ଦେବଗୁରୁଙ୍କ ଚଳନରେ ଏବେ ବଦଳିଯିବ ଏହିସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ ରହିବ ସ୍ଥିତି

ଏକ ବର୍ଷ ପରେ ପୁଣି ଥରେ ଦେବଗୁରୁ ବୃହସ୍ପତି କରିଛନ୍ତି ନିଜ ରାଶି ପରିବର୍ତ୍ତନ । ପ୍ରତିଥର ଦେବଗୁରୁ ତେର ମାସ ପରେ ନିଜ ଘର ପରିବର୍ତନ କରନ୍ତି । ଏମିତିରେ ଆମେ ଏହାକୁ ଗୋଟିଏ ବର୍ଷ ଏକ ମାସ ଧରିବା । ଚଳିତଥର ଦେବଗୁରୁ ମୀନ ରାଶି ରୁ ବାହାରି ମେଷ ରାଶି କୁ ପ୍ରବେଶ କରିସାରିଛନ୍ତି । ଏହା କାରଣରୁ ବାରଟି ରାଶି ଉପରେ ପଡିବ ଅନେକ ବଡ ପ୍ରଭାବ।

ଦେବଗ୍ରହମାନଙ୍କ ଦେବଗୁରୁ ବୃହସ୍ପତି । ନୂଆ ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ସନ୍ଧ୍ୟା ୫ଟା ୧୩ ମିନିଟ୍‌ରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ରୁ ବାହାରି ମେଷ ରାଶିକୁ ଚଲନ କରିଛନ୍ତି । ଗୁରୁ ବୃହସ୍ପତି ହେଉଛନ୍ତି ଶୁଭ ଗ୍ରହ। ତାଙ୍କର ଶୁଭ ଦୃଷ୍ଟି ଜାତକର ଯେଉଁ ଘର ଉପରେ ରୁହେ ସେ ଘର ସୁଖ ସମୃଦ୍ଧିରେ ଭରିଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ଗତ ଶୁକ୍ରବାର ସନ୍ଧ୍ୟା ୫ଟା ୧୩ ମିନିଟ୍‌ ସମୟରେ ମେଷ ରାଶିକୁ ପ୍ରବେଶ କରିଛନ୍ତି । ଦେବଗୁରୁ ସମସ୍ତ ମଙ୍ଗଳ କର୍ମର କାରକ । ତାଙ୍କ ଶୁଭ ସ୍ଥିତି ରେ ପୁଅ ଝିଅଙ୍କ ବିବାହ ଆଦି ଶୁଭ କର୍ମ କରାଯାଏl ସେ ସନ୍ତାନ, ବିଦ୍ୟା, ଧନ ସୁଖ ଆଦି ସମସ୍ତ ଶୁଭ କାର୍ଯ୍ୟ କରାଇଥାନ୍ତି । ତେବେ ଜ୍ୟୋତିର୍ବିତ ଙ୍କ ମତରେ ବୃହସ୍ପତିଙ୍କ ଚଳନ ରେ ମିଥୁନ, ସିଂହ, ତୁଳା, ଧନୁ ଓ ମୀନ ରାଶିରେ ଶୁଭ ଫଳ ପ୍ରଦାନ କରିବେ। ଏମାନେ ଏହି ସମୟ ମଧ୍ୟରେ ବିବାହ କରିପାରିବେ ।

ଜ୍ୟୋତିଷଙ୍କ କହିବା ଅନୁସାରେ ବୃହସ୍ପତି ଜନ୍ମ ରାଶିରେ ରହିଲେ ସମସ୍ତ କାର୍ଯ୍ୟ ରେ ଅସଫଳ ସହ ମନରେ ଭୟ ଲାଗି ରହିଥାଏ। ଦ୍ୱିତୀୟରେ ରହିଲେ ଧନ, ଧାନ୍ୟ ଲାଭ ହୋଇଥାଏ। ତୃତୀୟରେ ରହିଲେ ଶାରୀରିକ ପୀଡ଼ା ସହିତ ବୃଦ୍ଧି ଭ୍ରଷ୍ଟ ହୋଇଥାଏ। ଚତୁର୍ଥରେ ରହିଲେ ଧନହାନି, ଅହଂ ଭାବ ବୃଦ୍ଧି ପାଇଥାଏ। ପଞ୍ଚମରେ ରହିଲେ ସନ୍ତାନ ସୁଖ ସହିତ ଧନ ଲାଭ ହୋଇଥାଏ। ଜାତକର ଷଷ୍ଠ ଘରେ ରହିଲେ ରୋଗ, ଶତ୍ରୁ ବୃଦ୍ଧି ହୋଇଥାନ୍ତି। ସପ୍ତମ ଘରେ ରହିଲେ ଲକ୍ଷ୍ମୀ ପ୍ରାପ୍ତି ସହ ସମ୍ମାନ ଲାଭ ହୋଇଥାଏ।

