କାହିଁକି ପାଳନ କରନ୍ତି ପଞ୍ଚୁକ? କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ଜାଣନ୍ତୁ କାହିଁକି ପାଳନ୍ତି ଲୋକେ

ପଞ୍ଚକ ବା ପଞ୍ଚୁକ ଓଡ଼ିଶାରେ ପାଳିତ ଏକ ହିନ୍ଦୁ ପର୍ବ । ଏହା କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଳନ କରାଯାଏ ।

ପଞ୍ଚକ ବା ପଞ୍ଚୁକ ଓଡ଼ିଶାରେ ପାଳିତ ଏକ ହିନ୍ଦୁ ପର୍ବ । ଗୁରୁବାର ଅର୍ଥାତ୍‌ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ ପୂର୍ଣ୍ଣିମା ପାଳନ କରାଯାଏ । ଏହା ମହା ପଞ୍ଚକ, ବଳ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବେଶ ଜଣାସୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ ସେମାନେ ଏହି ପାଞ୍ଚ ଦିନ ହବିଷ୍ୟ ପାଳନ କରିପାରନ୍ତି । ଆଉ କେତେକ ଲୋକେ ଅଳାଁ ନବମୀଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚ ଦିନ ଆମିଷ ଛାଡ଼ି ହିନ୍ଦୁମାନେ ସାତ୍ତ୍ବିକ ଭୋଜନ କରିଥାଆନ୍ତି ।

କିମ୍ବଦନ୍ତୀ ଅନୁଯାୟୀ, ବଗ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ ସେ ଆପଣଙ୍କୁ ତୃପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ।

ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ‘ଭୀଷ୍ମ ପଞ୍ଚକ ବ୍ରତ’ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକ ଲକ୍ଷ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ତେବେ ପଞ୍ଚୁକ ଅବସରରେ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ଅନେକ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯାଏ ।

ଏକାଦଶୀରେ- ଲକ୍ଷ୍ମୀ ନାରାୟଣ ବେଶ
ଦ୍ବାଦଶୀରେ- ବାଙ୍କଚୂଡ଼ା ବା ବାମନ ବେଶ
ତ୍ରୟୋଦଶୀରେ-ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
ଚତୁର୍ଦ୍ଦଶୀରେ- ଲକ୍ଷ୍ମୀନୃସିଂହ ବେଶ
ପୂର୍ଣ୍ଣମୀରେ- ରାଜରାଜେଶ୍ବର ବେଶ

ପ୍ରଥମ ଦିନର ଆଜି ଏକାଦଶୀରେ ହରି ଉତ୍ଥାପନ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି।

ସେହିପରି ଦ୍ଵାଦଶୀରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ ହୁଅନ୍ତି । ଯେତେବେଳେ ଅକ୍ରୁର ଗୋପପୁରକୁ ଯାଇଥିଲେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ, ସେହି ସମୟରେ ବ୍ରଜ ଦାଣ୍ଡରେ ଏହି ରୂପରେ ଅକ୍ରୁର ଦର୍ଶନ କରିଥିଲେ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଠାକୁର ମାନେ ସୁନାର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ ।

ତ୍ରୟୋଦଶୀରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ତିବିକ୍ରମ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି ।ଏହି ବେଶରେ ଠାକୁର ମାନେ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ।ଏହି ଦିନ ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ମହାକାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ , ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଏହାପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରୁଭୁ ଭକ୍‌ତମାନଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦିଅନ୍ତି । ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳ ଧୂପ ଓ ଭୋଗ ମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଜଗନ୍ନାଥଙ୍କ ପଞ୍ଚକ ପାଞ୍ଚ ଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.