ଆଜିଠୁ ଛଠ୍‌…ଛଠି ମୟାଁ ଓ ସୂର୍ଯ୍ୟଦେବଙ୍କୁ ପୂଜା ସମୟରେ ଏହି ନିୟମଗୁଡ଼ିକ ଉପରେ ରଖନ୍ତୁ ଧ୍ୟାନ; ସବୁ ମନୋକାମନା ହେବ ପୂରଣ

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଛଠ୍‌ ପୂଜା କରାଯାଇଥାଏ। ଏହି ପର୍ବ ୪ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏଥର ଛଠ୍‌ ପର୍ବ ଆଜି ଅର୍ଥାତ୍‌ ୨୮ ଅକ୍ଟୋବରରୁ ଆରମ୍ଭ ହୋଇ ଯାଇଛି। ଏହି ବ୍ରତ ୩୧ ଅକ୍ଟୋବରରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ପାରଣ ହେବ। ଛଠ୍‌ ପୂଜାରେ ମହିଳାମାନେ ୩୬ ଘଣ୍ଟାର ନିର୍ଜଳା ବ୍ରତ ରଖନ୍ତି ଏବଂ ବିଶେଷ ନିୟମଗୁଡ଼ିକ ପାଳନ କରନ୍ତି। ଏହି ବ୍ରତ ସନ୍ତାନର ଦୀର୍ଘ ଆୟୁଷ, ସନ୍ତାନ ପ୍ରାପ୍ତି ଏବଂ ସନ୍ତାନର ସୁଖି ଜୀବନ ପାଇଁ ରଖା ଯାଇଥାଏ। ଏହି ବ୍ରତର କିଛି ନିୟମ ରହିଛି, ଯାହା ବିଷୟରେ ଆପଣ ନିଶ୍ଚୟ ଜାଣିବା ଉଚିତ।

ଛଠ୍‌ ପୂଜାର ନିୟମ

-ଛଠ୍‌ ପୂଜା ୪ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଏହି ସମୟରେ ଘରେ ତାମସିକ ଖାଦ୍ୟ ପ୍ରସ୍ତୁତ କରାଯାଇ ନ ଥାଏ। ଏପରି କି, ଖାଦ୍ୟରେ ରସୁଣ ଏବଂ ପିଆଜ ବ୍ୟବହାର କରିବା ମଧ୍ୟ ନିଷେଧ ଥାଏ।

-ଛଠ୍‌ ପୂଜାରେ ସଫାସୁତରା ଏବଂ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ରଖା ଯାଇଥାଏ। ମାନ୍ୟତା ରହିଛି କି, ଏହି ସମୟରେ ସ୍ନାନ ବିନା କୌଣସି ଖାଦ୍ୟପେୟ ଜିନିଷକୁ ଛୁଇଁବା ଉଚିତ ନୁହେଁ।

-ଛଠ୍‌ ପୂଜାରେ ଯେଉଁ ମହିଳାମାନେ ବ୍ରତ ରଖି ଥାଆନ୍ତି, ସେମାନେ ଖଟ, ପଲଙ୍କ କିମ୍ବା କୌଣସି ଶଯ୍ୟା ଉପରେ ଶୋଇବା ଉଚିତ୍ ନୁହେଁ। ବ୍ରତଧାରୀ ଭୂମି ଉପରେ ବିଛଣା ପକାଇ ଶୋଇବା ଉଚିତ୍।

-ଛଠ୍‌ ପୂଜାରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ ଏବଂ ତାଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଛି। କିନ୍ତୁ ଅର୍ଘ୍ୟ ଦେବା ପାଇଁ ଭୁଲ୍‌ରେ ବି ପ୍ଲାଷ୍ଟିକ୍, ରୁପା କିମ୍ବା ଷ୍ଟିଲ୍ ବାସନ ବ୍ୟବହାର କରିବେ ନାହିଁ।

-ଛଠ୍‌ର ପ୍ରସାଦ ପ୍ରସ୍ତୁତ କରିବା ସମୟରେ ଗୋଟିଏ କଥା ମନେ ରଖନ୍ତୁ ଯେ ପ୍ରସାଦ ତିଆରି ବେଳେ ଏହାକୁ ଚାଖିବା ଉଚିତ୍‌ ନୁହେଁ। କାହିଁକି ନା, ଏହାଦ୍ୱାରା ସେହି ପ୍ରସାଦ ଅଇଁଠା ହୋଇ ଯାଇଥାଏ।

-ଛଠ୍‌ ପୂଜାର ପ୍ରସାଦ ଏପରି ସ୍ଥାନରେ ତିଆରି ହେବା ଉଚିତ, ଯେଉଁଠି ଖାଦ୍ୟ ପ୍ରସ୍ତୁତ ହୋଇ ନ ଥାଏ। ତେଣୁ ଏଥିପାଇଁ ମାଟିର ଏକ ନୂଆ ଚୁଲି ତିଆରି କରାଯାଇଥାଏ।

-ପୂଜା ସମୟରେ ସଫାସୁତରା ଏବଂ ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଉଚିତ୍। ସାଧାରଣତଃ ଏହି ସମୟରେ ପରିବାର ପାଇଁ ନୂତନ ବସ୍ତ୍ର କିଣା ଯାଇଥାଏ।

-ଛଠ୍‌ ପୂଜା ସମୟରେ ଯେଉଁ ବି ବ୍ୟକ୍ତି ବ୍ରତ ପାଳନ କରିଥାଏ, ସେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ହିଁ ଖାଦ୍ୟ ଗ୍ରହଣ କରି ପାରିବ।

-ଏହି ସମୟରେ ଘରେ ମଦ କିମ୍ବା ଆମିଷ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍ ନୁହେଁ କି ଏହାକୁ ସେବନ କରିବା ବି ଉଚିତ୍‌ ନୁହେଁ।

-ଛଠ୍‌ ପୂଜା ସମୟରେ ଘରର କୌଣସି ସଦସ୍ୟଙ୍କୁ ଫଳ ଖାଇବାକୁ ଅନୁମତି ଦିଆଯାଇ ନ ଥାଏ। ପୂଜା ସମାପ୍ତ ହେବା ପରେ ହିଁ ଫଳ ସେବନ କରି ପାରିବେ।