୭୩ ବର୍ଷର ବରକୁ ୬୭ ବର୍ଷର କନ୍ୟା, ୫୦ ବର୍ଷ ଲିଭ୍-ଇନ୍ ରିଲେସନ୍ସିପ୍ରେ ରହିବା ପରେ କଲେ ବିବାହ
ପ୍ରେମ ଆଗରେ ହାର୍ ମାନିଲା ବୟସ। ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ନିଜ ପ୍ରେମକୁ ସାକାର କରି ବିବାହର ରୂପ ଦେଇଛନ୍ତି ଜଣେ ବୃଦ୍ଧ। ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ଜଣେ ୭୩ ବର୍ଷୀୟ ବର ୬୭ ବର୍ଷର କନ୍ୟାଙ୍କୁ ବିବାହ କରିଛନ୍ତି। ଏହି ବିବାହ ପରେ ସେମାନଙ୍କ ୫୦ ବର୍ଷ ତଳ ସ୍ୱପ୍ନ ପୂରଣ ହୋଇଛି। ଆଉ ଏହି ବିବାହ କରାଇଛନ୍ତି ସେମାନଙ୍କ ପୁଅଝିଅ। ପିତାମାତାଙ୍କ ଇଚ୍ଛା ପୂରଣ ପାଇଁ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କ ବିବାହ କରାଇଛନ୍ତି।
କଓ୍ଵର୍ଦ୍ଧା ଜନପଦର ଖୈରଝିଟି ଗ୍ରାମ ବାସିନ୍ଦା ୭୩ ବର୍ଷୀୟ ସୁକାଲରାମ ନିଷାଦ ଓ ଗୌତରହିନ ବାଇ ନିଷାଦ ଫେବ୍ରୁଆରୀ ୧୪ତାରିଖ ଭାଲେଣ୍ଟାଇନ୍ ଡେ’ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ୫୦ ବର୍ଷ ଧରି ଲିଭ୍-ଇନ୍ ରିଲେସନ୍ସିପ୍ରେ ରହିବା ପରେ ଉଭୟେ ବିବାହ କରିଛନ୍ତି। ତେବେ ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି, ଯାହାଙ୍କ ବିବାହ ମଧ୍ୟ ହୋଇସାରିଛି।
ରିପୋର୍ଟ ମୁତାବକ, ୫୦ ବର୍ଷ ପୂର୍ବେ ସୁକାଲ ଜଣେ ସାଙ୍ଗ ପାଇଁ ଝିଅ ଦେଖିବାକୁ ବେମେତରା ଯାଇଥିଲେ। ସେଠାରେ କନ୍ୟାର ସାନ ଭଉଣୀ ଗୌତରହିନ୍ଙ୍କୁ ଭଲ ପାଇ ବସିଥିଲେ ସୁକାଲ। ମାତ୍ର ସେତେବେଳେ ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସେମାନେ ବିବାହ କରିପାରି ନଥିଲେ। କିନ୍ତୁ ସୁକାଲ ବିବାହ ବିନା ମଧ୍ୟ ଗୌତରହିନ୍ଙ୍କୁ ପତ୍ନୀ ଭାବେ ଘରକୁ ନେଇ ଆସିଥିଲେ ଓ ସଂସାର ଆରମ୍ଭ କରିଥିଲେ। ସେମାନେ ବିବାହ ନ କରି ୩ଟି ସନ୍ତାନର ଜନକ ହୋଇଥିଲେ।
ଏନେଇ ଗାଁରେ ଚର୍ଚ୍ଚା ହେଉଥିଲା ଯେ ବିବାହ କରିନଥିବାରୁ ମୃତ୍ୟୁ ପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହେବ ନାହିଁ। ଏଣୁ ପିତାଙ୍କ ପାଇଁ ଗାଁଲୋକଙ୍କ ସହାୟତାରେ ତାଙ୍କ ପୁଅମାନେ ବିବାହ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଗାଁରେ ଚାଲିଥିବା ନବଧା ରାମାୟଣସ୍ଥଳରେ ସମସ୍ତଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।