ପାହାଡ଼ କୋଳରେ ଚିର ନିଦ୍ରାରେ ଶୋଇଗଲେ ପର୍ବତ ରାଣୀ କଳ୍ପନା

ଗୋଟିଏ ପଟେ ଥିଲା ଗଣତନ୍ତ୍ରର ବିଜୟ ଉଲ୍ଲାସ, ଆଉ ଅନ୍ୟପଟେ ଆସିଥିଲା ଏକ ଦୁଃଖଦ ଖବର । ପାହାଡ଼କୁ ଭଲ ପାଉଥିବା ମଣିଷଟିଏ ସେହି ପାହାଡ କୋଳରେ ହିଁ ଶୋଇଯାଇଥିଲା ଚିରଦିନ ପାଇଁ ଚିର ନିଦ୍ରାରେ। ଏଭରେଷ୍ଟରେ ପ୍ରାଣ ହରାଇଛନ୍ତି ପର୍ବତରାଣୀ କଳ୍ପନା ଦାଶ । ଆଜ୍ଞା ହଁ, ଆମ ଗହଣରେ ଆଉ ନାହାନ୍ତି ଏଭରେଷ୍ଟ ଛୁଇଁଥିବା ପ୍ରଥମ ଓଡ଼ିଆ ଓ ପ୍ରଥମ ଓଡ଼ିଆ ମହିଳା। ଅମ୍ଳଜାନ ଅଭାବରୁ ଏଭରେଷ୍ଟ ଶୃଙ୍ଗରେ ପ୍ରାଣ ହରାଇଛନ୍ତି କଳ୍ପନା । ସ୍ବପ୍ନ ତ ସମସ୍ତେ ଦେଖନ୍ତି । ହେଲେ ଦେଖୁଥିବା ସ୍ବପ୍ନକୁ ଖୁବ୍ କମ୍ ଲୋକ ପୂରା କରିପାରନ୍ତି । ଏହି କମ୍ ଲୋକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ, ଶିଖର ଯାହାର ଲକ୍ଷ୍ୟ
୧୯୬୬ ମସିହା ଜୁଲାଇ ୭ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ କଲ୍ପନା ଦାଶ । ତାଙ୍କ ପିତାଙ୍କ ନାମ ଗୁଣନିଧି ଦାଶ ଏବଂ ମା ଶୈଳବାଳା । ସେ ହିନ୍ଦୀ ଭାଷାରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଶିକ୍ଷାରେ ଗ୍ରାଜୁଏସନ (LLB) କରିଥିଲେ । ପର୍ବତାରୋହଣ କରିବାର ପ୍ରେରଣା ନିଜ ପିତା ସ୍ୱର୍ଗତ ଗୁଣନିଧି ଦାଶଙ୍କଠାରୁ ପାଇଥିଲେ କଳ୍ପନା । ଢେଙ୍କାନାଳର ଆଖ ପାଖରେ ଥିବା ସମସ୍ତ ପାହଡ଼ ଚଢ଼ା ସମୟରେ କଳ୍ପନା ତାଙ୍କ ସାଙ୍ଗରେ ରହୁଥିଲେ ।

KALPANA-2କଳ୍ପନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏଭରେଷ୍ଟର ଶିଖରକୁ ଛୁଇଁବା ପାଇଁ ଆବଶ୍ୟକ ଅର୍ଥ ନିଜ ଉଦ୍ୟମରେ ଯୋଗାଡ଼ କରିଥିଲେ। ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମ୍ନା କରି ଜଣେ ନାରୀ, ବିଶେଷ କରି ଓଡ଼ିଆ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ । ଦୁଇ ଦୁଇଥର ବିଫଳତାର ସାମ୍ନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା । ପ୍ରତିଦିନ ସେ ନିଜ ସହର ଉପକଣ୍ଠରେ ଥିବା ୧୩୫୨ ପାହାଚ ଥିବା କପିଳାସ ପାହାଡ଼କୁ ଚଢ଼ି ଅଭ୍ୟାସ କରୁଥିଲେ । ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ ।

