ ଓ କଲେଜ ବନ୍ଦ ରହିଛି। କିନ୍ତୁ ଏହାରି ଭିତରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କଥା ହେଉଛି କି, ଏଠାରେ କରୋନା ମହାମାରୀରେ ସ୍କୁଲ ବନ୍ଦ ହେବା ଦ୍ୱାରା ଜିମ୍ବାୱେ ସରକାରଙ୍କ ପାଇଁ ନୂଆ ସମସ୍ୟା ଉପୁଜିଛି। ବାସ୍ତବରେ, ଏହି ଦେଶରେ କିଛି ଦିନ ହେବ ସ୍କୁଲ ଛାତ୍ରୀମାନେ ଗର୍ଭବତୀ ହେବାରେ ଲାଗିଛନ୍ତି। ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିପୋର୍ଟ ମୁତାବକ, ଜିମ୍ବାୱେରେ ବର୍ତ୍ତମାନ କରୋନା ସମୟରେ ନାବାଳିକା ଛାତ୍ରୀମାନେ ୧୨-୧୩ ବର୍ଷ ବୟସରେ ହିଁ ଗର୍ଭବତୀ ହୋଇ ଯାଉଛନ୍ତି ଏବଂ ସ୍କୁଲ ଶିକ୍ଷା ଛାଡ଼ି ଦେଉଛନ୍ତି। ସରକାର ଏବଂ କାର୍ଯ୍ୟକର୍ତ୍ତାମାନେ ଏଥିପାଇଁ ଅନେକ ପଦକ୍ଷେପ ମଧ୍ୟ ଆପଣାଇଛନ୍ତି, କିନ୍ତୁ ଏଥିରେ କୌଣସି ବି ପ୍ରକାର ସୁଧାର ହୋଇ ପାରୁ ନାହିଁ।
କୋଭିଡ ମହାମାରୀ ସମୟରେ ଜିମ୍ବାୱେ ଏବଂ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ କମ୍ ବୟସର ଝିଅମାନଙ୍କର ଗର୍ଭଧାରଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭର୍ଜିନିୟା ମଧ୍ୟ ସେଥି ମଧ୍ୟରୁ ଗୋଟିଏ। ଜିମ୍ବାୱେ ଦୀର୍ଘ ଦିନରୁ ନାବାଳିକା ଛାତ୍ରୀମାନଙ୍କର ଗର୍ଭଧାରଣ ମାମଲା ଏବଂ ବାଲ୍ୟ ବିବାହ ସମସ୍ୟା ସହ ଜୁଝି ହୋଇ ଆସୁଛି। କୋଭିଡ କବଳକୁ ଆସିବା ପୂର୍ବରୁ ବି ଦେଶରେ ପ୍ରତି ତିନି ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ ୧୮ ବର୍ଷ ପୂର୍ବରୁ ହିଁ କରି ଦିଆଯାଉଥିଲା। ଏହାର ଅନେକ ଗୁଡ଼ିଏ କାରଣ ରହିଛି। ଯେପରି କି, ଝିଅମାନେ ବୟସ ପୂର୍ବରୁ ଗର୍ଭବତୀ ହୋଇଯିବା, ବାଲ୍ୟ ବିବାହକୁ ନେଇ କୌଣସି କଠୋର ଆଇନ ନ ରହିବା, ଦାରିଦ୍ର୍ୟ, ସାଂସ୍କୃତିକ ଏବଂ ଧାର୍ମିକ ପ୍ରଥା ଆଦି। ବର୍ତ୍ତମାନ କୋଭିଡ ମହାମାରୀ ଏହି ସ୍ଥିତିକୁ ଆହୁରି ଖରାପ କରି ଦେଇଛି।
ଦେଢ଼ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମାର୍ଚ୍ଚ ୨୦୨୦ରେ କଡା ଲକ୍ଡାଉନ ଲଗା ଯାଇଥିଲା ଏବଂ ମଝିରେ ମଝିରେ ଏହାକୁ କୋହଳ କରାଯାଇଥିଲା। ଲକ୍ଡାଉନ କାରଣରୁ ଝିଅଙ୍କ ଉପରେ ଅତି ଖରାପ ପ୍ରଭାବ ପଡ଼ିଥିଲା। ସେମାନଙ୍କୁ ଗର୍ଭନିରୋଧକ ଔଷଧ ଏବଂ ହସ୍ପିଟାଲ ସୁବିଧା ଦିଆଯାଇ ନ ଥିଲା। କାର୍ଯ୍ୟକର୍ତ୍ତା ଏବଂ ଅଧିକାରୀମାନଙ୍କ କହିବା ହେଲା କି, ଅନେକ ଝିଅ ଯୌନ ଶୋଷଣର ଶିକାର ହୋଇଛନ୍ତି। ଦାରିଦ୍ର୍ୟରୁ ମୁକ୍ତି ପାଇଁ ସେମାନେ ବିବାହ ଏବଂ ଗର୍ଭଧାରଣକୁ ଏକ ତରିକା ରୂପେ ବାଛି ନେଇଛନ୍ତି।
ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା ନାବାଳିକା ଛାତ୍ରୀମାନଙ୍କର ଗର୍ଭଧାରଣ ମାମଲା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଏହାକୁ ନଜରରେ ରଖି ଜିମ୍ବାୱେ ସରକାର ଗତ ଅଗଷ୍ଟ ୨୦୨୦ରେ ଆଇନରେ ପରିବର୍ତ୍ତନ କରି ପ୍ରେଗନାଣ୍ଟ ଛାତ୍ରୀମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦେଇଥିଲେ। କାର୍ଯ୍ୟକର୍ତ୍ତା ଏବଂ ଅଧିକାରୀମାନେ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ଏକ ଆଶା ରୂପରେ ଦେଖିଥିଲେ। କିନ୍ତୁ ଏହି ନୀତି ସମ୍ପୂର୍ଣ୍ଣ ରୂପେ ଅସଫଳ ରହିଛି। ପ୍ରେଗନାଣ୍ଟ ଝିଅମାନେ ଆଇନରେ ପରିବର୍ତ୍ତନ ସତ୍ତ୍ୱେ ସ୍କୁଲ ଆସୁ ନାହାନ୍ତି। ପଇସାର ଅଭାବ, ସାମାଜିକ ପ୍ରଥା, ଶ୍ରେଣୀରେ ହଇରାଣ ହରକତ କରାଯିବା ଭଳି ବିଭିନ୍ନ କାରଣରୁ ସେମାନେ ସ୍କୁଲ ଆସିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।