ଡାକିଲେ ଓ କରନ୍ତି ମା’, ଏମିତି ମହିମା ଗଞ୍ଜାମ ଜିଲ୍ଲା ସିଙ୍ଗିପୁର ଗାଁର ଇଷ୍ଟ ଧାତ୍ରୀ ବ୍ରହ୍ମଦେବୀଙ୍କର

ପୂଜାରୀଙ୍କ ମନ୍ତ୍ର ଉଚ୍ଚାରଣରେ ଝଙ୍କୃତ ହେଉଛି ଦେବୀଙ୍କ ଆସ୍ଥାନ ଓ ଦୀପର ଶିଖାରେ ଝଲସୁଛି ମା’ଙ୍କ ମୁଖ ମଣ୍ଡଳ। ଏମିତି ଦୃଶ୍ୟ ଦେଖିବାକୁ ମିଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ସିଙ୍ଗିପୁର ଗାଁ ଗ୍ରାମ ଦେବତୀଙ୍କ ମନ୍ଦିରରେ। ରାତି ପାହିଲେ ଗ୍ରାମର ଦେବୀଙ୍କୁ ସୁମରଣା କରନ୍ତି ଗାଁ ଲୋକେ। ସେମାନଙ୍କୁ ଆଶୀର୍ବାଦ କରିବା ପାଇଁ ଭକ୍ତ ପାଣି ଓ ହଳଦୀ ପାଣିକୁ ମା’ଙ୍କ ମଥାରେ ଢାଳି ସାନିଧ୍ୟ କାମନା କରିଥାଏ l ବ୍ରହ୍ମଦେବୀ ହେଉଛନ୍ତି ଗାଁର ଇଷ୍ଟଦ୍ଧାତ୍ରୀ।

ଲୋକକଥା ଅନୁସାରେ ନିକଟସ୍ଥ ସୁଳିଆ ପାହାଡ଼ରେ ମା’ଙ୍କ ଦେଖା ମିଳିଥିଲା ଓ ସେଠାରୁ ଗାଁକୁ ଅଣାଯାଇଛି। ଗମ୍ଭାରୀ ଗଛ ମୂଳେ ମା’ଙ୍କୁ ସ୍ଥାପନ କରାଯାଇଥିଲା। ଏହା ପରେ ସାନଖେମୁଣ୍ଡି ରାଜ୍ୟର ରାଜା ଭୋଗ ପାଇଁ ପଡି ଖଞ୍ଜିଥିଲେ। ମା’ଙ୍କୁ ନେଇ କିମ୍ବଦନ୍ତୀ ଶୁଣିବାକୁ ମିଳେ ଯେ ଦିନେ ଲୁଣ ବିକିବା ପାଇଁ ଗାଁକୁ ଜଣେ ଲୋକ ସାଥିରେ ପୁଅକୁ ନେଇ ଆସିଥିଲା। ସେ ପୁଅକୁ ଶଗଡ଼ ପାଖରେ ଛାଡ଼ିଦେଇ ନୌତିରେ ଲୁଣ ନେଇ ବିକିବାକୁ ଯାଇଥିଲା। କିନ୍ତୁ ଲୁଣ ବିକି ସାରି ଫେରିଲା ବେଳକୁ ସେ ଦେଖିଲା ଯେ ମା ତାଙ୍କ ପୁଅକୁ ପନିକିରେ ଧରି କାଟୁଛନ୍ତି। ବ୍ୟକ୍ତିଙ୍କୁ ଦେଖି ଦେବୀ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ରାଗରେ ସେ ହାତରେ ଧରିଥିବା ନୌତିକୁ ପନିକି ଉପରେ ଘୋଡାଇ ଦେଇଥିଲେ। କୁହାଯାଏ ଏବେ ସେହିସ୍ଥାନରେ ମାଙ୍କ ମନ୍ଦିର ରହିଛି। ଏହି ଗାଁରେ କେହି ଗମ୍ଭାରୀ କାଠ ବ୍ୟବହାର କରନ୍ତି ନାହିଁ। ମା’ ନିଶାର୍ଦ୍ଧରେ ଘୋଡାରେ ବୁଲି ବାହାରନ୍ତି ତେଣୁ ଗ୍ରାମ ଦେବତୀଙ୍କ ମନ୍ଦିର ସମ୍ମୁଖରେ ଦୁଇଟି ଘୋଡ଼ା ସ୍ଥାପନ କରାଯାଇଛି। ମା’ ଚୁଡ଼ି ପିନ୍ଧିବା ପାଇଁ କାଚରା ପାଖକୁ ଯାଇଥାନ୍ତି, ଯାହାକୁ ଗ୍ରାମର ଜଣେ ବ୍ୟକ୍ତି ଦେଇଥାନ୍ତି। ଏବେ ବି ଯାତ୍ରା ସମୟରେ ସେହି ପରମ୍ପରା ରହିଆସିଛି।

ମା’ ଙ୍କ ଉପରେ ଗ୍ରାମବାସୀଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି। ଗାଁର ଜନ ସଂଖ୍ୟା ବୃଦ୍ଧି କାରଣରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବୀଙ୍କୁ ସ୍ଥାପନ କରାଯାଇଛି। କିନ୍ତୁ ବ୍ରହ୍ମ ଦେବୀଙ୍କୁ ମୁଖ୍ୟ ବୋଲି ଧରାଯାଏ l ତିନି ପିଢ଼ି ହୋଇଗଲାଣି ଆଶ୍ୱିନ ମାସରେ ମା’ଙ୍କ ଯାତ୍ରା ସମୟରେ ଚୁଡ଼ି ଦେବା ପରମ୍ପରା ରହିଆସିଛି ବୋଲି କୁହନ୍ତି ମହାପାତ୍ର ବଂଶଧର l ମା’ଙ୍କୁ ଝିଅ ରୂପେ ସେମାନେ ଦେଖିଥାନ୍ତି ବୋଲି କହିଛନ୍ତି ତାଙ୍କ ପରିବାର ସଦସ୍ୟ। ସିଙ୍ଗିପୁର ଗାଁରେ ଗ୍ରାମ ଦେବତୀଙ୍କ ପ୍ରତି ଭକ୍ତ ମନରେ ବିଶ୍ୱାସ ଓ ଭକ୍ତି ଦେଖିବାକୁ ମିଳେl

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.