ମାଙ୍କୁ ମୁଖାଗ୍ନି ସିନା ଦେଲେ ହେଲେ ମନ ଭିତରୁ ତାଙ୍କୁ କାଢ଼ିବେ କେମିତି ପୁଅ ନରେନ୍ଦ୍ର ମୋଦି

କେନ୍ୟୁଜ୍‌(ବ୍ୟୁରୋ): ମା ଶବ୍ଦଟି ଯେମିତି ପୂରାପୂରି ତାଙ୍କରି ପାଖରେ ପ୍ରଯୁଜ୍ୟ । ପୁଅ ସିନା ପ୍ରଧାନମନ୍ତ୍ରୀ, କେବଳ ଦେଶ ନୁହେଁ ସାରା ବିଶ୍ୱରେ ଜଣେ ବିଶିଷ୍ଟ ବ୍ୟକ୍ତି । ହେଲେ ସେ କିନ୍ତୁ କେବଳ ମା’ଟିଏ । ଏଇ ଭୋର ସମୟରେ ଆଜି ଆର ପାରିକୁ ଚାଲିଗଲେ ଶତାୟୁ ହୀରାବେନ । ଜଣେ ଅତି ସରଳ ଓ ଆସାଧାରଣ ମଣିଷ ହେଲେ ଅତି ଦୃଢ଼ ମା’ଟିଏ । ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ମା’ କିନ୍ତୁ ଅନ୍ୟ ମା’ ମାନଙ୍କ ପରି । କିଛି ବି ଫରକ ନାହିଁ ତାଙ୍କ ଠାରେ । ଡିସେମ୍ବର ୩୦ ଭୋର ୩ଟା ୩୦ରେ ଅହମଦାବାଦର ୟୁଏନ ମେହତା ହସ୍ପିଟାଲରେ ଆଖି ବୁଜିଛନ୍ତି ହୀରାବେନ । ମୃତ୍ୟୁ ବେଳକୁ ତାଙ୍କୁ ଠିକ୍‌ ୧୦୦ ବର୍ଷ ବୟସ ହୋଇଥିଲା । ଦୁଇ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହୀରାବେନ ।

୧୮ ଜୁନ ୧୯୨୨ରେ ଗୁଜରାଟ ମେହସାଣାରେ ଜନ୍ମ ନିଅନ୍ତି ପ୍ରଧନମନ୍ତ୍ରୀ ମୋଦିଙ୍କ ମା ହୀରାବେନ । ଯେତେବେଳେ ତାଙ୍କୁ ୬ ମାସ ହୋଇଥିଲା ସ୍ପାନିସ ଫ୍ଲୁରେ ହୀରାବେନ ନିଜ ମା’ଙ୍କୁ ହରାଇଥିଲେ । ଏତେ ଛୋଟ ବେଳୁ ମା ଛେଉଣ୍ଡ ହୋଇ ଯାଇଥିଲେ ସେ । ତେବେ ପରିବାର କଣ ଭଲ ଭାବେ ଜାଣିଥିଲେ । ବଡ଼ ହେଲା ପରେ ବିବାହ କଲେ ଦାମୋଦରଦାସ ମୁଲଚାନ୍ଦ ମୋଦୀଙ୍କୁ । ଦାମୋଦରଦାସ ଜଣେ ଚା ଦୋକାନୀ । ହୀରାବେନ ଓ ଦାମଦୋର ୬ଟି ସନ୍ତାନଙ୍କ ବାପା ମା । ତାଙ୍କର ୫ଟି ପୁଅ ଜଣେ ଝିଅ ଥିଲେ । ଅମୃତ, ପଙ୍କଜ, ନରେନ୍ଦ୍ର, ପ୍ରହ୍ଲାଦ । ସୋମା ହେଲେ ତାଙ୍କର ବଡ଼ ପୁଅ ଓ ବସନ୍ତୀ ବେନ ହସମୁଖଲାଲ ମୋଦୀ ହେଉଛନ୍ତି ତାଙ୍କ ଝିଅ । ତୃତୀୟ ସନ୍ତାନ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସ୍ୱାମୀ ଦାମୋଦରଦାସଙ୍କ ମୃତ୍ୟୁ ପରେ ୬ଟି ସନ୍ତାନଙ୍କ ଦାୟିତ୍ୱ ହୀରାବେନଙ୍କୁ ନେବାକୁ ପଡ଼ିଥିଲା । ଦାରିଦ୍ର୍ୟ ଭିତରେ ନିଜ ପିଲାମାନଙ୍କୁ ବଡ଼ କରିବା ପାଇଁ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା । ହୀରାବେନ ପର ଘରେ କାମ କରୁଥିଲେ । ପାଣି ଆଣି ଦେଉଥିଲେ । ଏପରିକି ଅନେକ କିଛି ତ୍ୟାଗ କରିଛନ୍ତି ସେ ପିଲାମାନଙ୍କୁ ବଡ଼ କରିବା ପାଇଁ। ପିଲାମାନେ ସିନା ବଡ଼ ହୋଇ ନିଜ ସଂସାର କଲେ ହେଲେ ସବୁବେଳେ ହୀରାବେନ୍‌ ନିଜ କାମ ନିଜେ କରୁଥିଲେ । ଏମିତିକି ଅସୁସ୍ଥ ହୋଇ ଚିକିତ୍ସା ପାଇଁ ମେଡିକାଲ ଯିବା ପୂର୍ବ ପର୍ଯ୍ୟନ୍ତ ସେ ନିଜେ ରୋଷେଇ କରୁଥିଲେ । ୨୦୧୫ରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ସାକ୍ଷାତରେ ମୋଦୀ ଅତ୍ୟନ୍ତ ଭାବ ପ୍ରବଣ ହୋଇ କହିଥିଲେ, ମୋ ମା’ ମୋ ପାଇଁ ଏକ ସ୍ତମ୍ଭ । ତାଙ୍କ ମା’ଙ୍କ ସଂସ୍କାର ତାଙ୍କୁ ଏଇଠି ଆଣି ପହଁଚାଇଛି ।