ଅଷ୍ଟମରେ ସ୍ୱାସ୍ଥ୍ୟ ସମ୍ପଦ ହାନି ସହିତ ଗୁପ୍ତ ଶତ୍ରୁ ବୃଦ୍ଧି ହୋଇଥାନ୍ତି। ନବମରେ ରହିଲେ ଧନ ଲାଭ ସହ ଶୁଭ କାର୍ଯ୍ୟ ଓ ସନ୍ତାନ ଲାଭ ହୋଇଥାଏ। ଦଶମରେ ରହିଲେ ପ୍ରେମ ସମ୍ପର୍କ ଭଙ୍ଗ ସହିତ ନିଜ ଲୋକ ମାନଙ୍କ ସହିତ ଅପ୍ରିୟତା ହୋଇଥାଏ। ଏକାଦଶରେ ରହିଲେ ଧନ, ମାନ, ସମ୍ମାନ ପ୍ରାପ୍ତି ହେବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ ଦ୍ୱାଦଶରେ ବ୍ୟୟ ବୃଦ୍ଧି, ଶାରୀରିକ କଷ୍ଟ ସହିତ ସମସ୍ତ କାର୍ଯ୍ୟରେ ବିଳମ୍ବ ହୋଇଥାଏ।

ଏବେ ଜାଣନ୍ତୁ ଜ୍ୟୋତିର୍ବିତଙ୍କ ମତରେ ତେର ମାସ ଯାଏ ସମସ୍ତ ବାରଟି ରାଶି ଉପରେ ଦେବଗୁରୁଙ୍କର କିଭଳି ପ୍ରଭାବ ରହିବ :

ମେଷ:

ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଚାକିରିରେ ଅନ୍ୟ ସ୍ଥାନକୁ ପରିବର୍ତ୍ତନ ହୋଇପାରେ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି । ମାଲିମକଦ୍ଦମାକୁ ନେଇ ମନରେ ଟିକେ ଭୟ ଆସିପାରେ।

ପ୍ରତିକାର କରିବା ପାଇଁ ଦେବଗୁରୁ ବୃହସ୍ପତିଙ୍କ ବୀଜ ମନ୍ତ୍ର ଜପ କରନ୍ତୁ।

ବୃଷ:

ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖା ଦେଇପାରେ।  ଆୟ କମ୍‌, ବ୍ୟୟ ବୃଦ୍ଧି ହେବା ସହ ଅର୍ଥ ହାନି ଲାଗି ରହିପାରେ। ଚାକିରି କ୍ଷେତ୍ରରେ ମହିଳାମାନେ ବହୁ ନାନାବିଧ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ପ୍ରତିକାର କରିବା ପାଇଁ ମହାପ୍ରଭୁଙ୍କ ଦଶ ଅବତାରରୁ ଶ୍ରୀ ବାମନଙ୍କ ଫଟୋକୁ ପୂଜା କରନ୍ତୁ

ମିଥୁନ:

ସ୍ୱାସ୍ଥ୍ୟ ଭଲ ରହିବ। ଶତ୍ରୁ ଦମନ, ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋସନ ହୋଇପାରେ। ବାକି ପଡ଼ିଥିବା ଅର୍ଥ ଫେରି ପାଇପାରନ୍ତି । କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ହେବେ l ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ।

କର୍କଟ:

ଶରୀର ପ୍ରତି ଯତ୍ନବାନ ରହିବା ଉଚିତ୍‌। କର୍ମକ୍ଷେତ୍ରରେ ସହକର୍ମୀମାନେ ବିଶ୍ୱାସଘାତକ କରି ପାରନ୍ତି। ପ୍ରେମିକା, ପ୍ରେମିକ ଉଭୟଙ୍କ ଭିତରେ ସନ୍ଦେହଭାବ ଜାତ ହୋଇପାରେ। ପରିବାର ଭିତରେ କୌଣସି କାରଣରୁ ତିକ୍ତତା ଦେଖା ଦେଇପାରେ।

ପ୍ରତିକାର କରିବା ପାଇଁ ଧଳା ବର୍ଣ୍ଣ ବ୍ରାହ୍ମଣଙ୍କୁ ଗୁରୁବାର ଦିନ ହଳଦିଆ ବସ୍ତ୍ର, ଖେଚୁଡ଼ି ଭୋଜନ ଦେଇ ଦକ୍ଷିଣା ପ୍ରଦାନ କରନ୍ତୁ

