ଭଙ୍ଗା ଡ଼ଙ୍ଗା ଭରସାରେ ହଜାର ହଜାର ଜୀବନ !

ଚିଲିକ ଡଙ୍ଗାବୁଡି ଘଟଣା ପରେ ବି ଭଙ୍ଗା ଦଦରା ଡଙ୍ଗା ଭରସାରେ ହଜାର ହଜାର ଲୋକଙ୍କ ଜୀବନ ରହିଛି । ନିତିଦିନ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ସାଧାରଣ ଲୋକ। ପ୍ରଶାସନକୁ ଗୁହାରି କଲେ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ ମିଳିବା ଯାଗାରେ ଉତ୍ତର ମିଳୁଛି ଖୁବ୍ ଶୀଘ୍ର ନୂଆ ଡଙ୍ଗା ମିଳିବ। ଏହି ଘଟଣା ମାଲକାନାଗିରି ଜିଲ୍ଲା କୋରୁକଣ୍ଡା ରାଖାଲଗୁଡା ଗ୍ରାମରେ ଦେଖିବାକୁ ମିଳିଛି ।
ରାଖାଲଗୁଡା ଘାଟରେ ଭଙ୍ଗା ଦଦରା ଡଙ୍ଗାରେ ହଜାର ହଜାର ଲୋକ ପ୍ରତିଦିନ ଯାତାୟତା ପାଇଁ ପାର ହେଉଛନ୍ତି । ଡଙ୍ଗାଟି ମୋଟର ଲାଗିବା ଉପଯୋଗୀ ହୋଇନଥିବାରୁ କାତରେ ନାଉରିଆ ପାର କରୁଛନ୍ତି । ପାହାଡିଆ ଅଞ୍ଚଳରେ ପାଣି ସୁଅ ପ୍ରଖର ଥିବାରୁ କେଉଁ କୂଳରେ ଡଙ୍ଗା ଲାଗିବ ସେକଥା ନିଜେ ନାଉରିଆ ବି ଜାଣିପାରୁ ନାହିଁ । ଏହି ଦୁର୍ବଳ ଡ଼ଙ୍ଗାରେ ଥରକରେ ୬୦ରୁ ଊର୍ଦ୍ଧ୍ୱ ଲୋକ ପାରି ହେଉଛନ୍ତି । ପୁଣି ଏଥିରେ ଲଦା ହେଇଛି ୧୦ରୁ ଅଧିକ ମୋଟର ସାଇକେଲ । ଚାରିଟି ପଞ୍ଚାୟତର ପ୍ରାୟ ୧୦ହଜାର ଲୋକ ଏହି ଡଙ୍ଗା ଉପରେ ନିର୍ଭର କରନ୍ତି ।
ବର୍ଷ ବର୍ଷ ଧରି ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ପାର ହେଉଛନ୍ତି ଲୋକେ । ସୁରକ୍ଷା ବ୍ୟବସ୍ଥାର ଚିହ୍ନବର୍ଣ୍ଣ ନଥିବାରୁ ଅନେକ ସମୟରେ ଡଙ୍ଗା ବୁଡି କେତେ ଯେ ଧନଜୀବନ ନଷ୍ଟ ହେଉଛି ତାର ହିସାବ ନାହିଁ । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ବି ଫଳ କିଛି ନାହିଁ।