Kalpana Dashକୌଣସି ବିଧିବଦ୍ଧ ତାଲିମ ବିନା ସେ ୨୦୦୪ରେ ହିମାଳୟ ଆରୋହଣର ପ୍ରଥମ ପ୍ରଚେଷ୍ଟା କରି ୭୩୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିନା ଅମ୍ଳଜାନରେ ଯାଇ ପାରିଥିଲେ । ତେବେ ତାଙ୍କ ଜୋତାରେ ସମସ୍ୟା ହେବାରୁ ଓହ୍ଲାଇ ଆସିଥିଲେ। ୨୦୦୬ରେ ପୁନର୍ବାର ୮୦୪୮ ମିଟର ପର୍ଯ୍ୟନ୍ତ ଏଭେରେଷ୍ଟ ଆରୋହଣ କରିଥିଲେ। କିନ୍ତୁ ମୃତ୍ୟୁର ବଳୟ କୁହାଯାଉଥିବା ଅଂଚଳ, ଯେଉଁଠି ଅମ୍ଳଜାନର ମାତ୍ରା ପାଖାପାଖି ଶୂନ୍ୟ ଥାଏ ଓ ଉତ୍ତାପ ଶୂନ୍ୟଡିଗ୍ରୀରୁ କମ ଥାଏ, ସେଠାରେ ପ୍ରବେଶ କରିବା ପରେ ଅତି ଖରାପ ପାଗ ଯୋଗୁଁ ବାଧ୍ୟ ହୋଇ ଫେରି ଆସିଥିଲେ ।
ଏହା ପରେ ୨୦୦୮ ମେ ୨୧ ରେ କଳ୍ପନା ଦାଶ ୮୮୪୮ ମିଟର ଉଚ୍ଚତା ଥିବା ଏଭରେଷ୍ଟ ଆରୋହଣ କରିଥିଲେ । ଓଡିଶାର ପ୍ରଥମ ବ୍ୟକ୍ତି ଭାବେ ଏଭରେଷ୍ଟର ସର୍ବୋଚ୍ଚ ଶିଖରରେ ଉଡ଼ାଇ ଥିଲେ ଭାରତର ଜାତୀୟ ପତାକା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାନା ।

୨୦୧୪ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକାର ପର୍ବତଶୃଙ୍ଗ ମାଉଣ୍ଟ କିଲିମଞ୍ଜରୋକୁ ବିନା ଅମ୍ଳଜାନରେ ସଫଳ ଭାବେ ଆରୋହଣ କରିଥିଲେ । ୨୦୧୫ ଜାନୁଆରୀ ୧୬ରେ ଦକ୍ଷିଣ ଆମେରିକାର ଆଣ୍ଡିଜ୍‌ ପର୍ବତମାଳା, ୨୦୧୫ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଏବଂ ୨୦୧୫ ଡିସେମ୍ବର ୩ ତାରିଖରେ ଅଷ୍ଟ୍ରେଲିଆର ମାଉଣ୍ଟ କାସିଭକୋକୁ ମଧ୍ୟ ବିନା ଅମ୍ଳଜାନରେ ଆରୋହଣ କରିଥିଲେ । ଏହା ଥିଲା ଭାରତ ଇତିହାସରେ ଏକ ବିରଳ ଘଟଣା । ହେଲେ ସେଇ ଅମ୍ଳଜାନ ହିଁ ଶେଷରେ ତାଙ୍କର ପ୍ରାଣ ନେଇଗଲା ।