ବିଭିନ୍ନ ସମୟରେ ହୀରାବେନଙ୍କୁ ସାଧାରଣସ୍ଥାନରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରୁଥିଲା । ପ୍ରଧାନମନ୍ତ୍ରୀଙ୍କ ମା’ ହୋଇକି ବି ସେ ଧାଡ଼ିରେ ଛିଡ଼ା ହେଉଥିଲେ । ଏପରିକି ଭୋଟ ଦେବା ସମୟରେ ତାଙ୍କୁ ଲମ୍ବା ଧାଡ଼ିରେ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ନୋଟବନ୍ଦୀ ସମୟରେ ଏଟିଏମରେ ଧାଡ଼ି ଲଗାଉ ଥିଲେ । ଏହାସହ କୋଭିଡ଼ ଟିକା ନେବା ସମୟରେ ତାଙ୍କୁ ସେହି ସାଧାରଣ ସରକାରୀ ହସପିଟାଲରେ ଦେଖିବାକୁ ମିଳିଥିଲା । ସେ ଦେଶର ଆଉ ଜଣେ ସାଧାରଣ ମହିଳା ଭାବରେ ବଞ୍ଚୁଥିଲେ । କୌଣସି ଚାକଚକ୍ୟ ତାଙ୍କୁ ଛୁଇଁ ପାରିନଥିଲା । ପୁଅ ପ୍ରଧାନମନ୍ତ୍ରୀ ହୋଇଥିଲେ ବି ଅତି ସରଳ ଜୀବନ ଯାପନ କରୁଥିଲେ ହୀରାବେନ ।

୨୦୨୨ ଜୁନ ୧୮ରେ ୧୦୦ ବର୍ଷରେ ପାଦ ଦେଇଥିଲେ ହୀରାବେନ । ଗରିବଙ୍କ ସେବା କରିବା ପାଇଁ ତାଙ୍କ ମାଆ ସବୁବେଳେ ତାଙ୍କୁ ପ୍ରେରଣା ଦେଉଥିବା ମୋଦୀ କହିଛନ୍ତି । ମୋଦୀଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିନମାନଙ୍କରେ ସେ ତାଙ୍କ ମାଆଙ୍କୁ ଭେଟିବାକୁ ଭୁଲୁ ନଥିଲେ । ଏହାସହ ମାଆଙ୍କ ହାତ ତିଆରି ଖାଦ୍ୟ ଖାଉଥିଲେ ମୋଦୀ । ଖାଇବା ପରେ ମାଆଙ୍କ ହାତରୁ ମିଠା ଖାଉଥିଲେ । ଆଉ ଖାଇ ସାରି ମୁହଁ ଧୋଇ ସେ ଖୋଜନ୍ତି ମା’ର ପଣତ କାନି । ସେଇଥିରେ ମୁହଁ ପୋଛି ଦିଅନ୍ତି ।

ମୋଦି ଯେବେ ଘର ଛାଡ଼ିବାର ନିଷ୍ପତ୍ତି ନେଇଥିଲେ ମାଆ ହୀରାବେନ୍‌ ତାଙ୍କୁ ଏଥିରେ ବାଧା ଦେଇନଥିଲେ । ନିଜ ଇଚ୍ଛା ଅନୁସାରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏପରିକି ମୋଦୀ ଘର ଛାଡ଼ିବା ପରେ ସେ କାନ୍ଦି ପକାଇଥିଲେ । ଘର ଛାଡ଼ିବା ବେଳେ ତାଙ୍କୁ ହହି ଓ ଗୁଡ଼ ଖୁଆଇଥିବା କହିଥିଲେ ମୋଦୀ । ଏପରିକି ମୋଦୀ ଯେବେବି ତାଙ୍କ ମାଆଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ ହୀରାବେନ ମୋଦୀଙ୍କୁ ୧୦୦ ଟଙ୍କିଆ ନୋଟ୍‌ ଟିଏ ଦେଉଥିଲେ । ହୀରାବାଇ ସବୁବେଳେ ନିଜ ପୁଅ ମୋଦୀଙ୍କ ନିଷ୍ପତ୍ତିର ସପକ୍ଷରେ ଛିଡ଼ା ହେଉଥିଲେ । କେବେବି ଲାଞ୍ଚ ନନେବା ପାଇଁ ପରାମର୍ଶ ଦେଉଥିଲେ । ସବୁବେଳେ ଗରିବଙ୍କ ସେବା କରିବା ପାଇଁ ପ୍ରେରଣା ଦେଉଥିଲେ । ମୋଦିଙ୍କ ସଫଳତାରେ ମା ହୀରାବେନ୍‌ଙ୍କ ଅନେକ ଅବଦାନ ଥିଲା । ଧୈର୍ଯ୍ୟ, ସହନଶୀଳତା ଏବଂ ସୁବିଚାର ଭଳି ସଂସ୍କାର ଭରି ଦେଇଥିଲେ ନିଜ ପଲାଙ୍କ ଭିତରେ । ନିଜ ପରିବାର ପାଇଁ ସେ ଥିଲେ କେବଳ ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.