ଶ୍ରୀଅଙ୍ଗ ପ୍ରତି କେତେ ବିପଦ ମୂଷା-ଅସରପା? ସ୍ୱତନ୍ତ୍ର ପ୍ରତିକାର ବ୍ଯବସ୍ଥା ପାଇଁ ଉଠିଲାଣି ଦାବି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ପୁଣିଥରେ ମୂଷା ଆତଙ୍କ । ଏମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଶ୍ରୀଅଙ୍ଗ ଶୃଙ୍ଗାରରେ ହେଉଛି ଅସୁବିଧା । ମନ୍ଦିରର ବିଭିନ୍ନ ସ୍ଥାନରେ ଚାଲିଛି ଏମାନଙ୍କ ରାଜ୍। ଯାହା ଖବର ମିଳିଛି ମହାପ୍ରଭୁଙ୍କ ନାଗନାଗୁଣୀ ଦଉଡ଼ି ଓ କିଛି ବସ୍ତ୍ର କାଟି ଦେଇଛନ୍ତି ମୂଷା ପଲ। ତେବେ କୌଣସି ନିଯୋଗ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ ହୋଇନଥିବାବେଳେ, ଅସରପା ଓ ମୂଷାଙ୍କ ଉପଦ୍ରବ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିବା ନୀତି ପ୍ରଶାସକ କହିଛନ୍ତି ।

ଗତ କିଛି ବର୍ଷ ପୂର୍ବେ ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଥିଲା। ବିଭିନ୍ନ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିଥିଲେ। ତେବେ ପୁନର୍ବାର ୩ଦିନ ହେବ ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଛି ।ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ କାଟିଦେଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସେପଟେ ଶ୍ରୀଅଙ୍ଗ ପ୍ରତି କେତେ ବିପଦ ମୂଷା-ଅସରପା ? ଖୋଦ୍ ସେବକଙ୍କ ମୁହଁରୁ ଏସବୁ ଶୁଣିବା ପରେ ଏବେ ଅଗଣିତ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ବି ଅସନ୍ତୋଷ । ଏଠି ପ୍ରଶ୍ନ ଶ୍ରୀମନ୍ଦିର ଗର୍ଭଗୃହକୁ ମୂଷା ଆସୁଛନ୍ତି କେଉଁଠୁ ? ପ୍ରତିକାର ଦିଗରେ ଶ୍ରୀମନ୍ଦିର ପ୍ରଶାସନ କରୁଛି କଣ ? କିଛି ସେବକଙ୍କ ମତରେ ଗର୍ଭଗୃହରେ ଠାକୁରଙ୍କୁ ଲାଗି ହେଉଥିବା ଖେଚୁଡ଼ି ଭୋଗ ଓ ଅନ୍ୟାନ୍ୟ ଜିନିଷ ଖାଇ ମୂଷା ବଂଶ ବୃଦ୍ଧି କରୁଛନ୍ତି ।

ଯେହେତୁ ଠାକୁରଙ୍କ ଉପରେ ଲାଗିଥିବା ରତ୍ନ ଚାନ୍ଦୁଆ ବର୍ଷରେ ଥରେ ବଦଳାଯାଏ, ତେଣୁ ତାହା ସେମାନଙ୍କ ରହିବାର ସବୁଠୁ ସୁରକ୍ଷିତ ସ୍ଥାନ ପାଲଟିଛି । ଏଥିସହ ଗର୍ଭଗୃହକୁ ଲାଗି ରହିଥିବା ରତ୍ନଭଣ୍ଡାର ବି ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ତାହା ବି ମୂଷାଙ୍କ ରହଣୀର ଉତ୍ତମ ସ୍ଥଳି ହୋଇଛି । ଏପଟେ ମୂଷାଙ୍କ ଉତ୍ପାତ ଯୋଗୁଁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ଥିବା ଖବର ପ୍ରକାଶ ପାଇଛି । କିନ୍ତୁ ଏହି ଘଟଣାକୁ ଅସ୍ୱୀକାର କରିଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ।

ଏପଟେ କୁହାଯାଉଛି ଏହି ମୂଷା ଗୁଡ଼ିକ ହାତେ ଲମ୍ବ ଭଳି। ଏମାନେ ରତ୍ନସିଂହାସନରେ ଠାକୁରଙ୍କୁ ରୁନ୍ଧା ଯାଇଥିବା ନାଗନାଗୁଣୀ ଦଉଡ଼ିର ଯଥେଷ୍ଟ କ୍ଷତି ପହଁଚାଇ ସାରିଲେଣି। ମୂଷା ଗୁଡ଼ିକ ରତ୍ନସିଂହାସନ ସମ୍ମୁଖ କଳାହାଟ ଦ୍ଵାର ଦେଇ ଗର୍ଭଗୃହକୁ ପଶୁଥିବା ଆଶଙ୍କା କରାଯାଉଛି। ମୂଷାଙ୍କ ସହ ବହୁ ସଂଖ୍ଯାରେ ଅସରପା ମଧ୍ୟ ଦେଖାଯାଇଛନ୍ତି।

ଗର୍ଭଗୃହରୁ ଜଳ ନିଷ୍କାସନ ପାଇଁ ଲକ୍ଷ୍ମୀମନ୍ଦିର ସାମନାକୁ ନାଳ ରହିଛି। ନାଳ ମୁହଁରେ ଘୋଡ଼ଣି ରହୁନଥିଲେ ଏହି ବାଟ ଦେଇ ମଧ୍ୟ ମୂଷା ଆସୁଥିବା ସନ୍ଦେହ କରାଯାଉଛି। ମୂଷା ଓ ଅସରପା ଜୀବ ମହାପ୍ରଭୁଙ୍କ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ମରାଯାଇପାରିବ ନାହିଁ। କେବଳ ଅସରପାଙ୍କୁ ଘଉଡାଇବା ପାଇଁ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଗୁଡର ବ୍ଯବସ୍ଥା ରହିଛି। ପୂର୍ବରୁ ମୂଷାଙ୍କୁ କାବୁ କରିବା ପାଇଁ ଜନ୍ତାର ବ୍ଯବସ୍ଥା ହୋଇଥିଲା।ପୁନର୍ବାର ଏହି ବ୍ଯବସ୍ଥା କରିବାକୁ ସେବାୟତ ଦାବୀ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ହୋଇନାହିଁ କିମ୍ବା ଶ୍ରୀଅଙ୍ଗ ପ୍ରତି କୌଣସି ବିପଦ ନଥିବା ସିଂହାରୀ ସେବାୟତ କହିଛନ୍ତି। ତେବେ ପୁଣିଥରେ ପ୍ରାଦୁର୍ଭାବ କରୁଥିବା ମୂଷାଙ୍କୁ ଆୟତ୍ତ କରିବା ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରିବାକୁ ସାଧାଣଣରେ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.