କଣ ଘଟିଥାଏ ବିନା ଅମ୍ଳଜାନରେ

ବୈଜ୍ଞାନିକମାନେ କୁହନ୍ତି ଯଦି ୫ ସେକେଣ୍ଡ ପାଇଁ ଦୁନିଆଁରୁ ଅମ୍ଳଜାନ ଚାଲିଯିବ ତେବେ ଏହି ନୀଳ ଆକାଶ କଳା ଦିଶିବ । ହେଲେ ତାକୁ ଦେଖିବାକୁ ଆମେ କେହି ନଥିବା । କଂକ୍ରିଟ୍‌ କୋଠା ସବୁ ଭୁଶୁଡ଼ି ପବନ, କାନର ପରଦା ଫାଟିଯିବ, ବିମାନ ସବୁ ଦିଶାହୀନ ହୋଇ ଦୁର୍ଘଟଣାର ସାମନା କରିବେ । ତେଣୁ ଅମ୍ଳଜାନ ବିନା ଜୀବନ ନାହିଁ ।
ପୃଥିବୀର ଯେତିକି ଉପରକୁ ଯିବ ସେତିକି ପରିମାଣରେ ଅମ୍ଳଜାନ କମିଯାଏ । ତେଣୁ ପର୍ବତାରୋହୀମାନେ ନିଜ ସହିତ ଅକ୍ସିଜେନ୍‌ ବା ଅମ୍ଳଜାନ ସିଲିଣ୍ଡର ଏବଂ ଅକ୍ସିଜେନ୍‌ ମାସ୍କ ନେଇ ଯାଇଥାନ୍ତି । ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮,୮୫୦ ମିଟର । ଯେଉଁଠାରେ ଅମ୍ଳଜାନର ପରିମାଣ ମାତ୍ର ୩୩ ପ୍ରତିଶତ । ତେଣୁ ପେସାଦାର ପର୍ବତାରୋହୀ ଏବଂ ସୌଖୀନ ପର୍ବତାରୋହୀଙ୍କୁ ସାଙ୍ଗରେ ଅକ୍ସିଜେନ୍‌ ନେବାକୁ ପଡ଼ିଥାଏ । ତେବେ କିଛି ପର୍ବତାରୋହୀ ବିନା ଅକ୍ସିଜେନ୍‌ରେ ମଧ୍ୟ ଏଭରେଷ୍ଟ ଜୟ କରିବାର ଦୁଃସାହସ କରିଥାନ୍ତି । ଯାହା କଳ୍ପନା ପୂର୍ବରୁ କରି ସଫଳ ମଧ୍ୟ ହୋଇଥିଲେ ।

କଳ୍ପନାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ

ସୂଚନା ଅନୁସାରେ, ଏଥର ସେ ଅବତରଣ କରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଦେହରୁ ଜଳୀୟ ଅଂଶ କମିଯିବା ଓ ଅମ୍ଳଜାନର ଅଭାବ ତାଙ୍କ ମୃତ୍ୟୁର କାରଣ ବନିଗଲା । ନେପାଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରାୟ ୧୨୦ ଜଣ ପର୍ବାତାରାହୀ ଗୁରୁବାର ଦିନ ଏଭରେଷ୍ଟ ଚଢ଼ି ଫେରିବା ବେଳେ ଏହାର ବାଲକୋନୀ ବା ଗଡ଼ାଣିଆ ଅଞ୍ଚଳରେ ଏକାଠି ପହଞ୍ଚିଥିଲେ । ସେହି ଗହଳି ମଧ୍ୟରେ ଅମ୍ଳଜାନର ଅଭାବ ୪୯ ବର୍ଷ ବୟସ୍କା କଳ୍ପନାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁର କାରଣ ହୋଇଥିଲା । ପୁନେର ନିହାଲ ଆସପାକ (୨୭ ବର୍ଷ) ଏବଂ ଅଞ୍ଜଳି ଶାରଦା କୁଲକର୍ଣ୍ଣିଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସେମାନଙ୍କ ଏଜେଣ୍ଟ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ପର୍ବତାରୋହୀ ଏବଂ କ୍ରୀଡ଼ାବିତ୍‌ ତଥା ସାଂସଦ ତଥାକିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରମୁଖ କଳ୍ପନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ନେପାଳରୁ ତାଙ୍କର ମରଶରୀରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.