ନବବଧୂ ସାଜି ନିଜ ଭାବୀ ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ଯୁବତୀ, କାହାଣୀ ଶୁଣିଲେ ଆଖି ଓଦା ହୋଇଯିବ

ଜୀବନରେ କେତେବେଳେ ଯେ କାହା ଉପରେ ଅଜଣା ଝଡ ଆସି ବହିଯିବ ସେ କଥା କେହି କହି ପାରିବେନି । କିନ୍ତୁ ସଂସାରର ଲୋଭମାୟା ଭିତରେ ଆମେ ସମସ୍ତେ ସ୍ବପ୍ନର ସଉଦାଗର । ଆଖିରେ ଥାଏ ଅସୁମାରୀ ସ୍ବପ୍ନ । ଜୀବନକୁ ବଞ୍ଚିବାର ଭିନ୍ନ ଏକ ଆଶା । ଏଭଳି କିଛି ସ୍ବପ୍ନ ଦେଖିଥିଲେ ଇନଟାନ୍ ସ୍ଯାରୀ ନାମକ ଜଣେ ଯୁବତୀ । ଯିଏ ଦେଖିଥିଲେ ନବବଧୂ ହେବାର ସ୍ବପ୍ନ ।
ସେ ଦିନ ଥିଲା ୨୯ ଅକ୍ଟୋବର ୨୦୧୮ । ଇଣ୍ଡୋନେସିଆ ଯୁବତୀ ଇନଟାନ୍ ସ୍ଯାରୀ ଦେଖୁଥିଲେ ବାହା ହୋଇ ସଂସାର କରିବାର ସ୍ବପ୍ନ । କିନ୍ତୁ ନିର୍ଦ୍ଦିଷ୍ଟ ଦିନରେ ଏମିତି ଏକ ଖବର ଆସି ତାଙ୍କ ପାଖରେ ପହଁଞ୍ଚିଥିଲା ଯାହା ତାଙ୍କର ସବୁ ସ୍ବପ୍ନକୁ ମୁହୂର୍ତ୍ତକ ଭିତରେ ଭାଙ୍ଗିରୁଜି ଚୁରମାର କରିଦେଲା । ତାଙ୍କ ଭାବିସ୍ବାମୀ ରିୟୋ ନଂନ୍ଦା ପ୍ରାତମାଙ୍କ ବିମାନ ଦୁର୍ଘଟଣାରେ ଜୀବନ ଚାଲିଯାଇଥିଲା । ରିୟୋ ଆସୁଥିବା ଲାୟନ ଏୟାର ଫ୍ଳାଇଟ୍ କ୍ରାସ୍ ହୋଇ ସାରିଥିଲା । ଫ୍ଳାଇଟଟି ଜାକର୍ତାରୁ ଛାଡ଼ିବାର କିଛି ମିନିଟ୍ ପରେ ସମୁଦ୍ର ଭିତରେ ଖସି ପଡ଼ିଲା । ଯାହାର କାରଣ ଏଯାଏ ଜଣା ପଡ଼ି ନାହିଁ । ଭାଗ୍ଯର ବିଡମ୍ବନା ପରସ୍ପରଙ୍କୁ ଏକାଠି କରି ଦେଇନଥିଲା ।
୧୧ ନଭେମ୍ବରରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । କିନ୍ତୁ ଯୁବତୀ ଜଣଙ୍କ ଏହି ଖବର ଶୁଣିବା ପରେ ଭାଙ୍ଗି ପଡ଼ନଥିଲେ । ସେ ତାଙ୍କ ସାଥୀଙ୍କର ଶେଷ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ନବବଧୂ ବେଶରେ ସଜେଇ ହୋଇ ନିଜର ଫଟୋ ଉଠାଇଥିଲେ । ତାଙ୍କ ସାଥୀ ରିୟୋ, ସ୍ଯାରୀଙ୍କୁ ନବବଧୂ ବେଶରେ ଦେଖିବାକୁ ସର୍ବଦା ଚାହୁଁଥିଲେ । ତେଣୁ ତାଙ୍କର ଏହି ଶେଷ ଇଚ୍ଛାକୁ ଯୁବତୀ ଜଣଙ୍କ ପୂର୍ଣ୍ଣ କରିବା ପାଇଁ ଏପରି କରିଥିଲେ । ଏହି ଫଟୋ ଗୁଡିକ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।
ଦିନେ ଇନଟାନ୍ ଙ୍କୁ ରିୟୋ ମଜାରେ କହିଥିଲେ କି ଯଦି ମୁଁ ବିବାହ ଦିନ ନଆସି ପାରେ ତେବେ ବିବାହ ପୋଷାକ ପିନ୍ଧି ନିଜର ଫଟୋ ଉଠାଇ ମତୋ ପୋଷ୍ଟ କରିଦେବ ଏବଂ ସେହି ୱେଡିଂ ଡ୍ରେସ୍ ହିଁ ପିନ୍ଧିବ, ଯାହା ମୁଁ ତୁମ ପାଇଁ ପସନ୍ଦ କରିଛି । ଏହା ସହ ରିୟୋ କହିଥିଲେ କି ମେକଅପ୍ ଏବଂ ଧଳା ଗୋଲାପ ଫୁଲ ସହିତ ନିଜର ଏକ ଭଲ ଫଟୋ ଉଠାଇକି ମତୋ ପଠାଇଦେବ ।
ତେବେ ନିଜ ଭାବି ସ୍ବାମୀଙ୍କର ଶେଷ ଇଚ୍ଛାକୁ ସେ ପୂରଣ କରିଥିଲେ ଇନଟାନ୍ । ନିଜର ୱେଡିଂ ଗେଟ୍ ଅପର ଫଟୋ ସେୟାର କରି ଲେଖିଥିଲେ ‘‘ମୁଁ କେତେ ଦୁଃଖରେ ଅଛି କାହାକୁ ଏକଥା କହି ପାରିବି ନାହିଁ, କିନ୍ତୁ ମତେ ହସିବାକୁ ପଡିବ, କାରଣ ତୁମେ ମୋତେ କହିଥିଲ କି ମୁଁ ଯେମିତି କେବେ ବି ଦୁଃଖୀ ନରୁହେ। ତେଣୁ ମୋତେ ଷ୍ଟ୍ରଙ୍ଗ ହେବାକୁ ପଡିବ ।‘’ ରିୟୋ ଓ ସ୍ଯାରୀଏ ପରସ୍ପରକୁ ୧୩ ବର୍ଷ ହେଲା ଜାଣିଥିଲେ ଏବଂ ଭଲ ପାଉଥିଲେ । ଶେଷରେ ବିବାହ କରିବାକୁ ମନସ୍ଥ କରିଥିଲେ ।