ଅଂଶୁଘାତରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ

ଓଃ କି ଖରା। ତାତିରେ ଦେହ ମୁଣ୍ଡ କଣ ହୋଇଯାଉଛି। ପୁଣି ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଯେମିତି ଅତିଷ୍ଠ ହୋଇଯାଉଛି ଜୀବନ। ଏ ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା ଭାରି କଷ୍ଟକର ହୋଇପଡୁଛି। କଣ ଆପଣ ବି ଖରାରେ ଏମିତି ଅତିଷ୍ଠ ହେଉଛନ୍ତି ଆଉ ଭାବୁଛନ୍ତି କେମିତି ଏ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବେ। ତାହେଲେ ଏ ଖବର ନିଶ୍ଚୟ ପଢନ୍ତୁ।

ଓଡ଼ିଶାର ଅନେକ ସହରରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ଆଉ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ ନିହାତି ଜରୁରୀ।

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଜରୁରୀ ସୂଚନା, ଯାହାଦ୍ୱାରା ଆପଣ ଖରା ଦିନେ ଅଂଶୁଘାତରୁ ନିଜେ ରକ୍ଷା ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବେ।

ଜାଣନ୍ତୁ, ଖରାଦିନେ କିପରି ସତର୍କତା ଅବଲମ୍ବନ କରିବେ

  • ଟାଣ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।
  • ହାଲ୍‌କା, ଫିକା, ଢିଲା ସୂତା ପୋଷାକ ପିନ୍ଧନ୍ତୁ।
  • ପ୍ରଚୁର ପାଣି ପିଅନ୍ତୁ।
  • ଓ.ଆର.ଏସ୍‌ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା, ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ନଚେତ ଚିନି ଲୁଣ ପାଣି ଇତ୍ୟାଦି
  • ପ୍ରଚୁର ପରିମାଣରେ ପିଅନ୍ତୁ।
  • ଗରିଷ୍ଠ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।

ଏବେ ଜାଣନ୍ତୁ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କର ଏହି ଖରାରେ କିପରି ଧ୍ୟାନ ରଖିବେ

  • ଛୋଟ ପିଲାଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ।
  • ଯଦି ଆପଣ ଛୋଟ ପିଲାଙ୍କୁ ସାଙ୍ଗରେ ବାହାରକୁ ନେଇକି ଯାଉଛନ୍ତି, ତା’ହେଲେ ସେମାନଙ୍କୁ ପୂରା ବା ଫୁଲ୍‌ ପୋଷାକ ପିନ୍ଧାନ୍ତୁ ଏବଂ ମୁଣ୍ଡରେ ଟୋପି ପିନ୍ଧାନ୍ତୁ।
  • ସବୁବେଳେ ପିଲାଙ୍କୁ ପାଣି ପିଇବାକୁ ଦିଅନ୍ତୁ। ପେଟ କେବେ ଖାଲି ରଖନ୍ତୁ ନାହିଁ।
  • ବୟସ୍କ ବ୍ୟକ୍ତି ଖରାରେ ଘରୁ ବାହାରନ୍ତୁ ନାହିଁ। ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା ଏବଂ ପାଦରେ ଜୋତା ପିନ୍ଧନ୍ତୁ।

ଏବେ ଜାଣନ୍ତୁ ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କର କିପରି କରିବେ ଚିକିତ୍ସା

  • ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ଏକାଥରେ ଅତ୍ୟଧିକ ପାଣି ପିଇବାକୁ ଦିଅନ୍ତୁ ନାହିଁ।
  • ଅଂଶୁଘାତରେ ପୀଡ଼ିତ ବ୍ୟକ୍ତି ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ଅଧା ଗ୍ଲାସ୍‌ ପାଣି ପିଇବାକୁ ଦିଅନ୍ତୁ।
  • ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀର ଉତ୍ତାପକୁ କମାଇବା ପାଇଁ ତାଙ୍କୁ ଥଣ୍ଡା ଓ ଛାଇ ସ୍ଥାନରେ ଶୁଆଇ ରଖି ପ୍ରଥମେ ଓଦା କପଡାରେ ପୂରା
  • ଶରୀରକୁ ପୋଛିଦିଅନ୍ତୁ। ଆବଶ୍ୟକ ହେଲେ ମୁଣ୍ଡରେ ଥଣ୍ଡାପାଣି ଢାଳନ୍ତୁ l
  • ପାଣି, ତୋରାଣି, ଲେମ୍ବୁ, ଦହି ଇତ୍ୟାଦି ପିଇବାକୁ ଦେଇ ଦେହର ଜଳୀୟ ଅଂଶ ପରିମାଣକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରନ୍ତୁ।

ଏବେ ଜାଣନ୍ତୁ ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ସତର୍କତା

  • ଗୃହପାଳିତ ପଶୁ-ପକ୍ଷୀଙ୍କ ପାଖରେ ସବୁବେଳେ ପାଣି ଏବଂ ଖାଦ୍ୟ ରଖନ୍ତୁ।
  • ସେମାନଙ୍କୁ ବାହାରକୁ ଖରାରେ ଚରାଇବାକୁ ନିଅନ୍ତୁ ନାହିଁ। କିମ୍ବା ଚରିବାକୁ ବି ଖୋଲାରେ ଛାଡନ୍ତୁ ନାହିଁ

ଆଉଁ ହଁ ବୁଲା ପଶୁ-ପକ୍ଷୀ ମାନଙ୍କ ପାଇଁ ଘର ବାହାରେ ଏକ ପାତ୍ରରେ ପାଣି ରଖନ୍ତୁ। ପକ୍ଷୀମାନଙ୍କ ପାଇଁ ଛାତ ଉପରେ କିମ୍ବା ଗଛ ମୂଳରେ ପାଣିର ବ୍ୟବସ୍ଥା କରନ୍ତୁ। ଆପଣଙ୍କର ଏଇ ପ୍ରୟାସ ଜଣଙ୍କର ଜୀବନ ରକ୍ଷା କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.