ନୂଆପଡା ବୋଡେନ ବ୍ଲକର ପାଟଦରା ଜଙ୍ଗଲରେ ଥିବା ରାହାଗୁମ୍ଫାରୁ ମିଳିଛି ଐତିହାସିକ ଶିଳାଚିତ୍ର । ଏହି ଶିଳାଚିତ୍ରଗୁଡିକୁ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତ୍ନତତ୍ୱ ଏବଂ ସଂଗ୍ରାହଳୟତତ୍ୱ ବିଭାଗର ଟିମ ସନ୍ଧାନ କରିଛି । ବର୍ତମାନ ଉକ୍ତ ଶିଳାଚିତ୍ର ଉପରେ ଗବେଷଣା ଜାରିରହିଛି । ୧୯୭୦ ମସିହାରେ ଯୋଗୀମଠ ଶୀଳାଚିତ୍ର ଠାବ ହେବାର ୫୦ବର୍ଷ ପରେ ଏବେ ପୁଣି ଏଭଳି ଶିଳାଚିତ୍ର ସାମ୍ନାକୁ ଆସିବା ଏ ଅଂଚଳର ଐତିହାସିକ ଗୁରୁତ୍ୱ ରହିଥିବା ପ୍ରମାଣିତ କରିଛି ।
ନୂଆପଡା ଜିଲା ବୋଡେନ ବ୍ଲକ କାର୍ଯ୍ୟାଳୟଠାରୁ ୨୦କି.ମି ଦୂରତାରେ ଦୁର୍ଗମ ପାଟଦରା ଜଙ୍ଗଲ ରହିଛି । ପାଟଦରା ଅଂଚଳରେ ଛୋଟ ଓ ବଡ ଅନେକ ଗୁମ୍ଫାରହିଛି । ପାଟଦରା ଆମଝୋଲା ଜଂଗଲର ରାହାଗୁମ୍ଫାରେ ବହୁ ପୁରାତନ ଇତିହାସର ପ୍ରମାଣ ରହିଛି । ଏହି ଜଂଗଲରେଥିବା ରାହାଗୁମ୍ଫା ମଧ୍ୟରେ ଥିବା ଅନେକ ଶିଳାରେ ବିଭିନ୍ନ ଜୀବଜନ୍ତୁ,ପକ୍ଷୀ,ଫୁଲ,ପତ୍ର,ଜ୍ୟାମିତିକ ଚିତ୍ର ତଥା ମଣିଷର ଶିଳାଚିତ୍ର ଦେଖିବାକୁ ମିଳିଛି । ଏହା ଉପରେ ଅଧିକ ଗବେଷଣା କରିବା ପାଇଁ ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପତ୍ନତତ୍ୱ ଏବଂ ସଂଗ୍ରାହଳୟତତ୍ୱ ବିଭାଗ ଅଧ୍ୟକ୍ଷ ଡ.ରଣବୀର ସିଂଙ୍କ ନେତୃତ୍ୱରେ ଏକ ଟିମ ପାଟଦରା ଜଂଗଲରେ ପହଂଚି ସନ୍ଧାନ ଜାରିରଖିଛନ୍ତି ।
ଏହି ସନ୍ଧାନ ବେଳେ ପ୍ରାକ ଐତିହାସିକ ଯୁଗର ଶିଳାଚିତ୍ରକୁ ଠାବ କରିଛନ୍ତି । ଏଠାରେ ଠାବ ହୋଇଥିବା ଶିଳାଚିତ୍ର କଲାହାଣ୍ଡି ଜିଲାର ଗୁଡହାଣ୍ଡି ଗାଁରୁ ମିଳିଥିବା ଚିତ୍ରଗୁଡିକର ସମସାମୟିକ ବୋଲି ଡ.ରଣବୀର ସିଂ ପ୍ରକାଶ କରିଛନ୍ତି । ଚିତ୍ରଗୁଡିକ ଲାଲ,ଗେରୁଆ ଓ କଳାରଂଗରେ ଅଙ୍କିତ ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଏହା ହଜାର ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଇଛି । ପାଟଦରା ଜଂଗଲର ଶିଳାଚିତ୍ର ଅନୁସନ୍ଧାନ ଓଡିଶା ପ୍ରାକଐତିହାସିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଡ.ରଣବୀର ସିଂ ପ୍ରକାଶ କରିଛନ୍ତି ।
ଅନୁସନ୍ଧାନରୁ ଜଣାପଡେ ପାଟଦରା ଅଂଚଳରେ ପ୍ରାକଐତିହାସିକ ଯୁଗର ଲୋକମାନେ ବସବାସ କରିଆସୁଥିଲେ । ସେମାନେ ନିଜର ଫୁରସତ ବେଳେ ଏସବୁ ଚିତ୍ର ଆଙ୍କିଥିବା କୁହାଯାଉଛି । ପୂର୍ବରୁ ଅବିଭକ୍ତ କଲାହାଣ୍ଡିରେ ପ୍ରାକଐତିହାସିକ ଯୁଗର ବହୁ ପ୍ରମାଣ ମିଳିସାରିଛି । ୧୯୫୦ମସିହାରେ କଲାହାଣ୍ଡି ଜିଲାର ଗୁଡହାଣ୍ଡିର ଶିଳାଚିତ୍ର ତତକାଳୀନ ପ୍ରତ୍ନତତ୍ୱବିତ ଡ.ସତ୍ୟନାରାୟଣ ରାଜଗୁରୁ ଏବଂ ୧୯୭୦ମସିହାରେ ବର୍ତମାନର ନୂଆପଡା ଜିଲାରେ ଅବସ୍ଥିତ ଯୋଗୀମଠ ଶିଳାଚିତ୍ରକୁ ଖଡିଆଳ ରାଜା ସାହେବ ତଥା ଗବେଷକ ଡ.ଜିତାମିତ୍ର ପ୍ରସାଦ ସିଂଦେଓ ଲୋକଲୋଚନକୁ ଆଣିଥିଲେ । ଏହାର ଠିକ ୫୦ବର୍ଷ ପରେ ନୂଆପଡା ଜିଲାରେ ପୁଣି ଏକ ପ୍ରାକଐତିହାସିକ ଯୁଗର ଶିଳାଚିତ୍ର ସାମ୍ନାକୁ ଆସିବାପରେ ଐତିହାସିକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ରାଜ୍ୟସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଅଧିକ ଅନୁସନ୍ଧାନ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।