ସିଂହ:

ଶାରୀରିକ କଷ୍ଟ ଦୂର ହୋଇଯିବ। କର୍ମକ୍ଷେତ୍ର ନୈରାଶ୍ୟ ଦୂରେଇ ଯିବ ଓ ପ୍ରତିଷ୍ଠା ଲାଭ ହୋଇପାରେ । ଆର୍ଥିକ ଲାଭ ସହ ଉନ୍ନତିର ଯୋଗ ରହିଛି । ସନ୍ତାନଙ୍କ ପାଇଁ ଥିବା ଚିନ୍ତା ଦୂରେଇ ଯାଇପାରେ।

କନ୍ୟା:

ଛାତିରେ ଯନ୍ତ୍ରଣା ଦେଖା ଦେଇପାରେ । ବ୍ୟବସାୟରେ ସାମାନ୍ୟ କ୍ଷତି ସହିବାକୁ ପଡ଼ିପାରେ । ପରିସ୍ଥିତିରେ ପଡ଼ି ଜମି ବିକି ପାରନ୍ତି । ନିଜ ଲୋକମାନେ ଅସୁବିଧାରେ ପକାଇ ଖର୍ଚ୍ଚାନ୍ତ କରି ପାରନ୍ତି ।

ପ୍ରତିକାର କରିବା ପାଇଁ ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ତୁଳା:

ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇପାରେ।ବ୍ୟବସାୟରେ ଉନ୍ନତି ହେବା ସହ ଧନ ସମ୍ପତ୍ତି ବୃଦ୍ଧି ପାଇବ । ଯଶ, ସମ୍ମାନ ବୃଦ୍ଧି ସହ କେତେକ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବେ।

ବିଛା :

ଅଯଥା ଭ୍ରମଣ କରିପାରନ୍ତି । ଖର୍ଚ୍ଚ ବଢ଼ିପାରେ । ଘରେ, ବାହାରେ ଭୁଲ୍‌ ବୁଝାମଣା ହେତୁ ଅଯଥା ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ ।

ପ୍ରତିକାର କରିବା ପାଇଁ ଓଁ ବୃ° ବୃହସ୍ପତୟେ ନମଃ ମନ୍ତ୍ରକୁ ଜପ କରନ୍ତୁ

ଧନୁ :

ବହୁ ଦିନରୁ ଭୋଗୁ ଥିବା କଷ୍ଟ ଦୂର ହେବ । ବ୍ୟବସାୟରେ ବହୁତ ଆଗକୁ ଯିବେ । ଦାମ୍ପତ୍ୟ ଜୀବନରେ ସନ୍ତାନ ସୁଖର ଯୋଗ ମିଳିବ। ନୂତନ ଜମି, ଗାଡ଼ି କ୍ରୟ କରିପାରନ୍ତି।

ମକର:

 ଚକ୍ଷୁ ସମସ୍ୟା ଦେଖା ଦେଇପାରେ। ଭାବିଚିନ୍ତି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢାରେ ମନଯୋଗ ରଖି ପାରିବେ ନାହିଁ । ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଏସବୁ ଠାରୁ ଦୂରରେ ରୁହନ୍ତୁ।

ପ୍ରତିକାର କରିବା ପାଇଁ ମା’ ତାରାଙ୍କର ମନ୍ତ୍ର ପାଠ କରନ୍ତୁ

କୁମ୍ଭ :

ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ । ଅନ୍ୟମାନଙ୍କର ବିଶ୍ୱାସଘାତକତା ମାନସିକ ସ୍ତରରେ କ୍ଷତି ଘଟାଇପାରେ । ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ଅସୁବିଧା କରିପାରନ୍ତି । ସମ୍ପତ୍ତିକୁ ନେଇ ସମସ୍ୟା ଦେଖା ଦେବ।

ପ୍ରତିକାର କରିବା ପାଇଁ ସୁନା, କଂସା, ଘିଅ, ହଳଦୀ, ଚିନି, ଚଣା, ଡାଲି, ପୋଖରାଜ ଦକ୍ଷିଣା ବ୍ରାହ୍ମଣକୁ ଦାନ କରନ୍ତୁ

ମୀନ:

ଶାରୀରିକ ସମସ୍ୟା ଦୂରେଇ ଯାଇପାରେ । ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ।  ଚାକିରିରେ ପ୍ରମୋସନ ହେବା ସହ ସମ୍ମାନ ପ୍ରାପ୍ତ ହେବ ।  ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ କୃତକାର୍ଯ୍ୟ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.