Below header

ଲିଚୁ ଅତଙ୍କ, ବିହାରରେ ଶତାଧିକ ମୃତ୍ୟୁ ପରେ ଏବେ ଓଡ଼ିଶାରୁ ଗାଏବ ହେଲା ସୁଆଦିଆ ଫଳ

ଲିଚୁ । ଏମିତି ଏକ ଖରାଦିନିଆ ଫଳ ଯାହାକୁ ଦେଖିଲେ ଲୋଭ ଲାଗେ । ଆଉ ପାଟିରେ ପଡ଼ିଲେ ତାର ସୁଆଦ ଓ ବାସ୍ନା ମନ ଭରିଦିଏ । ହେଲେ ଏଇ ଲିଚୁ ଏବେ ବିହାର ରାଜ୍ୟରେ ଆତଙ୍କ ସାଜିଛି । ଶତାଧିକ ପିଲାଙ୍କ ମୃତ୍ୟୁର କାରଣ ଲିଚୁ ବୋଲି କୁହାଯାଉଛି । ଆସନ୍ତୁ ଜାଣିବା ପ୍ରକୃତରେ କଣ ଏମିତି ରହିଛି ଲିଚୁରେ । ଯାହା ପିଲା ମଡ଼କ ପାଇଁ କାରଣ ହୋଇଛି ।

୨୦୧୪ ପରେ ୨୦୧୯ରେ ବିହାରକୁ ପୁଣି ଫେରିଛି ଲିଚୁ ପ୍ରସଙ୍ଗ । ସେଥର ପିଲାଙ୍କ ମୃତ୍ୟୁ ପରେ ବୈଜ୍ଞାନିକମାନେ ଗବେଷଣା କରି କାରଣ ଖୋଜିଥିଲେ । ଆଉ ମିଳିଥିଲା କିଛି ଏଭଳି ତଥ୍ୟ ଯାହାକୁ ହୁଏତ ଜାଣିବା ପରେ ଆପଣମାନେ ନିଶ୍ଚୟ ଲିଚୁ ଖାଇବାକୁ ଭୟ କରିବେ । ଏହି ରସାଳ ଫଳ ଯେତିକି ସୁନ୍ଦର ଓ ସୁଆଦିଆ ସେତିକି ମାରାତ୍ମକ ମଧ୍ୟ । ତେବେ ସଚେତନ ହୋଇ ଖାଇଲେ ଏଥିରୁ ରକ୍ଷା ମିଳିବ ।

litchi

ଗବେଷକଙ୍କ କହିବା କଥା

୧- ପାଚି ନଥିବା ଲିଚୁ ଖାଇବା ଆଦୌ ଉଚିତ ନୁହେଁ ।

୨-ଅପରିପକ୍ୱ ଲିଚୁରେ କିଛି ପ୍ରାକୃତିକ ବିଷାକ୍ତ ପଦାର୍ଥ ରହିଥାଏ ।

୩-ବିଶେଷ କରି ଏହାର ମଞ୍ଜିରେ ଏହି ବିଷାକ୍ତ ପଦାର୍ଥ ରହିଥାଏ ।

୪-ଏହି ବିଷାକ୍ତ ପଦାର୍ଥ ପିଲାମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥାଏ ।

୫-ଖାଲି ପେଟରେ ଲିଚୁ ଖାଇବା ଆଦୌ ଉଚିତ ନୁହେଁ ।

୬-ପାଚି ନଥିବା ଲିଚୁକୁ ଖାଇବା ଦ୍ୱାରା ଶରୀରରୁ ବ୍ଲଡ୍‌ ସୁଗାର କମି ଯାଇଥାଏ ।

litchi death

ବିହାରରେ ବହୁଳ ପରିମାଣରେ ଲିଚୁ ଚାଷ ହୋଇଥାଏ । ତେଣୁ ପିଲାମାନେ ସକାଳ ବେଳା ବଗିଚାରେ ବୁଲି ଖାଲି ପେଟରେ ଏହାକୁ ଖାଇଥାନ୍ତି । ଯାହାର ଫଳସ୍ୱରୂପ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ପିଲାଟି ଲିଚୁ ଖାଇଲା ପରେ ତାକୁ ଭୋକ ହୁଏ ନାହିଁ । ସେ ଖାଦ୍ୟ ଖାଇବାକୁ ଆଗ୍ରହ ଦେଖାଏ ନାହିଁ । ତେବେ ଏହା ଭିତରେ ତାର ବ୍ଲଡ୍‌ ସୁଗାର୍‌ କମିଯାଏ । ସେ ଅସୁସ୍ଥ ହୋଇପଡ଼େ । ତେଣୁ ଡାକ୍ତରଙ୍କ କହିବା କଥା ଯଦି ପିଲାଟି ଅସୁସ୍ଥ ହେଉଛି ତେବେ ତୁରନ୍ତ ତାକୁ ଚିକିତ୍ସା ଦରକାର । ଯେଭଳି ଶରୀରରେ ସୁଗାର୍‌ ସ୍ତର ଠିକ୍‌ ରହିବ । ନଚେତ ପିଲାର ମାନସିକ ଓ ଶାରୀରିକ ସ୍ଥିତି ବିଗିଡ଼ି ଯିବ । ଏମିତିକି କୋମାକୁ ଚାଲିଯିବ ଅଥବା ମୃତ୍ୟୁ ହେବ । ତେବେ ବିହାରରେ ଏଭଳି ଘଟଣା କେବଳ ମେ’ରୁ ଜୁଲାଇ ମାସ ମଧ୍ୟରେ ଘଟୁଛି । ଅନ୍ୟ ଦିନେ ନୁହେଁ ।

ଏପଟେ ବିହାର ଘଟଣା ପରେ ଏବେ ପ୍ରଶାସନର କୋପ ଦୃଷ୍ଟି ପଡ଼ିଛି ଲିଚୁ ଉପରେ । ଓଡ଼ିଶାରୁ ମଧ୍ୟ ଲିଚୁ ଗାଏବ ହେବାରେ ଲାଗିଛି । ତେବେ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ବିହାରରେ ପିଲାଙ୍କ ମୃତ୍ୟୁ ପଛରେ ଲିଚୁ କାରଣ ବୋଲି ଜଣାପଡ଼ି ନାହିଁ । ଅବଶ୍ୟ ଲିଚୁରେ ଅନେକ ପ୍ରକାର ହିତକାରୀ ଭିଟାମିନ୍‌ ମଧ୍ୟ ରହିଛି । ତଥାପି ଲିଚୁକୁ ଆହୁରି ତାଜା ଓ ଲାଲ କରିବା ପାଇଁ ରଙ୍ଗ ଦେଇ ଗ୍ରାହକଙ୍କୁ ଲୋଭାଉଥିବା ବିକ୍ରେତା ଚୁପ୍‌ ହୋଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.