Below header

ଭିତର କନିକାର ରାଜବାଟୀ, ଅନେକ ଐତିହାସିକ ସ୍ମାରକୀର ମୁକସାକ୍ଷୀ

ରାଜନଗର (କେନ୍ୟୁଜ୍‌) : ଜୈବ ବିବିଧତା, ବିଶାଳ ହେନ୍ତାଳ ଜଙ୍ଗଲ, ବିରଳ ଜୀବଜନ୍ତୁ ଓ ବିଶେଷ କରି ବଉଳା କୁମ୍ଭୀରର ଏନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ କେନ୍ଦ୍ରାପଡ଼ାର ଭିତରକନିକା। କିନ୍ତୁ ଏହା ମଧ୍ୟରେ ରହିଛି କନିକା ରାଜତନ୍ତ୍ରର ଅନେକ ଐତିହାସିକ କୀର୍ତ୍ତିରାଜି । ଦେଶ ସ୍ୱାଧୀନ ହେବା ପୂର୍ବରୁ କନିକା ରାଜ୍ୟର ଅଂଶ ବିଶେଷ ଥିଲା ଭିତରକନିକା । ଏହାର ନୈସର୍ଗିକ ଶୋଭାରାଜି, ପକ୍ଷୀ ମାନଙ୍କର କାକଳି, ଘଞ୍ଚ ଜଙ୍ଗଲର ମାୟା ତତ୍କାଳୀନ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ରାଣୀଙ୍କୁ ବିମୋହିତ କରିଥିଲା । ସେମାନେ ଏହା ଭିତରେ ଅବସର ସମୟ ଅତିବାହିତ କରୁଥିଲେ । ରାଜାଙ୍କ ଶିକାର କୋଠି, ପଦ୍ମ ପୋଖରୀ, ଶିବ ମନ୍ଦିର, ଦୁର୍ଗା ମନ୍ଦିର, ୱାଚ୍‌ ଟାୱାର ଆଦି କନିକା ରାଜତ୍ୱର ସ୍ମୃତିଚିହ୍ନ ଭାବରେ ରହିଛି ଏଇଠି । ଯାହା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି । ରାଜତନ୍ତ୍ର ଚାଲି ଯିବା ପରେ ଭିତରକନିକା ଆସିଲା ସରକାରଙ୍କ ଅଧୀନକୁ । ମାତ୍ର ଦୀର୍ଘ ବର୍ଷ ଧରି ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ହେଉନାହିଁ । ଜଙ୍ଗଲ ମଧ୍ୟରେ ଥିବା ଏହି ଐତିହାସିକ କୀର୍ତ୍ତିରାଜି ଗୁଡିକ ନଷ୍ଟ ହେବାକୁ ବସିଲାଣି ।

KANIKA-2

ଭିତରକନିକା ଅଞ୍ଚଳର ନଦୀନାଳରେ ବହୁ ସଂଖ୍ୟାରେ ବଉଳା କୁମ୍ଭୀର ଦେଖା ଯାଆନ୍ତି । ଏଠିକାର ଲୋକମାନେ ସେମାନଙ୍କର ଜିବୀକା ନିର୍ବାହ ପାଇଁ ମାଛ କଙ୍କଡା ଧରିବାକୁ ସେହି ନଦୀନାଳ ଉପରେ ନିର୍ଭର କରିଥାନ୍ତି । ତେବେ ସେ ସମୟରେ କୁମ୍ଭୀର ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଲେ । ପୁଣି ସେତେବେଳେ ଏକ ନିର୍ଦ୍ଦିଷ୍ଟ କୁମ୍ଭୀର ଅନେକ ଲୋକଙ୍କ ପ୍ରାଣ ନେଇଥିଲା । ଖୁବ୍‌ ଆତଙ୍କ ସୃଷ୍ଟି କରିଥିଲା ସାରା ଅଞ୍ଚଳରେ । ତେଣୁ ତତ୍କାଳୀନ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ବିଶାଳକାୟ କୁମ୍ଭୀରକୁ ଗୁଳି କରି ମାରି ଦେଇଥିଲେ । ଆଉ ଲୋକଙ୍କୁ କୁମ୍ଭୀର ଭୟରୁ ମୁକ୍ତ କରିଥିଲେ । ଯାହାଥିଲା ସମଗ୍ର ବିଶ୍ୱର ସବୁଠାରୁ ବଡ କୁମ୍ଭୀର । ଏହି କୁମ୍ଭୀରର ଲମ୍ବ ଥିଲା ୨୪ ଫୁଟ ୬ଇଞ୍ଚ । ଯାହାର ମୁଣ୍ଡ ଆଜିବି କନିକା ରାଜବାଟୀରେ ଦେଖିବାକୁ ମିଳେ । ଏହା ସହିତ କନିକା ରାଜବାଟୀରେ କାଠର ପଙ୍ଖା, ଚେସ ବୋର୍ଡ, ବାଘ ଛାଲ, ହରିଣ ମୁଣ୍ଡ, ହାତୀ ମୁଣ୍ଡ ଓ ଗୋଡ, ଦୁଇଶହ ବର୍ଷର ପୁରୁଣା ସୂର୍ଯ୍ୟମୂର୍ତ୍ତି, ରାଣୀ ଏଲିଜାବେଥଙ୍କ ସହିତ ଫଟୋ ରାଜବାଟୀର ଶୋଭାକୁ ଦ୍ୱିଗୁଣିତ କରୁଛି । ୧୯୦୯ ମସିହାରେ ରାଜବାଟୀ ଶିଳାନ୍ୟାସର ତାମ୍ର ଫଳକ ଦେଖିବାକୁ ମିଳେ ।

ତେବେ ବହୁ ପୁରାତନ କୀର୍ତ୍ତି ସବୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ଓ ଚୋରି ହୋଇ ଯାଇଥିବା କୁହାଯାଉଛି । ଏସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବା ସହ ଉଚିତ ସୁରକ୍ଷା ବ୍ୟବସ୍ଥା କରାଗଲେ ଏହି ଦର୍ଶନୀୟ ସ୍ମାରକୀ ଆହୁରି ଆକର୍ଷଣୀୟ ହୋଇ ପାରନ୍ତା ।

କର୍ପୁର ଉଡିଯାଇଛି ସିନା କନା ପଡିରହିଛି ନ୍ୟାୟରେ ଆଜିବି ଏହି ଐତିହାସିକ କୀର୍ତ୍ତିରାଜି ରାଜତନ୍ତ୍ରର କାହାଣୀକୁ ବଖାଣୁଛି । ଏସବୁ ଆମର ଅତୀତର ସ୍ମୃତି । ଏଭଳି ଐତିହ୍ୟକୁ ନଷ୍ଟ ହେବାକୁ ଦିଆଯିବା ଆଦୌ ଉଚିତ ନୁହେଁ ।

କେନ୍ଦ୍ରାପଡ଼ା ରାଜନଗରରୁ ଦୋଳଗୋବିନ୍ଦ ଜେନା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.