ବିହାରୀ ଜୀଙ୍କ ଏହି ମନ୍ଦିରରେ ଲାଗି ହୋଇଥାଏ ମାଟିର ପେଡା ଭୋଗ, ଏଠାରେ ମାଆ ଯଶୋଦା କରିଥିଲେ ବ୍ରାହ୍ମଣ୍ଡ ଦର୍ଶନ

ଏ ପର୍ଯ୍ୟନ୍ତ ଆପଣ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ଅନେକ ପ୍ରକାରର ମିଠା ଭୋଗ ଅର୍ପଣ କରାଯାଉଥିବାର ଦେଖିଥିବେ। କିନ୍ତୁ କ’ଣ ଆପଣ ମାଟିର ପେଡା ଭୋଗ ଲାଗୁଥିବାର କେବେ ଦେଖିଛନ୍ତି କି? ଯଦି ନାଁ, ତା’ହେଲେ ଆଜି ଆମେ ଆପଣଙ୍କୁ ଏହି ନିଆରା ଭୋଗ ବିଷୟରେ କହିବୁ। ମଥୁରାରେ ଏକ ଏମିତି ମନ୍ଦିର ଅଛି, ଯେଉଁଠି ଭଗବାନ ଶ୍ରୀକୃଷ୍ଣଙ୍କୁ ମାଟିର ପେଡା ଭୋଗ ଅର୍ପଣ କରାଯାଇଥାଏ। ଏହି ମନ୍ଦିର ଧର୍ମ ନଗରୀ ମଥୁରା ଜନପଦର ମହାବନରେ ଅବସ୍ଥିତ।

ଗୋକୁଳ ଯମୁନାର ବ୍ରହ୍ମାଣ୍ଡ ଘାଟରେ ବ୍ରହ୍ମାଣ୍ଡ ବିହାରୀଙ୍କ ମନ୍ଦିର ରହିଛି। କୁହାଯାଏ କି, ଏହା ସେହି ଜାଗା, ଯେଉଁଠି ଭଗବାନ ଶ୍ରୀକୃଷ୍ଣ ମାଟି ଖାଇ ମାଆ ଯଶୋଦାଙ୍କୁ ମୁହଁରେ ବ୍ରହ୍ମାଣ୍ଡ ଦର୍ଶନ କରାଇଥିଲେ। ଏଥିପାଇଁ ମନ୍ଦିରର ନାମ ବ୍ରହ୍ମାଣ୍ଡ ବିହାରୀ ହୋଇଛି ଏବଂ ଏହି ସ୍ଥାନକୁ ବ୍ରହ୍ମାଣ୍ଡ ଘାଟ ନାଁରେ ଜଣାଯାଇଥାଏ। ଏହି ମନ୍ଦିରରେ ମାଟିର ପେଡା ଭୋଗ ଅର୍ପଣ କରାଯିବାର ପରମ୍ପରା ଶହ ଶହ ବର୍ଷର ପୁରୁଣା। ଏହି ପ୍ରକାରର ଭୋଗ ଲଗାଯିବାରେ ବ୍ରହ୍ମାଣ୍ଡ ବିହାରୀ ଏକମାତ୍ର ମନ୍ଦିର।

ମନ୍ଦିର ପାଖରେ ଯମୁନା ନଦୀ ବହିଯାଇଛି। ତେଣୁ ଯମୁନା ଘାଟରୁ ମାଟି ବାହାର କରାଯାଇ ଏହାକୁ ଶୁଖାଯାଇଥାଏ। ତା’ପରେ ଏହାକୁ କୁଟି ଏବଂ ସଫା କରାଯାଇ ଏଥିରେ ପେଡା ପ୍ରସ୍ତୁତ କରାଯାଇଥାଏ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ସେହି ପେଡାକୁ ହିଁ ଭୋଗ ରୂପେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଥାଆନ୍ତି ଏବଂ ନିଜେ ମଧ୍ୟ ଖାଇଥାଆନ୍ତି। ଭୋଗ ଲାଗି ପରେ ଶ୍ରଦ୍ଧାଳୁମାନେ ଏହାକୁ ନିଜ ଘରକୁ ମଧ୍ୟ ନେଇ ଯାଇଥାଆନ୍ତି। ମାନ୍ୟତା ରହିଛି, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଗାଈ ଚରାଇବା ପାଇଁ ଏହି ଯମୁନା ଘାଟକୁ ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.